Latest Odisha News

BREAKING NEWS

‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶୁଭାରମ୍ଭ ହେଲା ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନ । ଆଜି ଭିଡିଓ କନଫରେନ୍‌ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ଲୋକ କଳାକାର ମାନଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା ଓ ସଂଚାର (IEC) କାର୍ଯ୍ୟକ୍ରମ । ଏହା ଦ୍ବାରା ଲୋକମାନେ ପାଇବେ ବିକାଶ ଓ ରୂପାନ୍ତରିତ ଓଡିଶାର ବାର୍ତ୍ତା । ଏହାଦ୍ବାରା ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଜାଣିବା ସହିତ ସରକାରଙ୍କ କାର୍ଯ୍ୟକ୍ରମରେ, ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହୋଇପାରିବେ ।

ଏହି ଅଭିଯାନରେ ଏକ ମାସ ଧରି ରାଜ୍ୟର ସବୁ ଗାଁ, ୫୧୧୬୮ଟି ଗାଁରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ସାରା ରାଜ୍ୟରେ ୨୨ ହଜାର ଲୋକ କଳାକାର ଦଳ ପଞ୍ଜୀକୃତ ହୋଇଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଲୋକ କଳାକାର ମାନଙ୍କର ଖୁବ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଆମର ଲୋକ କଳାକାର ମାନେ ବହୁତ ଭଲ କାମ କରୁଛନ୍ତି । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବାର୍ତ୍ତା ଆପଣ ମାନେ ଲୋକଙ୍କୁ ଦେଉଛନ୍ତି । ଏହାଦ୍ଵାରା ଆମର ଲୋକକଳାର ଆଦର ବଢୁଛି ଏବଂ ଆମ କଳାକାରମାନେ ମଧ୍ୟ ରୋଜଗାର ପାଉଛନ୍ତି । ରାଜ୍ୟର ଲକ୍ଷ ଲକ୍ଷ ଲୋକ ଙ୍କୁ ଆପଣମାନେ ସଶକ୍ତ କରୁଛନ୍ତି ବୋଲି ମତ ଦେବା ସହିତ ସେ କହିଥିଲେ ଯେ ମୋ ସରକାର କଳା ଓ କଳାକାରଙ୍କ ଉନ୍ନତି ପାଇଁ ସଂକଳ୍ପବଦ୍ଧ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆମ କଳା ଓ କଳାକାର ମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର ୨୦୧୦ ରୁ କଳାକାର ସଂଘ ଗଠନ କରିଛି । ଏହି ଉପକ୍ରମ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବାବେଳେ ଏବେ ଏହା ସବୁ ଜିଲ୍ଲା ଓ ବ୍ଲକରେ କାର୍ଯ୍ୟକାରୀ ହୋଇପାରିଛି । ଆମ ରାଜ୍ୟର କଳାକାର ସଂଘ ସାରା ବିଶ୍ଵରେ ଅନନ୍ୟ ବୋଲି ମତ ଦେଇ ସେ କହିଥିଲେ ଯେ ଆପଣ ମାନଙ୍କ ସହଯୋଗରେ ଆଜି ଏହି ସଂଘ ଆଗକୁ ବଢୁଛି । ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ କଳାକାର ସାମିଲ ହେଉଥିବା ଜାଣି ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିବା ସହିତ କହିଥିଲେ ଯେ ମିଶନ ଶକ୍ତି ପରି ସବୁ କଳାକାର ସଂଘକୁ ଆହୁରି ମଜବୁତ କରାଯିବ ।

ସାରା ରାଜ୍ୟରେ ଦୁଇ ଲକ୍ଷରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ସମସ୍ତ ଲୋକ କଳାକାର ମାନଙ୍କୁ ସେ ଶୁଭକାମନା ଜଣାଇଥିଲେ । କଳାକାର ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାକାର ମାନେ ମୋର ପରିବାରର ସଦସ୍ୟ ଭଳି । ଆପଣମାନେ ଭଲ କାମ ଜାରି ରଖନ୍ତୁ, ମୁଁ ଓ ରାଜ୍ୟ ସରକାର ସବୁବେଳେ ସହଯୋଗ ଯୋଗାଇ ଦେବୁ ।

Leave A Reply

Your email address will not be published.