ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହେବ । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଏହି ପର୍ବ ପାଳନ ସମୟରେ ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତବର୍ଷ ୨୦୨୫ ରେ ପୋଲିସର ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଶାନ୍ତିଶୃଙ୍ଖଳା ସହିତ ଏହି ପର୍ବ ପାଳନ ହୋଇଥିଲା । ଚଳିତ ବର୍ଷ ମଧ୍ୟ ବ୍ୟାପକ ପୋଲିସ ମୁତୟନ ସହ ଉପଯୁକ୍ତ ପରିଚାଳନା ମାଧ୍ୟମରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ସ୍ୱନକ୍ଷତ୍ର ଦିବସକୁ ଶ୍ରୀରାମ ନବମୀ ଭାବରେ ସାରା ଦେଶରେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଥାଏ । ଆଧ୍ୟାତ୍ମିକତାର ଏହି ପର୍ବରେ ଓଡ଼ିଶାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯେପରି ବିନା କୌଣସି ଦ୍ୱିଧାରେ ସମ୍ପୂର୍ଣ୍ଣ ଭାବେ ଶାନ୍ତିର ସହ ପାଳନ କରିବେ ତାହା ସୁନିଶ୍ଚିତ କରିବା ପୋଲିସ ପ୍ରଶାସନର ଦାୟିତ୍ୱ । ତେଣୁ, ଏହି ସମୟରେ ସମସ୍ତେ ଯେପରି ସୁରୁଖୁରୁରେ ପର୍ବ ପାଳନ କରିବେ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।
ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଆଇନ ଓ ଶୃଙ୍ଖଳା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦ୍ଦେଶକ ଆର୍.ପି. କୋଚେ, ଭୁବନେଶ୍ୱର-କଟକ ପୋଲିସ କମିଶନର ଦେବଦତ୍ତ ସିଂହ ପ୍ରମୁଖ ଆଲୋଚନା କରିଥିଲେ ।