ପୁରୀ: ୧୨ ମାସ ହେଲା ଚାହିଁ ରହିଛି ବଡଦାଣ୍ଡ, ମାଉସୀ ମା’ । କୋଳକୁ ଫେରିବେ ବଡ ଠାକୁର । ଆଉ ଆଜି ସେହି ପବିତ୍ର ଦିନ । ଝୁଲି ଝୁଲି ପଣ୍ଡାଙ୍କ ପିଠିରେ ଲଦି ହୋଇ ରଥାରୂଢ ହେବେ ପ୍ରଭୁ ଜଗନ୍ନାଥ ତାଙ୍କ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା । ଭାଇ ଭଉଣୀ ସଙ୍ଗେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଏଥିପାଇଁ ଭାବ ଭକ୍ତିରେ ଉଛୁଳୁଛି ବଡଦାଣ୍ଡ । ଚାହିଁ ରହିଛି ଗୁଣ୍ଡିଚା ମା’ । ଏହି ଯାତ୍ରାରେ ଯୋଗଦେବା ପାଇଁ ହଜାର ହଜାର ଭକ୍ତ ଜଗନ୍ନାଥ ଧାମରେ ପହଞ୍ଚିଥାନ୍ତି। ଏହି ଯାତ୍ରା ଆଜିଠୁ ଅର୍ଥାତ୍ ଜୁନ୍ ୨୭ ତାରିଖରୁ ଆରମ୍ଭ ହୋଇ, ଜୁଲାଇ ୮ ତାରିଖରେ ନୀଳାଦ୍ରି ବିଜୟ ସହିତ ଶେଷ ହେବ । ଏହି ଦିନ ପ୍ରଭୁ ତାଙ୍କ ଧାମକୁ ଫେରିବେ ।
ତେବେ ଆମେ ସମସ୍ତେ ଜାଣନ୍ତି ମହା ପ୍ରଭୁଙ୍କ ବଡ ଆଉ ପ୍ରଥମ ସେବକ ଗଜପତି ମହାରାଜାଙ୍କ ଛେରା ପହଁରା ବିନା ମହାପ୍ରଭୁଙ୍କ ରଥ ଗଡେନା । ତେବେ କ’ଣ ରହିଛି ଏହା ପଛରେ କାରଣ, କାହିଁକି ଜଗନ୍ନାଥ ରଥଯାତ୍ରା ଆରମ୍ଭ ହେବା ପୂର୍ବରୁ ସୁନା ଝାଡୁ ସାହାଯ୍ୟରେ ସଫା କରାଯାଏ?
ତେବେ ନୀତି ନୀର୍ଘଣ୍ଟ ଅନୁଯାୟୀ, ଆଜି ପୁରୀ ଧାମରେ ସକାଳ ୬ଟାରେ ମଙ୍ଗଳ ଆରତୀ କରାଯାଇଥିଲା। ସକାଳ ୯.୩୦ ରୁ ରଥ ଉପରେ ପ୍ରଭୁଙ୍କୁ ବସାଇବା ପାଇଁ ଧାର୍ମିକ ରୀତିନୀତି ଆରମ୍ଭ ହୋଇଯାଇଛି । ତା’ପରେ ଅପରାହ୍ନ ପ୍ରାୟ ୧ଟାରେ ପ୍ରଭୁଙ୍କୁ ରଥ ଉପରେ ବିରାଜମାନ କରାଯିବ। ଯାତ୍ରା ଆରମ୍ଭ ହେବା ପୂର୍ବରୁ, ଅପରାହ୍ନ ପ୍ରାୟ ୩ଟାରେ, ପୁରୀ ରାଜପରିବାରର ଗଜପତି ରଥଯାତ୍ରାର ପଥ ସଫା କରିବେ । ସୁବର୍ଣ୍ଣ ଝାଡୁରେ ମହାପ୍ରଭୁଙ୍କ ରଥରେ ଛେରାପହଁରା କରାଯିବା ପରେ ରଥଟଣା ଆରମ୍ଭ ହେବ । ଏହା ପରେ, ପ୍ରଭୁ ଜଗନ୍ନାଥ ତାଙ୍କ ଭଉଣୀ ସୁଭଦ୍ରା ଏବଂ ଭାଇ ବଳଭଦ୍ରଙ୍କ ସହିତ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବେ । ଭକ୍ତ ତାଙ୍କୁ ଟାଣି ଟାଣି ନେଇ ମାଉସୀ ମା ପାଖରେ ପହଞ୍ଚାଇ ଦେବେ ।
ଜଗନ୍ନାଥ ରଥଯାତ୍ରା ଆରମ୍ଭ ହେବା ପୂର୍ବରୁ, ରାଜାମାନଙ୍କ ବଂଶଧରମାନେ ସୁବର୍ଣ୍ଣ ଝାଡୁରେ ରଥର ଆଗ ପଥ ସଫା କରନ୍ତି। ଏହି ପରମ୍ପରା ବହୁ ଦିନ ଧରି ଚାଲିଆସୁଛି। ଯେପର୍ଯ୍ୟନ୍ତ ରାଜାମାନେ ରାଜତ୍ୱ କରୁଥିଲେ, ସେପର୍ଯ୍ୟନ୍ତ ରାଜା ସ୍ୱୟଂ ରଥଯାତ୍ରାର ପ୍ରଥମ ଦିନରେ ସୁନା ଝାଡୁରେ ପଥ ସଫା କରି ଯାତ୍ରା ଆରମ୍ଭ କରୁଥିଲେ। ଧାର୍ମିକ ବିଶ୍ୱାସ ଅନୁସାରେ, ସୁନା ଏକ ଅତ୍ୟନ୍ତ ପବିତ୍ର ଧାତୁ। ଦେବଦେବୀଙ୍କ ପୂଜାରେ ଏହି ଧାତୁର ଏକ ବିଶେଷ ସ୍ଥାନ ଅଛି, ତେଣୁ ଜଗନ୍ନାଥ ରଥଯାତ୍ରା ପୂର୍ବରୁ କେବଳ ସୁନା ଝାଡୁ ବ୍ୟବହାର କରାଯାଏ ତାହା ନୁହେଁ ଏହା ସହିତ, ସୁନା ଗ୍ରହ ଗୁରୁ ସହିତ ମଧ୍ୟ ଜଡିତ, ଯାହା ସୁଖ, ସମୃଦ୍ଧି ଏବଂ ଜ୍ଞାନର କାରଣ। ଏପରି ଭାବରେ, ରଥଯାତ୍ରା ଆରମ୍ଭରେ ସୁନା ଝାଡୁରେ ସଫା କରିବା ଶୁଭ ପ୍ରମାଣିତ ହୁଏ ।
ତେବେ କାହିଁ କେବେଠୁ ଏହି ନୀତି ସଂପୂର୍ଣ୍ଣ କରାଯାଉଅଛି । ଏଥିସହିତ ପୁରୀ ଗଜପତି ମହାରାଜା ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟତୀତ ଦୋଳବେଦୀରେ, ସ୍ନାନବେଦୀରେ ଓ ଚାପଉପରେ ଛେରା ପହଁରା ସେବା କରନ୍ତି । ସେହି ସ୍ଥାନକୁ ସୁନା ପହଁରାରେ ଓଳେଇ ସଫା କରିଥାନ୍ତି । ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରାର ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା । ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ ।
ବିଭିନ୍ନ ପ୍ରାଚୀନ ଗ୍ରନ୍ଥ, କାବ୍ୟ ଇତ୍ୟାଦିରେ ଛେରା ପହଁରା ନୀତି ଯେଉଁ ଭାବରେ ବର୍ଣ୍ଣିତ ହୋଇଛି, ତାହା ଦୀର୍ଘ ଏକ ଶହ ବର୍ଷ ମଧ୍ୟରେ ସେପରି ଭାବରେ ଅନୁଷ୍ଠିତ ହେଉନଥିବା ଜଣାଯାଏ । କେତେକ ଐତିହାସିକ, ପ୍ରାବନ୍ଧିକ ଏବଂ ଗବେଷକମାନଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ଆଜକୁ ପ୍ରାୟ ୫୦୦ ବର୍ଷ ପୂର୍ବେ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ୍ଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ (ସାନ୍ତରା) କୁଞ୍ଜ ମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ ୧୪୫୬ ଶକାବ୍ଦରେ ଶ୍ରୀଚୈତନ୍ୟ ଚକଡା଼ ପୋଥି ରଚନା ଶେଷ କରି ତାହା ପ୍ରତାପରୁଦ୍ର ଦେବଙ୍କୁ ଅର୍ପଣ କରିଥିଲେ।
ଛେରା ଓ ପହଁରା ଦୁଇଟି ଶବ୍ଦର ସମ୍ମିଶ୍ରଣରେ ଛେରା ପହଁରାର ସୃଷ୍ଟି। ଛେରା ଶବ୍ଦର ଅର୍ଥ ତରତଳା, ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ। ପହଁରା ଶବ୍ଦର ଅର୍ଥ ଓଳାଇବା । ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ। ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୁଢ଼ ହେବାପରେ ଏବଂ ଅନ୍ୟାନ୍ୟ ନୀତି ଯଥା ମଦନମୋହନ, ରାମ, କୃଷ୍ଣ ବିଜେ , ସୋଲ, ଚିତା ଲାଗି ରୁନ୍ଧା ଇତ୍ୟାଦି ନୀତି ବଢିବା ପରେ ମୁଖ୍ୟ ବିଗ୍ରହଙ୍କ ମଇଲମ ଓ ମାଳଫୁଲ ଲାଗି ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ପୋଲିସ ଶ୍ରୀନଅର ନିକଟକୁ ଯାଇ ବିଧିବଦ୍ଧ ଭାବରେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥାନ୍ତି । ଖବର ପାଇ ଗଜପତି ମହାରାଜ ପାରମ୍ପାରିକ ପୋଷାକ ପରିଧାନ କରି ସମ୍ପୂର୍ଣ୍ଣ ରାଜକୀୟ ବେଶରେ ଆସିଥାନ୍ତି । ଉକ୍ତଦିନ ଛେରା ପହଁରା ନୀତି ସରିବା ଯାଏଁ ଗଜପତି ମହାରାଜା ଉପବାସ ରହିବା ସଙ୍ଗେ ସଙ୍ଗେ ଶ୍ରୀନଅରର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ଶ୍ରୀନଅର ଅଗଣାରେ ରଖାଯାଇଥିବା ହାତୀଦନ୍ତ ଓ ରୌପ୍ୟ ନିର୍ମିତ ତାମଯାନ (ମେହେନା)ରେ ବିଜେ କରିଥାନ୍ତି।
ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରନ୍ତି। ପ୍ରଥମେ ଗରାବଡୁ ସେବକଙ୍କଠାରୁ ହାତୁଆଣି (ରାଜାଙ୍କ ହାତକୁ ଉକ୍ତ ସେବକ ପାଣି ବଢାଇଥାନ୍ତି) ନେଇ ଗଜପତି ପୁଷ୍ପାଞ୍ଜଳି ପ୍ରଦାନ କରିଥାନ୍ତି। ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକପ ରାଜାଙ୍କ ହସ୍ତକୁ ବଢାଇଥାନ୍ତି । ରାଜା ଠାକୁରଙ୍କ ସମ୍ମୁଖରେ ଆରତି କରି ସୁନା ଚାମର ଆଲଟ ସେବା କରିଥାନ୍ତି। ତତ୍ପରେ ରଥ ଉପରେ ସିଂହାସନ ତଳକୁ ଓହ୍ଲାଇଥାନ୍ତି। ପୂର୍ବରୁ ଦୟଣାମାଳି ଦେଇଥିବା ଶୁକ୍ଳ ଫୁଲ ଭଣ୍ଡାର ମେକାପ ପୂଜା ପିଙ୍ଗଣରେ ଧରିଥାଏ। ଏହି ସମୟରେ ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡି଼କା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି । ଭଣ୍ଡାର ମେକପ ରଥର ଚାରି ପାଖରେ ବୁଲି ଶୁକ୍ଳ ଫୁଲ ଆଗରେ ପକାଉଥିବେ ଓ ଗଜପତି ମହାରାଜା ସୁନା ଖଡିକା ଧରି ରଥ ଚାରି ପାଖେ ପହଁରିଥାନ୍ତି । ଏହା ପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ପାଣିକୁ ରାଜଗୁରୁ ସଂସ୍କାର କରିବାପରେ ଭଣ୍ଡାର ମେକପ ଗଜପତିଙ୍କ ହସ୍ତକୁ ବଢାଇଥାନ୍ତି। ତତ୍ପରେ ଗଜପତି ଚନ୍ଦନପାଣି ରଥ ଚାରିପଟରେ ଛିଞ୍ଚିଥାନ୍ତି । ଏହି କ୍ରମରେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ସରିଥାଏ । ଛେରା ପହଁରା ନୀତି ସରିବା ପରେ ତାମଯାନରେ ଗଜପତି ମହାରାଜା ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି। ତେବେ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ତଥା ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଉକ୍ତ ସେବା ମୁଦିରଥ ସେବକ କରିଥାନ୍ତି।
Comments are closed.