ଭୁବନେଶ୍ୱର: ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଜମାକାରୀମାନଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ସମୁଦାୟ ୯,୫୩୭ ଜଣ ଜମାକାରୀ ୨୦ କୋଟି ୯୬ ଲକ୍ଷ ଟଙ୍କା ଫେରସ୍ତ ପାଇବାର ପ୍ରକ୍ରିୟା ଆରମ୍ଭ ହୋଇଛି ।
ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅର୍ଥ ଫେରସ୍ତ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଥମ ଦିନରେ ୧୧୭ ଜଣ ଜମାକାରୀଙ୍କ ୨ କୋଟି ୮୦ ଲକ୍ଷ ଟଙ୍କା ଫେରସ୍ତ କରାଗଲା । ମୁଖ୍ୟମନ୍ତ୍ରୀ ପ୍ରତିକାତ୍ମକ ଭାବେ ୯ ଜଣ ଜମାକାରୀଙ୍କୁ ଚେକ୍ ପ୍ରଦାନ କରି ଅର୍ଥ ଫେରସ୍ତ କରିଥିଲେ ।
ସୂଚନାଯୋଗ୍ୟ ଯେ, ଦୀର୍ଘଦିନର ପରିଚାଳନାଗତ ତୃଟି ଯୋଗୁଁ ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଆର୍ଥିକ ପରିସ୍ଥିତି ଖରାପ ହୋଇଯାଇଥିଲା । ୨୦୧୫ରେ ବ୍ୟାଙ୍କ ବନ୍ଦ ହେବା ବେଳକୁ ୧୧,୬୭୩ ଜଣ ଜମାକାରୀଙ୍କ ୩୩ କୋଟି ୮୭ ଲକ୍ଷ ଟଙ୍କା ଫେରସ୍ତ ହେବାର ଥିଲା । ଇତି ମଧ୍ୟରେ ୨୭୦୯ ଜଣ ଜମାକାରୀଙ୍କ ମୋଟ ୧୨ କୋଟି ୭୮ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଥିବା ଜମାକାରୀ ସେମାନଙ୍କ ଅର୍ଥ ଫେରସ୍ତ ପାଇ ପାରିନଥିଲେ । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଏହି ଜମାକାରୀମାନଙ୍କର ଅର୍ଥ ଫେରସ୍ତ ପାଇଁ ନିଷ୍ପତ୍ତି ନେଇଥିଲେ ।
ଏହା ସହିତ ଢେଙ୍କାନାଳ, ଛତ୍ରପୁର, ଆସ୍କା ଓ ଭଞ୍ଜନଗର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଗୁଡ଼ିକର ଜମାକାରୀଙ୍କ ଅର୍ଥ ମଧ୍ୟ ଫେରସ୍ତ କରାଯିବ । ଏହି ୪ଟି ବ୍ୟାଙ୍କର ୧୭, ୮୫୯ ଜଣ ଜମାକାରୀଙ୍କୁ ୬ କୋଟିରୁ ଅଧିକ ଟଙ୍କା ଫେରସ୍ତ କରାଯିବ ।
ଏହି ଅବସରରେ ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅନେକ ଅବିସ୍ମରଣୀୟ ଅବଦାନ ମଧ୍ୟରୁ ଏକ ପ୍ରମୁଖ ଅବଦାନ ଥିଲେ ଓଡ଼ିଶାରେ ସମବାୟ ଆନ୍ଦୋଳନ । ଓଡ଼ିଶାରେ ପ୍ରାୟ ୫୦ ଲକ୍ଷ ଚାଷୀ ସମବାୟ ଆନ୍ଦୋଳନ ସହିତ ଜଡ଼ିତ । ୨୦୩୬ ସୁଦ୍ଧା ରାଜ୍ୟର ସମସ୍ତ କୃଷକଙ୍କୁ ସମବାୟ ସହିତ ଯୋଡ଼ିବା ଆମର ଲକ୍ଷ୍ୟ । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ PACS/LAMPCS ଗଠନ କରାଯିବାର ମଧ୍ୟ ଲକ୍ଷ୍ୟ ରହିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ୨୭୧୧ ଟି PACS ଥିବାବେଳେ ବର୍ତ୍ତମାନ ଆଉ ୧୫୪୨ଟି ନୂଆ PACS ଗଠନ କରାଯାଇଛି। ଏଇ ନୂଆ PACS ଗୁଡ଼ିକୁ ୫ ଲକ୍ଷ ଟଙ୍କା ଲେଖାଏଁ ସିଡ୍ ମନି ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏହି ଅବସରରେ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକୁ ସଶକ୍ତ କରିବା ପାଇଁ ଗୁଜରାଟ ଆନନ୍ଦ ସ୍ଥିତ ତ୍ରିଭୂବନ ସମବାୟ ବିଶ୍ୱ ବିଦ୍ୟାଳୟ ଅନ୍ତର୍ଗତ ଇର୍ମା ସ୍କୁଲ ସହିତ ରାଜ୍ୟ ସରକାରଙ୍କ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ରେଜିଷ୍ଟର ଅଫ୍ କୋ-ଅପରେଟିଭ୍ ସୋସାଇଟିସ୍ ସିଦ୍ଧାର୍ଥ ଦାସ ଏବଂ ଇର୍ମା ସ୍କୁଲର ନିର୍ଦ୍ଦେଶକ ଉମାକାନ୍ତ ଦାଶ ଏମଓୟୁ ସ୍ୱାକ୍ଷର କରିଥିଲେ । ସମବାୟ ସଂସ୍ଥାଗୁଡ଼ିକର ସୁପରିଚାଳନା ପାଇଁ ଏହା ଏକ ନଲେଜ ପାର୍ଟନର ଭାବେ କାର୍ଯ୍ୟ କରିବ ।
Comments are closed.