Latest Odisha News

BREAKING NEWS

୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ସ୍କୁଲ ରୂପାନ୍ତର ପର୍ବ । 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମାଲକାନଗିରିର ୬ଟି ସ୍କୁଲ, ଝାରସୁଗୁଡାର ୨୫ଟି, କଳାହାଣ୍ଡିର ୨୯ଟି, ମୟୂରଭଞ୍ଜର ୬୦ଟି ଓ ଖୋର୍ଦ୍ଧାର ୩୮ଟି ସ୍କୁଲକୁ ଲୋକାର୍ପିତ କରାଯାଇଛି । ଆଜି ସୁଦ୍ଧା ୬୮୯ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ।

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ, ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଦେଶର ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ । ତେଣୁ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ । ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡ଼ିଶାର ଗୌରବ ବଢାନ୍ତୁ । ନୂଆ ନୂଆ ବୈଷୟକ ଜ୍ଞାନ କୌଶଳ ବିଷୟରେ ଜାଣନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ୫-ଟି ନୀତି ଉପରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ରୂପାନ୍ତର ହେଉଛି ଆମର 5-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ । ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ । ମାଲକାନଗିରିର ପାପୁନି ମାଣ୍ଡି, ଝାରସୁଗୁଡାର ଶାଳିନୀ ତ୍ରିପାଠୀ, କଳାହାଣ୍ଡିର କୁମୁଦିନୀ ବନ୍ଦିଛୋଡ, ମୟୂରଭଞ୍ଜର ମଧୁସ୍ମିତା ସାହୁ ଏବଂ ଖୋର୍ଦ୍ଧା ଜିଲ୍ଲାର ଉଦୟ ପ୍ରକାଶ ବେହେରା ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ ଗାଁ ଭିତରେ ସ୍କୁଲ ହିଁ ବର୍ତ୍ତମାନ ଆମର ସବୁଠାରୁ ବଡ ଆକର୍ଷଣ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ମାଲକାନଗିରିରେ ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଝାରସୁଗୁଡାରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, କଳାହାଣ୍ଡିରେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୟୂରଭଂଜରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ଖୋର୍ଦ୍ଧାରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମାନସିକତାରେ ଏହା ଏକ ମୌଳିକ ପରିବର୍ତ୍ତନ ଆଣିଛି ବୋଲି ସେମାନେ ଅନୁଭବ କରୁଛନ୍ତି ବୋଲି କହିଥିଲେ । ଶିକ୍ଷା କ୍ଷେତ୍ରରେ ଏହି ପରିବର୍ତ୍ତନ ଓଡିଶାର ଭବିଷ୍ୟତକୁ ଉଜ୍ବଳ କରିବ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ ।

ଏହି ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଓ କଟକ-ଭୁବନେଶ୍ବରର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିଜର ସଫଳତାରେ ସ୍କୁଲର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଛାତ୍ର ଜୀବନର ଅନୁଭୂତି ବର୍ଣ୍ଣନା କରି ପିଲାମାନଙ୍କୁ ଲକ୍ଷ୍ୟ ପୂରଣ ପାଇଁ ଦୃଢ ମନୋବଳ ସହିତ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ରୂପାନ୍ତରିତ ସ୍କୁଲର ମିଳୁଥିବା ଆଧୁନିକ ସୁବିଧାର ସଂପୂର୍ଣ୍ଣ ଉପଯୋଗ କରିବା ପାଇଁ ସେ ଶିକ୍ଷକ ଓ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ସତ୍ୟବ୍ରତ ସାହୁ କଳାହାଣ୍ଡିର ମାଣିକେଶ୍ବରୀ ହାଇସ୍କୁଲ ଛାତ୍ର ଥିଲା ବେଳେ ସୌମେନ୍ଦ୍ର ପ୍ରିୟଦର୍ଶୀ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲର ଛାତ୍ର ଥିଲେ ।

Leave A Reply

Your email address will not be published.