କଟକ: କଟକ ବାରବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି । ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୌରବମୟ ୭୭ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଆଜି ଆମେ ଇତିହାସକୁ ଗର୍ବର ସହ କାନ୍ଧରେ ବୋହି ଚାଲିଆସିଥିବା, ରୂପେଲି ନଗର କଟକର ବିଶାଳ ହୃଦୟ ଉପରେ ଠିଆ ହୋଇଛୁ । କଟକ କେବଳ ଏକ ପୁରାତନ ସହରର ନାଁ ନୁହେଁ, ଏହା ଆମ ଉତ୍କଳୀୟ ସଂସ୍କୃତି ଓ ସାମାଜିକ ପ୍ରତିବଦ୍ଧତାର ପ୍ରତୀକ । କଟକର ଏହି ଗରିମାମୟ ମାଟିର ବାରବାଟୀ ଷ୍ଟାଡିୟମରେ ଆମେ ଆଜି ଆମ ପବିତ୍ର ସମ୍ବିଧାନର ଅସୀମ ଶକ୍ତି ଓ ଦୃଢ଼ତାଭରା ସମୟକୁ ଉତ୍ସାହ ଓ ଆବେଗର ସହ ପାଳନ କରୁଛୁ ।
ଆମ ସମ୍ବିଧାନ ଆମକୁ ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ଭାତୃଭାବର ମହାନ ଭାବରେ ବାନ୍ଧି ରଖିଛି । ଏହା ହିଁ ଭାରତବାସୀଙ୍କ ପାଇଁ ବିଶ୍ୱରେ ନିଆରା ପରିଚୟ ସୃଷ୍ଟି କରିଛି । ବ୍ରିଟିଶ ଶାସନରୁ ମୁକ୍ତକରି ଏକ ସ୍ଵାଧୀନ ଦେଶରେ ଭାରତୀୟଙ୍କୁ ନିଜ ଇଚ୍ଛାରେ ନିଃଶ୍ଵାସ ପ୍ରଶ୍ବାସ ନେବାକୁ ସୁଯୋଗ ଦେଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ବୀର୍ ସାବରକର୍, ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଓ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ପରି ମହାପୁରୁଷମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଦେଶର ସ୍ବାଧୀନତା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆମ ରାଜ୍ୟର ଅନେକ ବରପୁତ୍ର ତ୍ୟାଗ ଓ ବଳିଦାନର ନିଦର୍ଶନ ସାଜି ଆମ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଛନ୍ତି । ବୀର ସୁରେନ୍ଦ୍ର ସାଏ, ଶହୀଦ ମାଧୋ ସିଂ, ବକ୍ସି ଜଗବନ୍ଧୁ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଭଗବାନ ବିର୍ସା ମୁଣ୍ଡା, ଶହୀଦ୍ ଲକ୍ଷ୍ମଣ ନାୟକ, ମା’ ରମାଦେବୀ, ଶହୀଦ୍ ବାଜି ରାଉତ, ମାଳତୀ ଚୌଧୁରୀ, ମା ପାର୍ବତୀ ଗିରି ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ପରି ମହାନ ସଂଗ୍ରାମୀମାନଙ୍କ ପ୍ରତି ଏହି ଅବସରରେ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଅଗଷ୍ଟ ୧୫, ୧୯୪୭ ମସିହାରେ ପରାଧୀନତାର ଜଞ୍ଜିରରୁ ମୁକ୍ତ ହୋଇ ଭାରତମାତାକୁ ମିଳିଥିଲା ସ୍ଵାଧୀନତା । କିନ୍ତୁ, ସେଇ ସଂଗ୍ରାମ ସେଇଠି ସମାପ୍ତ ହୋଇ ନ ଥିଲା । ବରଂ ସ୍ଵାଧୀନତା ପରେ ଦୁଇଟି ବଡ ଆହ୍ଵାନର ସମ୍ମୁଖୀନ ହୋଇଥିଲା ଆମ ଦେଶ । ପ୍ରଥମଟି, ଦେଶର ବିଭାଜନର ବିଭୀଷିକା ଏବଂ ଦ୍ଵିତୀୟଟି, ଦେଶକୁ ବିଧି ବ୍ୟବସ୍ଥା ମଧ୍ୟରେ ଶାସନ କରିବା ପାଇଁ ଏକ ସମ୍ବିଧାନ ପ୍ରସ୍ତୁତ କରିବା । ଏହି ସବୁ ଆହ୍ଵାନ ମଧ୍ୟରେ ସେ ସମୟର ବିଦ୍ଵାନ ଓ ବିଶେଷଜ୍ଞଗଣ ଭାରତକୁ ଏକ ସଶକ୍ତ ରାଷ୍ଟ୍ରରେ ପରିଣତ କରିବା ପାଇଁ, ଏକ ମନ ଏକ ପ୍ରାଣରେ ଏକ ଲିଖିତ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ ।
ଯଦିଓ ଏହା ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନ ସଭାରେ ଗୃହିତ ହୋଇଥିଲା, କିନ୍ତୁ ୧୯୫୦ ମସିହା ଆଜିର ଦିନରେ ସାରା ଦେଶରେ କାର୍ଯ୍ୟକାରୀ ହେଲା, ଏବଂ ସେହିଦିନ ଆମ ଦେଶ ଭାରତ ଏକ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର ଭାବେ ପ୍ରତିଷ୍ଠିତ ହୋଇଥିଲା ।
ବିଶ୍ଵର ସବୁଠାରୁ ଦୀର୍ଘ ଲିଖିତ ସମ୍ବିଧାନ ଆମର ବର୍ତ୍ତମାନ ଓ ଭବିଷ୍ୟତର ମାର୍ଗଦର୍ଶକ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ଯେକ ଭାରତୀୟଙ୍କ ପାଇଁ ଏହା ଜୀବନର ମାନଦଣ୍ଡ । ଏହା କେବଳ ଏକ ବିଧି ବ୍ୟବସ୍ଥା କି ଲିଖିତ ସମ୍ପତ୍ତି ନୁହେଁ ବରଂ ଏହା ପ୍ରତ୍ଯେକ ଭାରତୀୟଙ୍କ ହୃଦୟର ସ୍ପନ୍ଦନ । ଏହା ଆମ ପାଇଁ ଧର୍ମ, କର୍ମ ଓ ଜୀବନ ଯାପନର ଦର୍ପଣ ।
ଦେଶ ପାଇଁ ଏହାକୁ ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ଭାରତରତ୍ନ ଡକ୍ଟର ବାବା ସାହେବ ଆମ୍ବେଦକର, ତେଣୁ ତାଙ୍କୁ ସମ୍ବିଧାନର ଜନକ ଭାବେ ଅବିହିତ କରାଯାଏ। ଆଜି ଏହି ପବିତ୍ର ଅବସରରେ ମୁଁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଆମ ସମ୍ବିଧାନର ବିଶେଷତ୍ୱ ହେଉଛି, ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସବୁ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ । ସମ୍ବିଧାନ ଆମକୁ କେତେକ ମୌଳିକ ଅଧିକାର ଦେଇଛି, ଆଉ ମୌଳିକ କର୍ତ୍ତବ୍ୟ ମଧ୍ୟ ଦେଇଛି । ଆମର ମୌଳିକ ଅଧିକାରର ସୁରକ୍ଷା ପାଇଁ ଆମେ ଯେପରି ସଚେତନ ରହିଛୁ, ଠିକ୍ ସେହିପରି ଆମେ ଆମର ମୌଳିକ କର୍ତ୍ତବ୍ୟ ଗୁଡିକର ଅନୁପାଳନ କରିବା ପାଇଁ ମଧ୍ୟ ସଚେତନ ରହିବା ଅତ୍ୟନ୍ତ ଜରୁରୀ । ତା’ହେଲେ, ଆମେ ଏକ ଆଦର୍ଶ ଗଣତାନ୍ତ୍ରିକ ସମାଜ ଓ ଆଦର୍ଶ ରାଷ୍ଟ୍ର ଗଠନ କରିପାରିବା।
ଆଜି ସ୍ଵାଧୀନତାର ୭୮ ବର୍ଷ ବିତି ଯାଇଥିଲେ ମଧ୍ୟ ଆମ ଦେଶ ନୀରବଚ୍ଛିନ୍ନ ଭାବେ ଗଣତାନ୍ତ୍ରିକ ପଦ୍ଧତ୍ତିରେ ଶାସିତ ହେଉଛି। ଯଦି ଆମେ ୧୯୭୦ ଦଶକର ମଧ୍ୟଭାଗର ପ୍ରାୟ ଅଢେଇ ବର୍ଷକୁ ବାଦ୍ ଦେବା, ଯାହାକୁ ଆମେ ଗଣତାନ୍ତ୍ରିକ କଳା ଅଧ୍ୟାୟ ଭାବେ ଅବିହିତ କରି ପାରିବା, ଆମ ଦେଶ ଗଣତାନ୍ତ୍ରିକ ପରମ୍ପରାରେ ଆଗେଇ ଚାଲିଛି । ମୋଟାମୋଟି ଭାବେ କହିବାକୁ ଗଲେ, ଭାରତୀୟ ସମ୍ବିଧାନ ଦେଶର ପ୍ରତ୍ଯେକ ନାଗରିକଙ୍କ ସୁରକ୍ଷା କବଚ ସାଜିବା ସହିତ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିଥାଏ।
ଭାରତୀୟ ସମ୍ବିଧାନର ଏହି ଅବଦାନକୁ ଦେଶବାସୀଙ୍କୁ ଅବଗତ କରାଇବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସମ୍ୱିଧାନର ପ୍ରଣେତା ଆମ୍ୱେଦକରଙ୍କ ୧୨୫ତମ ଜୟନ୍ତୀ ଅବସରରେ ୨୦୧୫ ମସିହାରୁ ସରକାରୀ ସ୍ତରରେ ନଭେମ୍ବର ୨୬ ତାରିଖକୁ ସମ୍ୱିଧାନ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ ।
ଆପଣ ମାନଙ୍କର ମନେ ଥିବ, ଯେତେବେଳେ ମାନନୀୟ ମୋଦୀ ଜୀ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ, ସଂସଦର ପାହାଚରେ ମୁଣ୍ଡିଆ ମାରି ଏବଂ ସମ୍ବିଧାନକୁ ପ୍ରଣିପାତ କରି ପ୍ରବେଶ କରିଥିଲେ । ବିଗତ ଏଗାର ବର୍ଷ ମଧ୍ୟରେ ତାଙ୍କ ନେତୃତ୍ଵରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ଏବଂ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକରୁଛି ।
ଆମେ ୧୯୪୭ ମସିହାରେ ସ୍ଵାଧୀନତା ହାସଲ କଲୁ। ଏହା ଆଧୁନିକ ଭାରତ ଇତିହାସରେ ସବୁଠାରୁ ବଡ ଘଟଣା । କିନ୍ତୁ, ସ୍ଵାଧୀନତାର ମାନେ କ’ଣ କେବଳ ବ୍ରିଟିଶ ସରକାରଙ୍କ ଠାରୁ ଭାରତୀୟଙ୍କ ପାଖକୁ କ୍ଷମତା ହସ୍ତାନ୍ତର ହେବା? ଦେଶବାସୀଙ୍କ ରାଜନୈତିକ, ସାମାଜିକ, ଅର୍ଥନୈତିକ ସ୍ଵାଧିନତାର କ’ଣ କିଛି ଅର୍ଥ ନାହିଁ? ଆମ ସାଂସ୍କୃତିକ, ଧର୍ମୀୟ ଓ ପରମ୍ପରାଗତ ସ୍ଵାଧୀନତାର କ’ଣ କିଛି ମହତ୍ଵ ନାହିଁ? ସ୍ଵାଧୀନତା ପରେ ବି ଗୋଲାମିର ମାନସିକତାରେ ପରିବର୍ତ୍ତନ ବିନା, କ’ଣ ପ୍ରକୃତ ସ୍ଵାଧୀନତାର ମୂଲ୍ୟ କିଛି ଅଛି ? ଅନେକ ସମୀକ୍ଷକ, ଇତିହାସକାରଙ୍କ ମତରେ ଦେଶ ପ୍ରଥମ ସାଢେ ଛ’ ଦଶନ୍ଧିରେ ଯେତେ ବିକାଶ କରିବା କଥା, ସେତେ ହୋଇ ପାରି ନଥିଲା।
୧୯୮୦ ମସିହା ପର୍ଯ୍ୟନ୍ତ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଏତେ କମ ରହୁଥିଲା ଯେ ପାଶ୍ଚାତ୍ୟ ଅର୍ଥଶାସ୍ତ୍ରୀମାନେ ତାତ୍ସଲ୍ୟ କରି ଭାରତର ଅଭିବୃଦ୍ଧିକୁ ‘ହିନ୍ଦୁ ଅଭିବୃଦ୍ଧି ହାର’ କହୁଥିଲେ। କିନ୍ତୁ, ୨୦୧୪ ପରେ ଏହି ମାନସିକତାରେ ଅଭୁତପୂର୍ବ ପରିବର୍ତ୍ତନ ଆସିଛି। ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ନେତୃତ୍ଵରେ ଦେଶ ଏକ ନୂତନ ବିକାଶର ମାର୍ଗରେ ଚାଲିବା ଆରମ୍ଭ କରିଛି ।
ଆଜି ମୋଦୀ ଜୀ ଦେଶର ଅର୍ଥନୀତିକୁ ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ କରିଛନ୍ତି, ଯାହା ଆସନ୍ତା କିଛି ବର୍ଷ ମଧ୍ୟରେ ବିଶ୍ଵର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ମୋଦୀଜୀଙ୍କ ଅନେକ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁ ଦେଶ ଆଜି ନୂଆ ନୂଆ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ‘ମେକ୍-ଇନ-ଇଣ୍ଡିଆ’ କାର୍ଯ୍ୟକ୍ରମ ଆଜି ଭାରତକୁ ଆତ୍ମନିର୍ଭର ରାସ୍ତାରେ ଆଗକୁ ନେଉଛି । ‘ଚିପ୍ ରୁ ସିପ୍’ ପର୍ଯ୍ୟନ୍ତ ମାନୁଫାକଚରିଂ ର ସମସ୍ତ ସ୍ତରରେ ଭାରତ ସଫଳତା ହାସଲ କରିବା ଆରମ୍ଭ କରିଛି ।
ଭାରତର ସାମୁଦ୍ରିକ ବାଣିଜ୍ୟର ଗୌରବକୁ ପୁନରୁଦ୍ଧାର କରିବା ଓ ‘Blue Economy’ର ଅଭିବୃଦ୍ଧି ପାଇଁ ମୋଦୀଜୀ ‘ସମୁଦ୍ର ସେ ସମୃଦ୍ଧି’ର ପରିକଳ୍ପନା କରିଛନ୍ତି ।
ଯେପରିକି ସ୍ଵଚ୍ଛ ଭାରତ ଅଭିଯାନ, ଉଜ୍ଜ୍ଵଳା ଯୋଜନା, ଜନଧନ ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନ ମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜିଏସଟି, ମେକ ଇନ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, କିଶାନ ସମ୍ମାନ ନିଧି, ଡିଜିଟାଲ ଇଣ୍ଡିଆ, ନୂତନ ଶିକ୍ଷାନୀତି-୨୦୨୦ ଇତ୍ୟାଦି।
ଏହି ସବୁ ଯୋଜନାର ଫଳ ସ୍ୱରୂପ ମୋଦୀଜୀଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତର ପ୍ରାୟ ୨୫ କୋଟି ଲୋକ ବହୁମୂଖୀ ଦାରିଦ୍ର୍ୟର ଉପରକୁ ଉଠିପାରିଛନ୍ତି।
ମୋଦୀଜୀଙ୍କ ନେତୃତ୍ୱରେ ଗତ ଦଶକ ଭାରତ ବର୍ଷର କାୟାକଳ୍ପର ଦଶକ ହୋଇପାରିଛି । ଏମିତି ଆଉ ଗୋଟିଏ ମହତ୍ବପୂର୍ଣ୍ଣ ଯୋଜନା ହେଉଛି ‘ବିକଶିତ ଭାରତ ଜୀ-ରାମ-ଜୀ ଯୋଜନା’, ଯାହା ଗ୍ରାମାଞ୍ଚଳରେ ୧୨୫ ଦିନ କର୍ମ ସଂସ୍ଥାନ ନିଶ୍ଚିତ କରିବା ସହିତ ଭିତ୍ତିଭୂମି ନିର୍ମାଣରେ ମଧ୍ୟ ସାହାଯ୍ୟ କରିବ।
ସ୍ଵାଧୀନତା ପରେ ଆଜି ସୁଦ୍ଧା, ଭାରତ ଉଭୟ ଦେଶ ଭିତରୁ ଏବଂ ବାହାରୁ ସୁରକ୍ଷାକୁ ନେଇ ଆହ୍ଵାନର ସମ୍ମୁଖୀନ ହୋଇଛି। ପଡୋଶୀ ଦେଶ ବିରୁଦ୍ଧରେ ଚାରି ଚାରିଟି ଯୁଦ୍ଧ ବି ଲଢିଛି । କିନ୍ତୁ, ୧୯୯୦ ଦଶକ ପରେ ଭାରତ ପଡୋଶୀ ଦେଶ ପାକିସ୍ତାନରୁ ଆତଙ୍କବାଦର ଶିକାର ହୋଇ ଆସିଛି। ହଜାର ହଜାର ନିରୀହ ସାଧାରଣ ଜନତା ଏବଂ ସୁରକ୍ଷା କର୍ମୀ ଏହି ଆତଙ୍କବାଦ ଯୋଗୁଁ ନିହତ ହୋଇଥିଲେ । ବୋଧହୁଏ ସବୁଠାରୁ ଭୟଙ୍କର ଥିଲା ମୁମ୍ବାଇ ‘ଛବିଶ-ଏଗାର’ର ଭୟଙ୍କର ଆକ୍ରମଣ। କିନ୍ତୁ, ଏହି ଆକ୍ରମଣ ପରେ ପାକିସ୍ତାନକୁ ଉଚିତ ଜବାବ ଦିଆଯାଇ ପାରି ନ ଥିଲା।
ଏଥିରେ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ଥିଲା ବୋଲି ମୋର ମନେ ହୁଏ । କିନ୍ତୁ, ମାନନୀୟ ମୋଦୀ ଜୀଙ୍କ ନୂତନ ସୁରକ୍ଷା ଡକ୍ଟ୍ରିନ୍ ‘ଘର୍ ମେଁ ଘୁସ୍ କେ ମାରେଙ୍ଗେ’, ସେହିସବୁ ବିଦେଶୀ ଆତଙ୍କବାଦୀଙ୍କୁ ନିପାତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଉରି, ବାଲାକୋଟ ପରେ ‘ଅପରେସନ ସିନ୍ଦୁର’ ମାଧ୍ୟମରେ ଆତଙ୍କବାଦୀ ଏବଂ ତାଙ୍କର ସଂରକ୍ଷକଙ୍କୁ ନିପାତ କରି ପଡୋଶୀ ରାଷ୍ଟ୍ରକୁ ଏକ ବାର୍ତ୍ତା ଦେଇଛନ୍ତି ମାନନୀୟ ମୋଦୀ ଜୀ । ‘ସୁଧୁରି ଯାଅ, ନ ହେଲେ ଭାରତ ଯଦି ସୁଧାରିବାକୁ ମନସ୍ଥ କରିବ, ଅବସ୍ଥା ଅସମ୍ଭାଳ ହୋଇଯିବ’। ଏହା ସାରା ବିଶ୍ବରେ ତାଙ୍କୁ କେବଳ ଜଣେ ବଳିଷ୍ଠ ରାଷ୍ଟ୍ର ନୀତିଜ୍ଞ ନୁହେଁ ବରଂ ଦେଶର ସୁରକ୍ଷା ପାଇଁ ସଚେତନ ଥିବା ଜଣେ ଜନନେତା ରୂପେ ସ୍ୱୀକୃତି ଦେଇଥିଲା । ଅପରେସନ ସିନ୍ଦୁର ମାଧ୍ୟମରେ ସାରା ବିଶ୍ଵ ଦେଖିଲା ସ୍ଵଦେଶୀ ନିର୍ମିତ ଅସ୍ତ୍ରର ଶକ୍ତି, ଭାରତୀୟ ସେନାଙ୍କ ପରାକ୍ରମ ଏବଂ ରାଜନୈତିକ ଇଚ୍ଛା ଶକ୍ତିର ମହତ୍ଵ।
ରାଜ୍ୟବାସୀଙ୍କ ଭଲପାଇବା ତଥା ଅସୀମ ଆଶୀର୍ବାଦକୁ ପାଥେୟକରି ସାଧାରଣ ଜନତାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମ ସରକାର ଅନବରତ ଭାବେ କାର୍ଯ୍ୟକରୁଛି । ଆମର ଲକ୍ଷ୍ୟ ହେଉଛି ଆସନ୍ତା ଦଶ ବର୍ଷ ମଧ୍ୟରେ ସମୃଦ୍ଧ ଓଡିଶା ଗଠନ କରିବା। ଯେତେବେଳେ ୨୦୩୬ ମସିହାରେ ଆମେ ସ୍ଵତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବା, ଆମ ରାଜ୍ୟ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିବ।
ଏହି ସ୍ଵପ୍ନକୁ ପୂରଣ କରିବା ପାଇଁ ରାଜ୍ୟର ପ୍ରତ୍ଯେକ ନାଗରିକ, ପ୍ରତ୍ଯେକ ଅଞ୍ଚଳ, ପ୍ରତ୍ଯେକ ଜିଲ୍ଲା ସମୃଦ୍ଧ ହେବା ଉଚିତ। ଅନ୍ଯଥା, ଏହି ପରିକଳ୍ପନାକୁ ସାକାର କରି ହେବ ନାହିଁ। ଏଥିପାଇଁ ଆମ ସରକାର ମାନନୀୟ ମୋଦୀ ଜୀଙ୍କର ମନ୍ତ୍ର, ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ବାସ ଓ ସବ୍କା ପ୍ରୟାସ’ ମନ୍ତ୍ରରେ ଉଦବୁଦ୍ଧ ହୋଇ କାର୍ଯ୍ୟ କରୁଛି ।
ବର୍ତ୍ତମାନ, ସମାଜରେ ଏକ ଦ୍ରୁତ ପରିବର୍ତ୍ତନଶୀଳ ବାତାବରଣ ସୃଷ୍ଟି ହୋଇଛି। କ୍ଷୀପ୍ର ଗତିରେ ଟେକ୍ନୋଲୋଜି ବଦଳୁଛି। ଏଥି ସହିତ ତାଳ ଦେଇ ନ ଚାଲିଲେ, ଆମେ ପଛରେ ପଡିଯିବା। ତେଣୁ, ନୂତନ ବୈଷୟିକ ଜ୍ଞାନ କୌଶଳକୁ ଆଦୃତ କରି ରାଜ୍ୟକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଆମେ କାର୍ଯ୍ୟ କରୁଛୁ। ଆମ ବିକାଶ ମଡେଲରେ ରହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରେଖାଙ୍କିତ କରାଯାଇଥିବା ଚାରି ବର୍ଗ, ଯେପରିକି ଗରିବ, ଅନ୍ନଦାତା, ଯୁବ ଏବଂ ମହିଳାଙ୍କ ପ୍ରତି ବିଶେଷ ଧ୍ୟାନ ରଖିବା ।
ଓଡ଼ିଶା ଏକ ଜନମଙ୍ଗଳକାରୀ ରାଜ୍ୟ। ତେଣୁ ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ସୁବିଧା ଯେପରିକି ବିଜୁଳି, ପାଣି ଓ ସଡକ ପରି ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର, ଲୋକଙ୍କ ସରକାର, ଆପଣଙ୍କ ସରକାର ବିଭିନ୍ନ ଯୋଜନା କରିଛନ୍ତି।
ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାଥମିକ ତଥା ଉଚ୍ଚ ଶିକ୍ଷାର ସ୍ୱରୂପ ସଂପୂର୍ଣ୍ଣଭାବେ ବଦଳିବାକୁ ଯାଉଛି। ଏଇ କିଛି ଦିନ ପୂର୍ବେ ବାଣପୁର ଠାରେ ମା’ ଭଗବତୀଙ୍କ ଆଶୀର୍ବାଦ ନେଇ ମୁଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲି। ଏହି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆସନ୍ତା ଦିନରେ ଦେଶରେ ଏକ ମଡେଲ ହେବାକୁ ଯାଉଛି।
ବିଶ୍ଵସ୍ତରୀୟ ଭିତ୍ତିଭୂମି ସହିତ ପ୍ରଶିକ୍ଷିତ ଶିକ୍ଷକ ଓ ବିଦ୍ୟାର୍ଥୀଙ୍କ ମୂଳଦୁଆକୁ ଶକ୍ତିଶାଳୀ ଭାବେ ଗଢିବେ, ଯାହାଦ୍ୱାରା ଗାଁ ସ୍କୁଲରେ ପଢିଥିବା ପିଲା ଟି, ସହରର ପିଲା ସହିତ ସମାନ ଭାବେ ପ୍ରତିଯୋଗିତା କରି ପାରିବ।
ଏତଦ୍ ବ୍ଯତୀତ ଆମ ରାଜ୍ୟରେ ନୂତନ ଶିକ୍ଷାନୀତି-୨୦୨୦ ଯାହା ଶୁଦ୍ଧ ରାଜନୈତିକ କାରଣରୁ ଲାଗୁ କରାଯାଇ ନ ଥିଲା, ବର୍ତ୍ତମାନ କାର୍ଯ୍ୟକାରୀ ହୋଇ ସାରିଛି। ଆମ ସରକାର ଦେଶର ହାତଗଣତି କିଛି ରାଜ୍ୟ ମଧ୍ୟରେ ଅନ୍ଯତମ, ଯେଉଁମାନେ ମୋଟ ବଜେଟର ୧୪ ପ୍ରତିଶତରୁ ଅଧିକ ଖର୍ଚ୍ଚ କରୁଛନ୍ତି।
ଏଥିରୁ ଆପଣମାନେ ଜାଣିପାରୁଥିବେ, ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା। ରଙ୍ଗମରା ବିଦ୍ୟାଳୟ ନୁହେଁ, ପ୍ରକୃତ ବିଶ୍ଵସ୍ତରୀୟ ଭିତ୍ତିଭୂମି ସମ୍ପନ୍ନ ବିଦ୍ୟାଳୟ ନିର୍ମାଣ ହେଉଛି।
ମାନନୀୟ ମୋଦୀ ଜୀଙ୍କର ଆଉ ଗୋଟିଏ ଜନ ମଙ୍ଗଳକାରୀ ଯୋଜନା ରାଜନୀତିର ଶିକାର ହୋଇଥିଲା, ଆୟୁଷ୍ମାନ ଭାରତ ଯୋଜନା । ଆମ ସରକାର ଆସିବା ପରେ ଏହି ଯୋଜନାକୁ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଭାବେ ପ୍ରଣୟନ କରିଛନ୍ତି। ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ପ୍ରଣୟନ ହୋଇଛି।
ଆଜି ଆମ ରାଜ୍ୟରେ ଆୟୁଷ୍ମାନ ଭାରତ – ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାଢେ ତିନିକୋଟି ଲୋକ ଉପକୃତ ହେଉଛନ୍ତି ଏବଂ ବିଶ୍ବ ସ୍ତରୀୟ ଚିକିତ୍ସା ସୁବିଧା ପାଉଛନ୍ତି। ମହିଳାମାନେ ହେଉଛନ୍ତି ଆମ ଜନସଂଖ୍ୟାର ଅଧା। ଯେ ପର୍ଯ୍ୟନ୍ତ ଆପଣମାନଙ୍କର ବିକାଶ ହୋଇ ନାହିଁ, ସମୃଦ୍ଧ ଓଡିଶା ଗଠିତ ହେବ କିପରି?
ତେଣୁ, ପ୍ରଥମ କ୍ଯାବିନେଟରେ ସୁଭଦ୍ରା ଯୋଜନାକୁ ମଞ୍ଜୁରୀ ଦେବା ପରେ ପ୍ରଥମ ଆଠମାସ ମଧ୍ୟରେ ଆମ ସରକାର ଏକ କୋଟିରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି । କେବଳ ମହିଳାଙ୍କ ବିକାଶ ପାଇଁ ଚଳିତ ବଜେଟରେ ରେକର୍ଡ ୮୯ ହଜାର ୮୬୨ କୋଟି ଟଙ୍କା କେବଳ ମା’ ମାନଙ୍କ ପାଇଁ ପ୍ରାବଧାନ କରାଯାଇଛି । ଏହି ପ୍ରାବଧାନ ମୋଟ ବଜେଟ ଆକାରର ପ୍ରାୟ ୩୦ ପ୍ରତିଶତ। ଏହି ଟଙ୍କା ତାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜୀବନ ଜୀବିକା ଇତ୍ୟାଦିରେ ଖର୍ଚ୍ଚ ହେଉଛି।
ମାନନୀୟ ମୋଦୀ ଜୀଙ୍କ ପରିକଳ୍ପନା ‘ଲକ୍ଷପତି ଦିଦି’ ଯୋଜନାରେ ଓଡିଶା ରହିଛି ସର୍ବାଗ୍ରେ । କାରଣ ଆମ ପାଇଁ ମହିଳା ସଶକ୍ତିକରଣ ହେଉଛି ଏକ ପ୍ରତିବଦ୍ଧତା, ସ୍ଲୋଗାନ ନୁହେଁ । ମହିଳା ସୁରକ୍ଷା ଆମ ସରକାରଙ୍କ ପାଇଁ ସର୍ବାଗ୍ରେ। ଏଥିପାଇଁ ଆମେ ‘ଶୂନ୍ୟ ସହନଶୀଳତା ନୀତି’ ଆପଣାଇଛୁ । ମୁଁ ଦାୟିତ୍ଵ ନେବାର ଚାରି ମାସ ମଧ୍ୟରେ କହିଥିଲି, ବିଗତ ଦିନମାନଙ୍କରେ ମହିଳା ହିଂସା ବିରୁଦ୍ଧରେ ଦଣ୍ଡହାର (Conviction Rate) ୨୦୨୨ରେ ଥିଲା ୯.୨ ପ୍ରତିଶତ ଏବଂ ୨୦୨୩ ଏହା ଆହୁରି ହ୍ରାସ ପାଇ ୬.୯ ପ୍ରତିଶତରେ ପହଞ୍ଚିଥିଲା।
ସେତେବେଳେ ମୁଁ ଏହା ଉପରେ ଚିନ୍ତା ପ୍ରକଟ କରିଥିଲି ଏବଂ ସମ୍ପୃକ୍ତ ବିଭାଗଙ୍କୁ ଏଥିରେ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲି । ଆଜି ମୋ ପାଇଁ କିଛିଟା ସନ୍ତୋଷର ବିଷୟ ଯେ ୨୦୨୫ର ପ୍ରଥମ ୬ ମାସରେ ଏହି ଦଣ୍ଡ ବିଧାନହାର ୪୧ ପ୍ରତିଶତରେ ପହଞ୍ଚିଛି। ଜୁନ ମାସରେ ଏହା ୬୨ ପ୍ରତିଶତରୁ ବି ଅଧିକ ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ମହିଳା ହିଂସା ବିରୁଦ୍ଧରେ ଅପରାଧୀଙ୍କ ନିସ୍ତାର ନାହିଁ। ଦଳମତ, ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମୋ ପାଇଁ ମହିଳାଙ୍କ ବିରୁଦ୍ଧରେ ହିଂସା କରୁଥିବା ବ୍ୟକ୍ତିର କେବଳ ଗୋଟିଏ ପରିଚୟ, ଏବଂ ତାହାର ଗୋଟିଏ ଠିକଣା, ‘ଜେଲ’। ଏଥିରେ କୌଣସି ରାଜନୈତିକ ସଂରକ୍ଷଣ ନାହିଁ ।
ମୁଁ ଆଜିର ଏହି ଅବସରରେ ରାଜ୍ୟର ମା’ ମାନଙ୍କୁ ଏବଂ ଭଉଣୀମାନଙ୍କୁ ଆଶ୍ଵସ୍ତ କରିବାକୁ ଚାହେଁ, ଆମ ସରକାର ଆପଣଙ୍କ ସୁରକ୍ଷା ପାଇଁ ସଦା ସର୍ବଦା ଚେଷ୍ଟିତ, ଯଦି କିଏ ଆପଣଙ୍କ ବିରୁଦ୍ଧରେ ଅପରାଧ ଘଟାଇଲା, ନିଶ୍ଚିତ ଦଣ୍ଡ ପାଇବ। ଏହାର ପ୍ରମାଣ ହେଉଛି, ଯେତେ ସବୁ ମହିଳା ବିରୋଧୀ ହିଂସା ଘଟିଛି, ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଆମ ପାଇଁ ଚାଷୀ ଭାଇ ଓ ଭଉଣୀମାନେ ‘କୃଷକ ନୁହନ୍ତି, ସେମାନେ ଆମପାଇଁ ଅନ୍ନଦାତା’। ଚାଷୀ ହସିଲେ, ଦେଶ ହସିବ। ଚାଷୀର ହସ ହିଁ ଆମ ପାଇଁ ସଫଳତା ଓ ସମୃଦ୍ଧିର ଆଶୀର୍ବାଦ । ତେଣୁ, ତାଙ୍କ ସ୍ଵାର୍ଥରକ୍ଷା ପାଇଁ ସରକାର ୩୧୦୦ ଟଙ୍କାରେ ଧାନ କିଣୁଛନ୍ତି। ଏହି ପ୍ରକ୍ରିୟା ଉଭୟ ଖରିଫ ଓ ରବି ଋତୁ ପାଇଁ ଜାରି ରହିବ।
କେବଳ ଇନ୍ପୁଟ ସହାୟତା ନୁହେଁ, ବିପଦ ଆପଦ ସମୟରେ ଯେପରିକି ଅଦିନିଆ ବର୍ଷା ହେଉ, କିମ୍ବା ବାତ୍ୟାଜନିତ କ୍ଷତି ହେଉ, ଆମ ସରକାର ସବୁବେଳେ ଆପଣଙ୍କ ପାଖରେ ଅଛନ୍ତି, ସବୁବେଳେ ଦୃଢ ଭାବେ ଠିଆ ହୋଇଥିବେ।
ସଦ୍ୟତମ ତଥ୍ୟ ଅନୁସାରେ ୨୦୨୨ରେ ଓଡିଶାର ଚାଷୀଙ୍କ ମାସିକ ଆୟ ଥିଲା ମାତ୍ର ୫ ହଜାର ୧୧୨ ଟଙ୍କା, ଯାହା ଦେଶରେ ଶେଷ ଆଡୁ ଦ୍ଵିତୀୟ। କିନ୍ତୁ, ଆମ ସରକାରଙ୍କ ଇନ୍ପୁଟ ସହାୟତା, ସୁଭଦ୍ରା, ପିଏମ ଓ ସିଏମ କିଷାନ ଦ୍ଵାରା ପ୍ରତି ଚାଷୀ ପରିବାରଙ୍କ ବାର୍ଷିକ ଆୟ ଅତି କମରେ ପୂର୍ବ ଅପେକ୍ଷା ଅଧିକ ୬୧ ହଜାର ଟଙ୍କା ହୋଇଛି, କାରଣ ପ୍ରତ୍ଯେକ ଚାଷୀ ପରିବାର ମଧ୍ୟରେ ଗୋଟିଏ ସୁଭଦ୍ରା ପରିବାର ରହିଛି ।
ଆମ ସରକାର ଫସଲର ବିବିଧକରଣ, ମତ୍ସ୍ୟଚାଷ, ଗୋ-ପାଳନ, ପ୍ରାଣୀ ପାଳନ, କୁକୁଡା ପାଳନ ପରି ଆନୁଷଙ୍ଗିକ କାର୍ଯ୍ୟ ମାଧ୍ୟମରେ ଚାଷୀଙ୍କ ଆୟକୁ ବହୁ ଗୁଣିତ କରିବାର ଲକ୍ଷ୍ୟ ରଖିଛନ୍ତି। କାରଣ ରାଜ୍ୟର ୬୦ ପ୍ରତିଶତ ଲୋକେ ଯେଉଁମାନେ ଏହା ଉପରେ ନିର୍ଭର କରୁଛନ୍ତି, ତାଙ୍କ ସମୃଦ୍ଧି ବିନା ‘ସମୃଦ୍ଧ ଓଡିଶା’ ର ପରିକଳ୍ପନା ସମ୍ଭବ ନୁହେଁ।
ଓଡିଶା ଅନ୍ୟ ରାଜ୍ୟ ସହ ତାଳ ଦେଇ ବିକାଶ କରିବାକୁ ହେଲେ, ଦ୍ରୁତ ଶିଳ୍ପାୟନ ଅତ୍ୟନ୍ତ ଆବଶ୍ୟକ । ମୁଁ ଯାଜପୁର ଜିଲ୍ଲାରେ ଗୋଟିଏ କାର୍ଯ୍ୟକ୍ରମରେ କହିଥିଲି, ‘ଆମେ ସହଯୋଗ ଓ ସହଭାଗୀତା ସହିତ ଶିଳ୍ପାୟନ କରିବାକୁ ଚାହୁଁଛୁ’। ତେଣୁ ଏହାର ପ୍ରତିଫଳନ ବି ତୃଣମୂଳ ସ୍ତରରେ ହେଉଛି । ଆମ ସରକାର ରାଜ୍ୟରେ ସମୃଦ୍ଧି ଆଣିବା ପାଇଁ ବ୍ୟାପକ ଶିଳ୍ପାୟନ ଉପରେ ଗୁରୁତ୍ବ ଦେଇଛନ୍ତି । ଶିଳ୍ପଗୁଡିକ ହେବ ଆମ ସମୃଦ୍ଧିର ପ୍ରମୁଖ ସ୍ତମ୍ଭ – The Pillars of Prosperity ।
ଏଥିପାଇଁ ଆମେ ଭିତ୍ତିଭୂମି ଓ ଦକ୍ଷତା ଉପରେ ଫୋକସ କରିଛୁ । କେନ୍ଦ୍ର ସରକାରଙ୍କ ସହିତ ଆମର ଡବଲ ଇଂଜିନ ସରକାର ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନେଇଛି । ଆମ ସରକାର ଓଡ଼ିଶାରେ ସଡ଼କ ଭିତ୍ତି ଭୂମିର ବିକାଶ ପାଇଁ “Odisha State Road Policy 2025” ପ୍ରଣୟନ କରିଛନ୍ତି । ପ୍ରଶାସନରେ ଦକ୍ଷତା ଆଣିବା ପାଇଁ ନୂତନ ‘AI Policy’ ମଧ୍ୟ କରିଛନ୍ତି । ଲୋକଙ୍କୁ ସ୍ବଚ୍ଛ ଓ ପାରଦର୍ଶୀ ପ୍ରଶାସନ ପ୍ରଦାନ କରିବା ଦିଗରେ ଆମର AI ଭିତ୍ତିଭୂମି ପ୍ରମୁଖ ଭୂମିକା ଗ୍ରହଣ କରୁଛି ।
ଆମ ସରକାର ମାତ୍ର ୧୯ ମାସ ମଧ୍ୟରେ ୭.୭ ଲକ୍ଷ କୋଟି ଟଙ୍କାର ୩୦୦ ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛି । ଏହି ସମୟ ମଧ୍ୟରେ ଓଡ଼ିଶାରେ ୨ ଲକ୍ଷ କୋଟି ଟଙ୍କାର ୮୫ଟି ଶିଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହୋଇଛି । ଏହାଦ୍ୱାରା ୧ ଲକ୍ଷ ୬୫ ହଜାର ନିଯୁକ୍ତି ସୁନିଶ୍ଚିତ ହୋଇପାରିଛି । ଆମ ପାଇଁ ଶିଳ୍ପାୟନ ମାନେ ନୁହେଁ କେବଳ କିଛି ଜିଲ୍ଲା କିମ୍ବା କିଛି ଅଞ୍ଚଳରେ ଶିଳ୍ପ ସ୍ଥାପନ କରିବା । ଆମ ସରକାର ପ୍ରତିଟି ଜିଲ୍ଲାରେ ଶିଳ୍ପ ସ୍ଥାପନ କରିବେ ।
ବର୍ତ୍ତମାନ ଓଡିଶାରେ ଏକ ପ୍ରକାର ନୂତନ ଶିଳ୍ପ ବିପ୍ଲବ ଚାଲିଛି । ମୁଁ ନିଜେ ଦିଲ୍ଲୀ, ମୁମ୍ବାଇ, ସିଙ୍ଗାପୁର, ହାଇଦ୍ରାବାଦ ଓ କୋଲକାତା ଯାଇ ପୁଞ୍ଜି ନିବେଶ ପାଇଁ ଉଦ୍ୟୋଗପତିଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲି । ଓଡିଶାରେ ନିବେଶ ପାଇଁ ତାଙ୍କର ଆଗ୍ରହ ଦେଖି ମୁଁ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲି । ତେଣୁ, ଆଜିର ଦିନରେ ମୁଁ ରାଜ୍ୟବାସୀଙ୍କୁ ଆଶ୍ଵସ୍ତ କରିବାକୁ ଚାହେଁ, ଓଡିଶାରେ ଆଗାମୀ ଦିନରେ ଅଭୂତପୂର୍ବ ଶିଳ୍ପାୟନ ହେବାକୁ ଯାଉଛି ।
କାରଣ ଓଡିଶା ହେଉଛି ନିବେଶକଙ୍କ ପ୍ରଥମ ପସନ୍ଦ । ଏଥିପାଇଁ ଆମ ସରକାର ମାତ୍ର ୧୯ ମାସରେ ଏକ ନିବେଶକ-ଅନୁକୂଳ ପରିବେଶ ସୃଷ୍ଟି କରିପାରିଛି । ଶିଳ୍ପାୟନ ସହିତ ରାଜ୍ୟର ବିକାଶ ପାଇଁ ଓଡିଶା ନିଜ ରାଜ୍ୟ GDPର ୬.୧ ପ୍ରତିଶତ କେବଳ ପୁଞ୍ଜି ଖର୍ଚ୍ଚ ପାଇଁ ପ୍ରାବଧାନ କରିଛନ୍ତି । ଏହା ଦ୍ଵାରା ରାଜ୍ୟରେ ବିଶ୍ଵ ସ୍ତରୀୟ ଭିତ୍ତିଭୂମି ନିର୍ମାଣ ହେବ । ଭିତ୍ତିଭୂମି ସହିତ ରାଜ୍ୟରେ ରୋଜଗାର ସୃଷ୍ଟି କରିବା ପାଇଁ ଏହା ଏକ ଇଞ୍ଜିନ ପରି କାର୍ଯ୍ୟ କରିବ ।
ସ୍ଵାଧୀନତାର ପ୍ରାୟ ୭୭ ବର୍ଷ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଅଞ୍ଚଳ ଯେପରିକି ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଓଡିଶାର କିଛି ଜିଲ୍ଲା ଆଞ୍ଚଳିକ ବୈଷମ୍ୟତାର ଶିକାର ହୋଇଥିଲେ, ଏହା କାହାକୁ ଅଛପା ନାହିଁ । କିନ୍ତୁ, ଆମ ସରକାର ପୂର୍ବ ସରକାରମାନଙ୍କ ତ୍ରୁଟି ସୁଧାରିବା ପାଇଁ ଦକ୍ଷିଣ ତଥା ଉତ୍ତର ଓଡିଶା ବିକାଶ ପରିଷଦ ଟାସ୍କ ଫୋର୍ସ ଗଠନ କରିବା ସହିତ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ସୁଦୃଢ କରିଛନ୍ତି ।
ରାଜ୍ୟବାସୀଙ୍କୁ ଘର ପାଖରେ ସେବା ପହଞ୍ଚାଇବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଇଛି । ଏଥିରୁ ଗୋଟିଏ ଗୁରତ୍ଵପୂର୍ଣ୍ଣ ପଦକ୍ଷେପ ହେଉଛି ପ୍ରତ୍ୟେକ ତହସିଲରେ ସବ-ରେଜିଷ୍ଟ୍ରର ଅଫିସ ଖୋଲିବା । ଆମ ସରକାର ବର୍ତ୍ତମାନ ସୁଦ୍ଧା କେବଳ ୫୬ଟି କୁ ଛାଡି ବାକି ସବୁ ତହସିଲରେ ସବ-ରେଜିଷ୍ଟ୍ରର ଅଫିସ ଖୋଲା ସରିଛି । ଏହା ଦ୍ବାରା ଆପଣ ମାନେ ଘର ପାଖରେ ଜମିଜମା ସମ୍ପର୍କିତ ରାଜସ୍ବ ସେବା ପାଇ ପାରିବେ ।
ରାଜ୍ୟର ଏକ ବଡ଼ ବର୍ଗ ହେଉଛନ୍ତି ଆମର ଆଦିବାସୀ ଭାଇ ଭଉଣୀ । ସେମାନଙ୍କ ବିକାଶ ବିନା ରାଜ୍ୟର ବିକାଶ କଥା ଚିନ୍ତା କରାଯାଇପାରିବ ନାହିଁ । ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ପିଏମ ଜନମନ ଆଦି ଯୋଜନା ଜରିଆରେ ଭିତ୍ତିଭୂମିରେ ସମ୍ପୂର୍ଣ୍ଣତା ଆଣିବା ପାଇଁ ଅଭିଯାନ ଜାରି ରହିଛି । ଆମ ସରକାରଙ୍କ ଶହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ଆଦିବାସୀ ପିଲାମାନଙ୍କ ମଧ୍ୟରେ ଡ୍ରପ୍ ଆଉଟ୍ ହାର କମ୍ କରିବାରେ ସଫଳ ହେଉଛି ।
ସରକାରଙ୍କ ନୀତିକୁ ସଫଳ କରିବାକୁ ହେଲେ ଏକ ସ୍ଵଚ୍ଛ, ଦକ୍ଷ, ପାରଦର୍ଶୀ, ସଂବେଦନଶୀଳ ଏବଂ ଦୁର୍ନୀତିମୁକ୍ତ ଶାସନ-ପ୍ରଶାସନ ଅତ୍ୟନ୍ତ ଆବଶ୍ୟକ। ପ୍ରଥମ ଦିନରୁ ମୁଁ ଏହା ଉପରେ ବ୍ୟକ୍ତିଗତ ଭାବେ ଜୋର୍ ଦେଉଛି। ଏଇ ସ୍ୱଳ୍ପ ସମୟ ଭିତରେ ଅନେକ ପ୍ରଶାସନିକ ସଂସ୍କାର ହୋଇଛି। ଆଜି ଜନସାଧାରଣ ନିଜ ନିଜ ଘରେ ବସି ୪୦୦ ରୁ ଅଧିକ ସରକାରୀ ସେବା ଅନ-ଲାଇନ ମାଧ୍ୟମରେ ପାଇ ପାରୁଛନ୍ତି ।
ଅଭିଯୋଗ ଶୁଣାଣି ଆମ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟ । ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଁ ପ୍ରତ୍ୟକ୍ଷ ଭାବେ ୫୦ ହଜାରରୁ ଅଧିକ ଲୋକଙ୍କୁ ଭେଟିଛି । ପ୍ରାୟ ୧୫ ହଜାର ଅଭିଯୋଗ ଶୁଣି ୯୫ ପ୍ରତିଶତ ସମସ୍ୟାର ସମାଧାନ କରିପାରିଛୁ । ଗତ ୨୨ ତାରିଖରେ ପ୍ରଦାନ କରାଯାଇଥିବା ସୁଭଦ୍ରା ସହାୟତା ମଧ୍ୟରେ ରାଜ୍ୟର ୨୪ ହଜାରରୁ ଅଧିକ ହିତାଧିକାରୀଙ୍କୁ ଜନ ଶୁଣାଣୀ ମାଧ୍ୟମରେ ଅନ୍ତର୍ଭୁକ୍ତ କରଯାଇଥିଲା। ଏ ହେଉଛି, ପ୍ରକୃତ ପକ୍ଷେ ଲୋକଙ୍କ ସରକାର। ଏଥର ସପ୍ତାହର ‘ସୋମବାର’ ଦିନଟି କେବଳ ଅଭିଯୋଗ ଶୁଣାଣି ପାଇଁ ଉତ୍ସର୍ଗୀକୃତ ହେବ । ରାଜ୍ୟରୁ ଜିଲ୍ଲା ପର୍ଯ୍ୟନ୍ତ ବରିଷ୍ଠ ଅଧିକାରୀମାନେ କିଛି ଅତ୍ୟନ୍ତ ଜରୁରୀ ମିଟିଙ୍ଗ ନ ଥିଲେ, କେବଳ ଅଭିଯୋଗ ଶୁଣାଣି କରିବେ ।
ପ୍ରଶାସନକୁ ଅଧିକ ଚଳ ଚଞ୍ଚଳ କରିବା ସହିତ ସ୍ବଚ୍ଛ, ପାରଦର୍ଶୀ ଓ ଦକ୍ଷ କରିବା ପାଇଁ ଏକ ୧୫-ସୂତ୍ରୀ କାର୍ଯ୍ୟକ୍ରମର ନିର୍ଦ୍ଦେଶାବଳି ଜାରି କରାଯାଇଛି, ଯାହାଦ୍ୱାରା ଜନସାଧାରଣ ଆହୁରି ଶୀଘ୍ର ଏବଂ ଗୁଣାତ୍ମକ ସେବା ପାଇ ପାରିବେ। ସରକାରୀ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ହଜାର ନିଯୁକ୍ତି ଦିଆଯାଇଛି ଏବଂ ଆମେ ଯାହା ସଂକଳ୍ପ କରିଥିଲୁ, ୫ ବର୍ଷ ମଧ୍ୟରେ ଦେଢ଼ ଲକ୍ଷ ସରକାରୀ ନିଯୁକ୍ତି, ତାହା ନିଶ୍ଚିତ ପୂରଣ ହେବ ।
ସରକାରୀ ହେଉ ବା ବେସରକାରୀ, ଓଡିଶାର ଯୁବବର୍ଗ ପାଇଁ ଆଗାମୀ ବର୍ଷ ଗୁଡିକ ବିପୁଳ ସୁଯୋଗର ବର୍ଷ ହେବାକୁ ଯାଉଛି । ଯୁବବର୍ଗ ପାଇଁ ଆସନ୍ତାବର୍ଷ ଗୁଡିକ ସୁଯୋଗର ବର୍ଷ ବୋଲି କୁହାଯାଇପାରେ ।
ଦୁର୍ନୀତି ବିରୁଦ୍ଧରେ ଆମର ଅଭିଯାନ ବିପୁଳ ସଫଳତା ହାସଲ କରିଛି । ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀମାନେ ଏବେ ଭୟରେ ଦିନ ଗଣୁଛନ୍ତି । ଓଡ଼ିଶାର ଭିଜିଲାନ୍ସ ବିଭାଗ ଦେଶର ଶ୍ରେଷ୍ଠ ଦୁର୍ନୀତି ନିବାରଣ ବିଭାଗ ଭାବେ ପରିଚୟ ସୃଷ୍ଟି କରିପାରିଛି। ସାରା ଦେଶରେ ଦୁର୍ନୀତି ଖୋରଙ୍କ ବିରୁଦ୍ଧରେ ଦଣ୍ଡହାର ଓଡିଶାରେ ୫୦ ପ୍ରତିଶତରୁ ବି ଅଧିକ।
ତେଣୁ, ଏହି ଅଭିଯାନ ଆଗକୁ ଆହୁରି କଡାକଡି ହେବ। ଦୁର୍ନୀତିଗ୍ରସ୍ତଙ୍କ ସ୍ଥାନ ସରକାରୀ ଦପ୍ତରରେ ନୁହେଁ, ଜେଲରେ। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି IAS Officerଙ୍କ ପର୍ଯ୍ୟନ୍ତ, ସବୁ କର୍ମଚାରୀଙ୍କ ପାଇଁ ଆମର ଗୋଟିଏ ନୀତି- ସେମାନେ ଦୁର୍ନୀତିଖୋର ହେଲେ, କୌଣସି ରାଜନୈତିକ ସଂରକ୍ଷଣ ଦିଆଯିବ ନାହିଁ ।
ଭାରତୀୟ ସଭ୍ୟତାର ମୌଳିକତା ହେଉଛି ଏହାର ପରମ୍ପରା, ଭାଷା ଓ ସଂସ୍କୃତି, ଯାହାବିନା ଆମ ଜୀବନ ଅଧୁରା। ତେଣୁ ପ୍ରଧାନମନ୍ତ୍ରୀ ମାନନୀୟ ମୋଦୀ ଜି ଆହ୍ଵାନ ଦେଇଛନ୍ତି, ‘ବିକାଶ ଭି, ବିରାଶତ ଭି’।
ଆଜି ଭାରତ ଦେଖୁଛି ଏକ ସାଂସ୍କୃତିକ ନବଜାଗରଣ । ଖୁସିର କଥା ଯେ, ଏହି ସାଂସ୍କୃତିକ ପୁନଃ ଅଭ୍ୟୁଦୟର ପୁରୋଧାରେ ଅଛନ୍ତି ଆଜିର ଯୁବ ସମାଜ। ଅଯୋଧ୍ୟାର ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ୫୦୦ ବର୍ଷର ଗୁଲାମ ମାନସିକତାରୁ ସ୍ଵାଧୀନତାର ପ୍ରତୀକ। ଆଜି ମାନନୀୟ ମୋଦୀ ଜି ଏହି ମାନସିକତାରୁ ଦେଶକୁ ସ୍ଵାଧୀନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।
ଆଜି ଆମ ଓଡ଼ିଶା ପାଇଁ ଏକ ଅତ୍ୟନ୍ତ ଆନନ୍ଦ ଓ ଗୌରବର ବିଷୟ ଯେ, ଚଳିତ ବର୍ଷ ଓଡିଶାର ଚାରିଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି । ସାନ୍ତାଳୀ ସାହିତ୍ୟ ଓ ଶିକ୍ଷାରେ ଅବଦାନ ଏବଂ ଆଦିବାସୀ ସାହିତ୍ୟକୁ ଜାତୀୟ ମଞ୍ଚରେ ପହଞ୍ଚାଇବା ପାଇଁ ଚରଣ ହେମ୍ବ୍ରମ, ଓଡ଼ିଶାର ଲୋକ ସଂସ୍କୃତିକୁ ଶିକ୍ଷାରେ ସମ୍ମିଳିତ କରିବା ପାଇଁ ମହେନ୍ଦ୍ର କୁମାର ମିଶ୍ର, ଓଡ଼ିଶାର ପାରମ୍ପରିକ ନାଟ୍ୟ କଳା ସଖୀ ନାଟର ସୁରକ୍ଷା ଓ ପ୍ରସାର ପାଇଁ ସୀମାଞ୍ଚଳ ପାତ୍ର ଏବଂ ଓଡ଼ିଶାର ପାରମ୍ପରିକ କଳାରେ ସୃଜନଶୀଳତା ଓ ଓଡିଆ କଳାକୁ ଜାତୀୟ ମଞ୍ଚରେ ପ୍ରତିଷ୍ଠା କରିବା ପାଇଁ ଶରତ କୁମାର ପାତ୍ରଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯିବ । ଏମାନେ ସମସ୍ତେ ଆମ ଓଡିଆ କଳା ଓ ସଂସ୍କୃତିର ଜାଗ୍ରତ ପ୍ରହରୀ । ଏହି ଅବସରରେ, ମୁଁ ଏହି ମହାନ ସାହିତ୍ୟିକ ଓ କଳାକାରମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି ।
ଗୋଟିଏ ସମାଜର ଭାଷା, ସାହିତ୍ୟ ଓ ସଂସ୍କୃତି ହେଉଛି ତା’ର ପରିଚୟ। ସମାଜର ବରପୁତ୍ର ମାନେ ହେଉଛନ୍ତି ଆମର ପ୍ରେରଣା। ଏ ସବୁକୁ ମିଶେଇ ପ୍ରତିଷ୍ଠା ହୁଏ ଆମର ଅସ୍ମିତା । ଓଡିଆ ଅସ୍ମିତାର ସୁରକ୍ଷା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏ କଟକ ମାଟିର ପୁଅ, ଓଡିଶାର ଗର୍ବ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପ୍ରଥମ ଥର ପାଇଁ ଉତ୍କଳ ଦିବସ ପାଳନ କରାଯାଇଥିଲା ।
ରାଜ୍ୟର ୨୫ ଜଣ ବରପୁତ୍ରଙ୍କ ଜନ୍ମପୀଠକୁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ବିକଶିତ କରାଯାଉଛି । ୭୫ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। ଓଡିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ଦିଗରେ ଯଥେଷ୍ଟ ଅଗ୍ରଗତି ହୋଇଛି । କଳାକାର ମାନଙ୍କର ଭତ୍ତା ବୃଦ୍ଧି କରାଯାଇଛି । ଆମ ଓଡିଆ ପୁଅ ଓ ଝିଅ ମାନେ ଏବେ ପୁଣି ପରମ୍ପରା ଓ ସଂସ୍କୃତି-ମନସ୍କ ହୋଇଛନ୍ତି ।
ଆମ ସରକାର ଓଡିଆ ଭାଷାର ସୁରକ୍ଷା ସହିତ ପ୍ରଚାର ପ୍ରସାର ପାଇଁ ଗୁରୁତ୍ଵ ଦେଉଛନ୍ତି। ବ୍ଲକ ସ୍ତର ପର୍ଯ୍ୟନ୍ତ ଓଡିଆ ଭାଷାରେ ସରକାରୀ କାର୍ଯ୍ୟକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ହଜାର ବର୍ଷର ଆମର ଏହି ଐତିହାସିକ କଟକ ସହର ହେଉଛି ଭାଇଚାରାର ସହର । ସଂସ୍କୃତି ଓ ପରମ୍ପରାର ସହର । ସବୁ ଦୃଷ୍ଟିରୁ ଦେଖିଲେ, ଏ ସହର ଅନ୍ୟ ସହର ମାନଙ୍କଠାରୁ ଟିକିଏ ଅଲଗା। *କଟକ ସହର ବାସୀ ସବୁବେଳେ ସ୍ବାଭିମାନକୁ ଗୁରୁତ୍ବ ଦେଇଆସିଛନ୍ତି । ଏ ମାଟିରେ ନେତାଜୀ ସୁଭାଷ ଜନ୍ମ ହୋଇଥିଲେ, ଏ ମାଟିରେ ଉତ୍କଳ ଗୌରବ ମଧୁସୂଦନ ମଧ୍ୟ ଜନ୍ମ ହୋଇଥିଲେ । ତେଣୁ ଏ ମାଟିର କୋଣ ଅନୁକୋଣରେ ସ୍ବାଭିମାନ ଭରି ହୋଇରହିଛି।
ଆପଣଙ୍କ ସରକାର କଟକର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। କଟକର ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯିବ । ସହରର ରାସ୍ତା ଚଉଡା ହେଉଛି । ଧାକୁଲେଇ ପୀଠରୁ କନ୍ଦରପୁରକୁ ଏକ ନୂଆ ରାସ୍ତା କରାଯିବ । କ୍ୟାପିଟାଲ ରିଜିଅନ୍ ରିଙ୍ଗରୋଡ୍ରେ କଟକ ଯୋଡିହେବ ଏବଂ ସହର ସମ୍ପୂର୍ଣ୍ଣ ଭାବେ ଡି-କନ୍ଜେଷ୍ଟେଡ୍ ହେବ । କଟକର ଗୌରବ ବାରବାଟୀ ଷ୍ଟାଡିୟମର ରିନୋଭେସନ କରାଯାଇ ଆହୁରି ଆକର୍ଷଣୀୟ କରାଯିବ ।
ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ଆମର ଉଦ୍ୟମ ନିଶ୍ଚୟ ସଫଳ ହେବ। ମହାନଦୀ ରିଭରଫ୍ରଣ୍ଟର ବିକାଶ ଦ୍ବାରା ସୁନ୍ଦର କଟକ ସହର ଆହୁରି ସୁନ୍ଦର ହେବ ଏବଂ ଏହାର ଆକର୍ଷଣ ଆହୁରି ବୃଦ୍ଧି ପାଇବ । କଟକର ଚାରିପଟେ ଇକୋନୋମିକ୍ ହବ୍ ସୃଷ୍ଟି କରାଯିବ । କଟକ ତା’ର ହୃତଗୌରବ ନିଶ୍ଚିତ ଫେରିପାଇବ। କଟକ ସହର ହେବ ‘ବିକାଶ ଭି, ବିରାସତ ଭି’ ର ଶ୍ରେଷ୍ଠ ଉଦାହରଣ ।
ମୋ ଅଭିଭାଷଣର ପ୍ରଥମରେ କହିଥିଲି, ୧୯୪୭ ମସିହା ଆମ ସମସ୍ତଙ୍କ ପାଇଁ ସବୁଠାରୁ ମହତ୍ବପୂର୍ଣ୍ଣ ଥିଲା। କିନ୍ତୁ, ସ୍ଵାଧୀନତା ପାଇବା ପରେ ବି ଭାରତୀୟଙ୍କ ମନରେ କିଛି ଶୂନ୍ୟ ସ୍ଥାନ ରହିଯାଇଥିଲା। କିନ୍ତୁ, ଗତ ୧୧ ବର୍ଷରେ ଦେଶରେ ଏକ ନବ ଜାଗରଣ ଦେଖା ଦେଇଛି। ସାମାଜିକ, ଅର୍ଥନୈତିକ, ରାଜନୈତିକ ପ୍ରଗତି ସହିତ ସାଂସ୍କୃତିକ ରାଷ୍ଟ୍ରବାଦର ଏକ ଅପୂର୍ବ ଲହର ଦେଖା ଦେଇଛି। ମୁଁ ଆପଣମାନଙ୍କ ମୁଖ୍ୟସେବକ ଭାବେ କହି ପାରିବି, ନିଜ ଭାଷା, ନିଜ ସଂସ୍କୃତି ଓ ନିଜ ପରମ୍ପରା ପାଇଁ ଗର୍ବ କରିବାର ଯେଉଁ ମୂହୁର୍ତ୍ତ ଆସିଛି, ତାହା ମୁଁ ୨୦୧୪ ପୂର୍ବରୁ ଦେଖି ନ ଥିଲି।
୨୦୨୬ ସାଧାରଣତନ୍ତ୍ର ଦିବସ ନେଇ ଆସିଛି ଅନେକ ସ୍ବପ୍ନ, ଅନେକ ସମ୍ଭାବନା, ଅନେକ ସୁଯୋଗ। ଏଥିରେ ଆମ ପାଇଁ ଅନେକ ଆହ୍ଵାନ ବି ଅଛି । କିନ୍ତୁ, ରାଜ୍ୟବାସୀଙ୍କ କଠୋର ପରିଶ୍ରମ ଉପରେ ମୋର ସମ୍ପୂର୍ଣ ବିଶ୍ବାସ ଅଛି। ଆଜି ଆମେ ଓଡ଼ିଶାର ପୁଅ ଝିଅ ଭାବରେ, ଆସନ୍ତୁ, ଆମ ଲୋକତନ୍ତ୍ରର ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଓ ସୁଦୃଢ଼ କରିବାକୁ ଶୁଦ୍ଧ ଅନ୍ତକରଣରେ ସଙ୍କଳ୍ପ ନେବା ।