Latest Odisha News

ଆଧୁନିକୀକରଣ ହେବ କ୍ୟାପିଟାଲ ହସ୍ପିଟାଲ, ରୋଗୀ ସେବା ହେବ ଉନ୍ନତ

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତ ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରୋଗୀ, ଅସ୍ଥାୟୀ କର୍ମଚାରୀ ଓ ଡାକ୍ତର ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରୋଗୀ ମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି ।

ସେହିପରି ରୋଗୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ରହିବା, ଖାଇବା ଓ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ଥିବା ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ । ଏହା ସହିତ ହସ୍ପିଟାଲର ପରିମଳ ବ୍ୟବସ୍ଥା ସଂପର୍କରେ ମଧ୍ୟ ବୁଝିଥିଲେ ।

କ୍ୟାପିଟାଲ ହସ୍ପିଟାଲର ଆହୁରି ଆଧୁନିକୀକରଣ କରାଯାଇ ରୋଗୀ ମାନଙ୍କ ପାଇଁ ଅଧିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ହସ୍ପିଟାଲରେ ରୋଗୀ ସେବାରେ ଆହୁରି ଅଧିକ ଉନ୍ନତି ଆଣିବା ତଥା ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ରୋଗୀ ମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ହସ୍ପିଟାଲର ଅସ୍ଥାୟୀ କର୍ମଚାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରି ସେମାନଙ୍କ ପ୍ରାପ୍ୟ ମଜୁରୀ ସମ୍ପର୍କରେ ବୁଝିଥିଲେ । ନୂଆ ବର୍ଦ୍ଧିତ ମଜୁରୀ ମିଳିବା ପରେ ସେମାନଙ୍କ ପ୍ରାପ୍ୟ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରୋଗୀ ସେବା ପରି ଏକ ମହାନ କାର୍ଯ୍ୟରେ ନିଷ୍ଠାର ସହିତ ଦାୟିତ୍ଵ ତୁଲାଉ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ଏହି ସମୟରେ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା ଉପସ୍ଥିତ ଥିଲେ ।

Comments are closed.