Latest Odisha News

ଭିତିରି ରତ୍ନଭଣ୍ଡାର ତାଲାଚାବି ନେଇ କିଛି ଏମିତି କହିଲେ ମୁଖ୍ୟ ପ୍ରଶାସକ….

ପୁରୀ: ବହୁ ତର୍କବିତର୍କ ପରେ ଖୋଲିଛି ରତ୍ନଭଣ୍ଡାର । ଏହାର ପ୍ରାରମ୍ଭିକ ପଦକ୍ଷେପ ନିଆସରିବା ପରେ ଏବେ ଆସନ୍ତା ୧୮ରେ ଖୋଲିବ ଭିତିରି ରତ୍ନଭଣ୍ଡାର । ତେବେ ୧୪ ତାରିଖ ଦିନ ବାହାର ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଭିତର ରତ୍ନଭଣ୍ହାର ଖୋଲାନଯାଇପାରିବାରୁ ଏହାକୁ ଏସଓପି ଅନୁଯାୟୀ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ୧୧ ଜଣିଆ ଟିମ୍ । ତେବେ ଭିତର ରତ୍ନଭଣ୍ଡାର ଭଙ୍ଗାଯିବା ପରେ ଏହାର ତାଲା ଚାବିକୁ ନେଇ କି ପଦକ୍ଷେପ ନିଆଯାଇଛି ସେନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଏନେଇ ମୁଖ୍ୟ ପ୍ରଶାସକ କହିଛନ୍ତି, ବାହାର ରତ୍ନଭଣ୍ଡାରର ୩ଟି ତାଲା ସେଦିନ ନିର୍ଦ୍ଧାରିତ ଚାବିରେ ଖୋଲିଥିଲା। ଏହାପରେ ବାହାର ରତ୍ନଭଣ୍ଡାର ତାଲା ଫିଟି ସମସ୍ତ ଅଳଙ୍କାର ସ୍ଥାନାନ୍ତରିତ କରାଯାଇ ଭିତର ରତ୍ନଭଣ୍ଡାର ଦେଖିଥିଲୁ। ତେବେ ଭିତର ରତ୍ନଭଣ୍ଡାର ଚାବି ନଖୋଲିବାରୁ ଏହାକୁ ଭଙ୍ଗା ଯାଇଥିଲା । ମୋଟ ତିନୋଟି ତାଲା ଭାଙ୍ଗି ଭିତରକୁ ପ୍ରବେଶ କରାଯାଇଥିଲା ।

ହେଲେ ୩ଟି ତାଲା ଭଙ୍ଗାଯାଇଥିଲେ ବି ୨ଟି ନୂଆ ତାଲା ପକାଇବା ସମ୍ଭବ ହୋଇଥିଲା। ୨ଟି ନୂଆ ତାଲାର ଚାବି ଓ ଭଙ୍ଗାଯାଇଥିବା ତାଲା ଜିଲ୍ଲାପାଳଙ୍କ ଯୋଗେ ଟ୍ରେଜେରୀରେ ଜିମା ଦିଆଯାଇଛି। ଗୁରୁବାର ଟ୍ରେଜେରୀରୁ ନୂଆ ତାଲାର ଚାବି ଆଣି ଆଉଥରେ ରତ୍ନଭଣ୍ଡାର ଖୋଲାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ସେ ଆହୁରି ମଧ୍ୟ କହିଛନ୍ତି, ଭିତର ଭଣ୍ଡାରରେ କାନ୍ଥକୁ ଲାଗି ସିନ୍ଦୁକ, ଆଲମାରୀ ରହିଥିଲା। ସମୟ ଅଭାବରୁ ରବିବାର ଆମେ ସିନ୍ଦୁକ, ଆଲମାରୀ ଖୋଲାଯାଇପାରି ନଥିଲା। ପରବର୍ତ୍ତୀ ସମୟରେ ଖୋଲିବାକୁ ନିଷ୍ପତ୍ତି ନେଇ ନୂଆ ତାଲା ପକାଇ ସିଲ କରିଥିଲୁ। ପ୍ରଥମେ ରତ୍ନଭଣ୍ଡାରରେ ଥିବା ଗହଣା ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ଫୁଲ ଘର ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଛି । ତେବେ ଭିତରି ରତ୍ନଭଣ୍ଡାର ପାଇଁ ଖଟଶେଯ ଘରକୁ ଅସ୍ଥାୟୀ ରତ୍ନଭଣ୍ଡାର ଭାବେ ନିର୍ଦ୍ଧାରିତ କରାଯାଇଛି ।  ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପରେ ମୂଳ ରତ୍ନଭଣ୍ଡାର ମରାମତି ହେବ। ଏଏସଆଇ ଦ୍ବାରା ମରାମତି କାର୍ଯ୍ୟ ସରିବା ପରେ ଗଣତି, ମଣତି ହେବ।

ତେବେ ଆସନ୍ତା ୧୮ ତାରିଖ ଗୁରୁବାର ପୁଣି ଖୋଲାଯିବ ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ମଙ୍ଗଳବାର ସୂଚନା ଦେଇ କହିଛନ୍ତି, ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ। ଏହି ସୟମରେ ପ୍ରାୟ ସକାଳ ୮ଟା ବେଳକୁ ମନ୍ଦିର ପ୍ରବେଶ କଟକଣା କରାଯିବ। ସେହି ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ କଟକଣା ରହିବ।

Comments are closed.