ଭୁବନେଶ୍ୱର: ଆଜି ନୂଆ ସରକାର ଗଠନର ଛଅ ମାସ ପୂରଣ ହୋଇଛି । ଏହି ଅବସରରେ ଆଜି ରାଜ୍ୟର ଏକ ପ୍ରମୁଖ କାର୍ଯ୍ୟକ୍ରମ-୮୦୦ ଟଙ୍କା ଇନପୁଟ୍ ସହାୟତାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଛଅ ମାସ ମଧ୍ୟରେ ଅନେକ ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି ।
ଏହା ସହ ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ସହିତ ଆହୁରି ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ପିଏମ୍ କିଷାନ ଓ ସିଏମ୍ କିଷାନ ସହିତ ୮୦୦ ଟଙ୍କା ଇନ୍ପୁଟ ସହାୟତାରେ ଧାନ କିଣା ବ୍ୟବସ୍ଥା ଚାଷୀଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ଦ୍ବାରା ୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହୋଇପାରିବେ । ଏଣୁ, ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଦକ୍ଷତାର ସହିତ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । କୌଣସି ପରିସ୍ଥିତିରେ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବା ଉଚିତ୍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବୈଠକର ଆଲୋଚନାରୁ ଜଣାଯାଇଥିଲା ଯେ ଡିସେମ୍ବର ୧୧ ତାରିଖ ସୁଦ୍ଧା ୯ଟି ଜିଲ୍ଲାରେ ଯଥା, ବରଗଡ, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡା, ନବରଙ୍ଗପୁର, ସୁବର୍ଣ୍ଣପୁର ଓ କୋରାପୁଟରେ ଧାନ ସଂଗ୍ରହ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ୯ଟି ଜିଲ୍ଲାର ୩୭,୦୭୯ ଜଣ ଚାଷୀ ୧,୮୧,୧୯୬ ମେଟ୍ରିକ ଟନ୍ ଧାନ ବିକ୍ରି କରିଛନ୍ତି । ଏହି ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟଭାବେ ୩୨୩.୭୩ କୋଟି ଓ ଇନ୍ପୁଟ୍ ସହାୟତା ଭାବେ ୧୧୨.୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଉ ୪୮ ଘଣ୍ଟା ମଧ୍ୟରେ ୯୩ କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ ୩୨.୩୫ କୋଟି ଟଙ୍କା ଇନ୍ପୁଟ ସହାୟତା ପ୍ରଦାନ କରାଯିବ ।
ସମୀକ୍ଷାରେ ଭର୍ଚୁଆଲ ମୋଡ୍ରେ ଯୋଗଦେଇଥିବା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ଧାନ ସଂଗ୍ରହ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ବୈଠକରେ ଟୋକେନ୍ ବ୍ୟବସ୍ଥା, ଟ୍ୟାଗିଙ୍ଗ ବ୍ୟବସ୍ଥା, ମିଲର ମାନଙ୍କ ସହଯୋଗ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହୋଇଥିଲା ।
ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ସୋସାଇଟି ସ୍ତରୀୟ ଧାନ କିଣା କମିଟି ଗୁଡିକୁ ଆହୁରି ସକ୍ରୀୟ କରିବା ପାଇଁ ସେ କହିଥିଲେ । ଚାଷୀମାନଙ୍କୁ ଅଧିକ ସଚେତନ କରିବା ଓ ସେମାନଙ୍କ ପାଇଁ ସବୁ ପ୍ରକାର ସୁବିଧାର ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ । କଳାହାଣ୍ଡି ଜିଲ୍ଲାରେ ଚାଷୀ ମାନଙ୍କ ପାଇଁ ମଣ୍ଡି ନିକଟରେ କ୍ୟାଣ୍ଟିନ୍, ପାନୀୟ ଜଳ ଓ ଟଏଲେଟ୍ର ବ୍ୟବସ୍ଥା କରିଛନ୍ତି । ଅନ୍ୟ ଜିଲ୍ଲାମାନେ ମଧ୍ୟ ସେହିପରି ବ୍ୟବସ୍ଥାକୁ ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ସେ କହିଥିଲେ ।
ଆହୁରି ମଧ୍ୟ ବରଗଡରେ ମଣ୍ଡିରେ ଧାନ ସଂଗ୍ରହର ସୁନ୍ଦର ମନିଟରିଂ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ୍କୁ ଧାନକିଣାର ଲାଇଭ ଫିଡ୍ ମଧ୍ୟ ଆସୁଛି । ଏପରି ବ୍ୟବସ୍ଥାକୁ ଅନ୍ୟ ସମସ୍ତ ଜିଲ୍ଲା ଭଲ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
Comments are closed.