Latest Odisha News

BREAKING NEWS

ଅଘୋଷିତ ବିଦ୍ୟୁତ୍ କାଟ୍ ନ କରିବାକୁ ଶକ୍ତି ବିଭାଗକୁ ତାଗିଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବଦଳିଲା ଅଙ୍ଗନବାଡିର ସମୟ । ଏବେ ସକାଳ ୭ଟାରୁ ୯ଟା ଯାଏଁ ଖୋଲିବ ଅଙ୍ଗନବାଡି । ଏହାସହିତ ଦିନ ୧୧ଟା ରୁ ୫ଟା ଏବଂ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି ।

ବୈଠକରେ ସମସ୍ତ ଜିଲ୍ଲାପାଳ ଓ ଉପସ୍ଥିତ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି , ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବ ସହିତ ଅନେକ ଜିଲ୍ଲାରେ ତାପମାତ୍ରା ମଧ୍ୟ ବଢୁଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ଦିନରେ ତାପମାତ୍ରା କମିବାର ଆଶା କରାଯାଉଥିଲେ ମଧ୍ୟ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ସରକାରୀ ସ୍ତରରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯାହା SOPଜାରି କରାଯାଇଛି, ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଆବଶ୍ୟକସ୍ଥଳେ SOP ବାହାରେ ମଧ୍ୟ କାମ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି।
ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ରଖି ସମସ୍ତେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଅଂଶୁଘାତର ମୁକାବିଲା ପାଇଁ ଛାଇ ଓ ପାଣି ଗୁରୁତ୍ବପୂର୍ଣ୍ଣ । ସହରାଞ୍ଚଳରେ ଟ୍ରାଫିକ ଛକ ଏବଂ ଗ୍ରାମାଞ୍ଚଳରେ ବସ୍‌ଷ୍ଟାଣ୍ଡ ଗୁଡିକରେ ଛାଇ ପାଇଁ ଟେଣ୍ଟ ବ୍ୟବସ୍ଥା ଓ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ସମସ୍ତେ ଯତ୍ନବାନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ । ବିଗତ ଦିନରେ ସଚେତନତାମୂଳକ ପ୍ରଚାର ପ୍ରସାର ଜରିଆରେ ଆମେ ସଫଳତା ପାଇଛୁ। ତେଣୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଟିଭି, ରେଡିଓ, ଖବରକାଗଜ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ।

ସେହିପରି ରାଜ୍ୟର ସମସ୍ତ ସ୍କୁଲଗୁଡିକୁ ଯଥାଶୀଘ୍ର ସକାଳୁଆ କରିବା ପାଇଁ ତୁରନ୍ତ sopଜାରି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଅଙ୍ଗନବାଡି କେନ୍ଦ୍ରଗୁଡିକ ସମୟ ପରିବର୍ତ୍ତନ କରି ସକାଳ ୭ଟା ରୁ ୯ଟା ମଧ୍ୟରେ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ପାନୀଯ ଜଳକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୭ ହଜାରରୁ ଅଧିକ ନଳକୂପ ମଞ୍ଜୁର କରାଯାଇଛି । କୌଣସି ଜାଗାରେ ଯେପରି ପାଣି ପାଇଁ ଅସୁବିଧା ନ ହୁଏ, ତାହାକୁ ଦୃଷ୍ଟିରେ ରଖି ସପ୍ତାହକ ମଧ୍ୟରେ ନଳକୂପ ସ୍ଥାପନ ଓ ମରାମତି କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପଦକ୍ଷେପ ନେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଦିନ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଅନ୍ୟପଟେ ଖରାଦିନେ ବିଦ୍ୟୁତ କାଟ୍‌ ଉପରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିନ ୧୧ଟା ରୁ ୫ଟା ଏବଂ ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ କାଟ୍‌ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଶକ୍ତି ବିଭାଗକୁ କଡା ନିର୍ଦ୍ଦେଶ ଦେଇଛନ୍ତି । କାଳବୈଶାଖୀ ସମୟରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ନ ହେବା ପାଇଁ ଆଗୁଆ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିସହିତ ଖରାଦିନେ ଗ୍ରାମାଞ୍ଚଳରେ ନିଆଁ ଲାଗିବାର ସମ୍ଭାବନା ଥିବାରୁ ଅଗ୍ନିଶମ ବିଭାଗ ସଜାଗ ରହିବାକୁ ସେ କହିଥିଲେ ।

Comments are closed.