Latest Odisha News

BREAKING NEWS

ମୋବାଇଲରେ ହେବ ଜଳସେଚନ ସମସ୍ୟା ସମାଧାନ; ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୋବାଇଲ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀ ଜଳସେଚନ ସମସ୍ୟା ସଂପର୍କରେ ସିଧାସଳଖ ଜଣାଇ ପାରିବେ ଜଳସଂପଦ ବିଭାଗକୁ।

ସୂଚନା ଅନୁଯାୟୀ ଜଳସେଚନ ସମସ୍ୟା ପାଇଁ ଚାଷ କାମ ଛାଡି ଆଉ ଚାଷୀକୁ ଅଫିସକୁ ଦୌଡିବାକୁ ଦରକାର ହେବ ନାହିଁ । ଅନ୍‌ଲାଇନ ଅଭିଯୋଗ ପରାଚାଳନା ବ୍ୟବସ୍ଥା ‘ସେଚ ସମାଧାନ’ ଚାଷୀ ଭାଇ ମାନଙ୍କ ପାଇଁ ଏହି ସୁଯୋଗ ଆଣିଛି।

‘ସେଚ ସମାଧାନ’ ସହିତ ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା, ଶିଳ୍ପସଂସ୍ଥା ମାନଙ୍କ ପାଇଁ ଜଳ ଆବଣ୍ଟନ ଆବେଦନ ପକ୍ରିୟା ଏବଂ ବ୍ୟବସାୟିକ ଓ ଅନ୍ୟ ସଂସ୍ଥା ପାଇଁ ଆବେଦନ ପୋର୍ଟାଲ ଏହିପରି ୪ଟି ଗୋଟି ଅନ୍‌ଲାଇନ ସେବା ବ୍ୟବସ୍ଥାର ଶୁଭାରମ୍ଭ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସଂପାଦିତ ହୋଇଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଚାଷୀମାନେ ହେଉଛନ୍ତି ଜଳସଂପଦ ବିଭାଗର ସର୍ବବୃହତ ହିତାଧିକାରୀ। ତେଣୁ ଏହି ଅନ୍‌ଲାଇନ ସେବା ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ଦିଗରେ ବିଶେଷ ସହାୟକ ହେବା ସହିତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ବାରା ବିଭାଗକୁ ଅଧିକ ଉତ୍ତରଦାୟୀ ଓ ସ୍ବଚ୍ଛ ସେବା ପ୍ରଦାନରେ ସହାୟକ ହେବ।

ଏହାସହିତ ବିଜୁ କୃଷକ ଯୋଜନାର ଆବେଦନ ପ୍ରକ୍ରିୟାକୁ ମଂଜୁର କରିବାରେ ମଧ୍ୟ ସମୟୋଚିତ ପଦକ୍ଷେପ ନିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ପାଇଁ କରାଯାଇଥିବା ଅନ୍ ଲାଇନ ସେବା ମଧ୍ୟ ସେମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିବା ସହିତ ଲୋକଙ୍କୁ ନିଜ ଘର ପାଖରେ ସରକାରୀ ସେବା ଯୋଗାଇବା ପାଇଁ ଥିବା ଲକ୍ଷ୍ୟ ପୂରଣରେ ଏହା ସହାୟକ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।

ଏହି ଅବସରରେ ଜଳସଂପଦ ବିଭାଗ ପକ୍ଷରୁ ଅନ୍ୟତମ ୫-ଟି ଲକ୍ଷ୍ୟ ଡିଜିଟାଲ ମଷ୍ଟର ରୋଲ୍ ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ବିଭାଗର ପ୍ରମୁଖ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଉପସ୍ଥିତ ରହିଥିଲେ।

ଆଜି ଲୋକାର୍ପିତ ଅନ୍ ଲାଇନ ଅଭିଯୋଗ ପରିଚାଳନା ବ୍ୟବସ୍ଥା ‘ସେଚ ସମାଧାନ’ ଏକ ଦ୍ବିଭାଷୀୟ ମୋବାଇଲ ଆପ୍। ଏହି ପଦ୍ଧତିରେ ଚାଷୀ ଜଳସଂପଦ ବିଭାଗ ଅଫିସକୁ ନ ଆସି ତାଙ୍କ ଅଭିଯୋଗ ଫଟୋ ବା ଭିଡିଓ ମୋବାଇଲ ଜରିଆରେ ପଠାଇଲେ, ତାଙ୍କୁ ଅଭିଯୋଗର ସ୍ଥିତି ସଂପର୍କରେ ଏସଏମଏସ ଜରିଆରେ ସୂଚନା ଦିଆଯିବ ଏବଂ ସମସ୍ୟାର ସମାଧାନ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇପାରିବ।

ସେହିପରି ବିଜୁ କୃଷକ ବିକାଶ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ହୋଇଥିବା ଅନ୍ ଲାଇନ୍ ଆବେଦନ ପ୍ରକ୍ରିୟା ଦ୍ବାରା ଚାଷୀମାନେ ସରକାରୀ ଅଫିନ ନ ଆସି, ନିଜ ମୋବାଇଲ ଫୋନ୍‌, କମ୍ପୁଟର କିମ୍ବା ଜନସେବା କେନ୍ଦ୍ରରୁ ଆବେଦନ କରିପାରିବେ।

ସେହିପରି ଶିଳ୍ପ କ୍ଷେତ୍ରକୁ ଜଳ ଆବଣ୍ଟନ ପାଇଁ ଜଳସଂପଦ ବିଭାଗ ତରଫରୁ Go Swift ପୋର୍ଟାଲକୁ ବିକଶିତ କରାଯାଇଛି। ଏହା ଜରିଆରେ ସେମାନେ ଅନ୍ ଲାଇନ ଆବେଦନ କରିପାରିବେ। ବାଣିଜ୍ୟିକ ଓ ଅନ୍ୟ ସଂସ୍ଥା ପାଇଁ ଜଳ ଆବେଣ୍ଟନ ପାଇଁ ମଧ୍ୟ ଜଳସଂପଦ ବିଭାଗ ତରଫରୁ ଅନ୍‌ଲାଇନ ପୋର୍ଟାଲ water allocationod.nic.in ବିକଶିତ କରାଯାଇଛି ।

ଏହି ପୋର୍ଟାଲ ଜରିଆରେ ଆବେଦନକରୀ ମାନଙ୍କୁ ଜଳର ଆବଣ୍ଟନ, ପରିମାଣ ହ୍ରାସ ବୃଦ୍ଧି ଇତ୍ୟାଦି ବିଷୟରେ ବିଭାଗ ତରଫରୁ ଅବଗତ କରାଯାଇପାରିବ ।

Leave A Reply

Your email address will not be published.