ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ କମ୍ପଲେକ୍ସ ଗସ୍ତ କରି ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାସକରି ନିର୍ମାଣାଧୀନ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଇନ୍ଡୋର ଆଥଲେଟିକ୍ ଷ୍ଟାଡିୟମ ହେଉଛି ଦେଶର ସର୍ବ ପ୍ରଥମ ଇନ୍ଡୋର ଆଥଲେଟିକ୍ ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ଆଥଲେଟ ମାନଙ୍କ ପାଇଁ ଏହି ଇନ୍ଡୋର ସୁବିଧା ଦେଶରେ ଆଥଲେଟିକ୍ ଖେଳର ବିକାଶକୁ ଜୋରଦାର କରିବ । ଏହାସହ ଏହି ଷ୍ଟାଡିଅମ ଆଗାମୀ ଦିନରେ ଆଥଲେଟିକ ଚାମ୍ପିଅନ ସୃଷ୍ଟି କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।
ଏହି ଷ୍ଟାଡିୟମକୁ ୧୨୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଛି ଏବଂ ଚଳିତ ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ କ୍ରୀଡା ଅନୁଷ୍ଠିତ ହେବ ଏବଂ ଖେଳାଳିମାନେ ବର୍ଷ ତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ । ଶହେ ଜଣ ଖେଳାଳିଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ନିର୍ମାଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପ୍ରଦର୍ଶନ କରିଥିଲେ । ଏହି ଟେନିସ୍ ସେଣ୍ଟର ଆଇଟିଏଫ ଟୁର୍ଣ୍ଣାମେଣ୍ଟ ଓ ଡେଭିସ କପ ଭଳି ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ଅନୁଷ୍ଠିତ ହେବାର ସୁବିଧା ଉପଲବ୍ଧ ହେବ ।
ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧୀନରେ ଏହି ସବୁ କ୍ରୀଡା ପ୍ରକଳ୍ପ ନିର୍ମାଣ କରାଯାଉଛି । ଏହାଦ୍ବାରା ରାଜ୍ୟର କ୍ରୀଡା କ୍ଷେତ୍ରରେ ରୂପାନ୍ତର ଆସିପାରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ କଳିଙ୍ଗ ଷ୍ଟାଡିଅମ୍ କମ୍ପେଲେକ୍ସରେ ଇନ୍ଡୋର ଆଥଲେଟିକ ଷ୍ଟାଡିୟମ ଓ ଟେନିସ ସେଣ୍ଟର ସହିତ ଇନ୍ଡୋର ଆକ୍ବାଟିକ୍ସ ଷ୍ଟାଡିୟମ ଓ ଷ୍ଟାଫଙ୍କ ପାଇଁ ଆବାସିକ ବ୍ୟବସ୍ଥା ଆଦି ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ଚାଲିଛି ।
ଏହାପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମର ମୁଖ୍ୟ ଫୁଟବଲ୍ ପଡିଆରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ମହିଳା ଫୁଟବଲ ଲିଗ୍ର ମ୍ୟାଚ ଦେଖିଥିଲେ । ଖେଳାଳିଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଭାରତୀୟ ଜାତୀୟ ହକି ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କୁ ଭେଟି ସେମାନଙ୍କର ରହଣୀ ଓ ଖେଳ ଅଭ୍ୟାସ ସଂପର୍କରେ ପଚାରି ବୁଝିଥିଲେ । ହକି କ୍ରୀଡାକୁ ମୁଖ୍ୟମନ୍ତ୍ରୀ ଯେଉଁ ସହଯୋଗ ଯୋଗାଇ ଦେଇଛନ୍ତି, ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗାମୀ ପ୍ରୋ-ଲିଗ୍ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଆଗାମୀ ଏସିଆନ ଓ କମନୱେଲ୍ଥ ଗେମ୍ସରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିବା ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
Comments are closed.