Latest Odisha News

BREAKING NEWS

ଓଡିଶା, ଓଡ଼ିଆ ଆଉ ଓଡିଶୀର ଅଭୂତପୂର୍ବ ସଙ୍ଗମ ହେଉଛନ୍ତି ଗୁରୁଶ୍ରୀ କେଳୁଚରଣ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପଦ୍ମ ବିଭୂଷଣ ଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଠାରେ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସମେତ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ଓ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ ଆୟୋଜିତ କେଳୁଚରଣ କୀର୍ତ୍ତି ଶତକମ୍ ନାମରେ ଆୟୋଜିତ ତିନି ଦିନିଆ ଚିତ୍ରକଳା ଓ ଫଟୋଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କେଳୁଚରଣ ମହାପାତ୍ରଙ୍କୁ ଓଡିଶା, ଓଡ଼ିଆ ଆଉ ଓଡିଶୀର ଅଭୂତପୂର୍ବ ସଙ୍ଗମ ବୋଲି କହିଥିଲେ । ଗୁରୁ କେଳୁଚରଣ ମହାପାତ୍ର କେବଳ ଜଣେ ମହାନ ନୃତ୍ୟଶିଳ୍ପୀ ନୁହେଁ, ସେ ଥିଲେ ଓଡ଼ିଶୀ ନୃତ୍ୟର ଆତ୍ମା । ଯେତେବେଳେ ଓଡିଶୀ ନୃତ୍ୟ ଅବହେଳାର ଅନ୍ଧକାରରେ ଆବୃତ ଥିଲା, ସେତେବେଳେ ଗୁରୁଜୀ ତାଙ୍କର ଅସୀମ ସାଧନା, ଅତୁଟ ଆସ୍ଥା ଓ ଅଦମ୍ୟ ପରିଶ୍ରମରେ ଏହି ନୃତ୍ୟକଳାକୁ ପୁନର୍ଜୀବନ ଦେଇଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତି, ମାହାରୀ ପରମ୍ପରା, ଶାସ୍ତ୍ରୀୟ ଓ ଲୋକକଳା, ସମସ୍ତଙ୍କ ସମନ୍ୱୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟକୁ ଏକ ଅଦ୍ଭୁତ ଶାସ୍ତ୍ରୀୟ ଆକୃତି ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସଂସ୍କୃତି ବିଭାଗ ସଚିବ ଡ଼ ବିଜୟ କେତନ ଉପାଧ୍ୟାୟ, ଲଳିତକଳା ଏକାଡେମୀର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରଶେଖର ହୋତା, ବିଭାଗୀୟ ନିର୍ଦ୍ଦେଶକ ଦେବପ୍ରସାଦ ଦାଶ ଏବଂ ବରିଷ୍ଠ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ କଳାକାର ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.