ଭୁବନେଶ୍ୱର: ସୋଆ ଅଡିଟୋରୀଅମରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସର ତିନି ଦିନିଆ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଭିନ୍ନକ୍ଷମମାନଙ୍କ ସମସ୍ୟା ଉପରେ ଆମ ସରକାର ସବୁବେଳେ ପ୍ରାଥମିକତା ଦେଉଛି । ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ଯତ୍ନ ପ୍ରଦାନ କରି ସାମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମ ସରକାର ଗୁରୁତ୍ୱ ଦେଇ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଶାରୀରିକ କ୍ଷମତା ବା ଭିନ୍ନ-କ୍ଷମତା ପ୍ରତିଭାର ବିକାଶରେ କେବେ ବି ବାଧା ସୃଷ୍ଟି କରେ ନାହିଁ । ସମାଜର ସହଯୋଗ ଓ ପରିବାରର ପ୍ରେରଣା ଦ୍ୱାରା ଆଜି ଅନେକ ଭିନ୍ନକ୍ଷମ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରଦର୍ଶନ କରି ଏହା ପ୍ରମାଣିତ କରିଛନ୍ତି ।
ସେ କହିଥିଲେ ଯେ, ୨୦୧୪ ମସିହାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ଦାୟିତ୍ୱ ନେବା ପରେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗଙ୍କ ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ସବୁ ବ୍ୟାପକ କରାଯାଇଛି । ସ୍ୱାଧୀନତା ପରଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ମାତ୍ର ୭ ଲକ୍ଷ ଭିନ୍ନକ୍ଷମ ଲୋକଙ୍କୁ କୃତ୍ରିମ ଉପକରଣ ପ୍ରଦାନ କରିଥିବା ବେଳେ, ୨୦୧୪ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍, ୧୧ ବର୍ଷ ମଧ୍ୟରେ ୩୧ ଲକ୍ଷ କୃତ୍ରିମ ଭିନ୍ନକ୍ଷମ ଉପକରଣ ପ୍ରଦାନ କରାଗଲାଣି । ୨୦୧୫ ମସିହାରେ ମୋଦୀଜୀ ଭିନ୍ନକ୍ଷମଙ୍କ ପାଇଁ ଦିବ୍ୟାଙ୍ଗ ଶବ୍ଦ ଆରମ୍ଭ କରିଥିଲେ ।
ସେ ଆହୁରି କହିଥିଲେ, ଆମ ସରକାର ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜରିଆରେ ରାଜ୍ୟରେ ଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱୟଂସିଦ୍ଧ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ।
ନିଯୁକ୍ତି ଦାତା ଓ ଶିଳ୍ପାନୁଷ୍ଠାନମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ କହିଥିଲେ ଯେ, ଆମ ରାଜ୍ୟରେ ଅନେକ ଭିନ୍ନକ୍ଷମ ଯୁବକଯୁବତୀ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇ ଦକ୍ଷତାର ସହ କାମ କରୁଛନ୍ତି । ଭିନ୍ନକ୍ଷମମାନଙ୍କ ପାଖରେ ଭରପୂର ପ୍ରତିଭା ରହିଛି । ସେଗୁଡ଼ିକ ନିଯୁକ୍ତି ମାଧ୍ୟମରେ ପ୍ରସ୍ପୁଟିତ ହେବା ଆବଶ୍ୟକ ।
ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭିନ୍ନକ୍ଷମମାନେ କାହାର ଦୟା କିମ୍ୱା ସମବେଦନା ଚାହାନ୍ତି ନାହିଁ, ସେମାନେ ଚାହାନ୍ତି ସମ୍ମାନର ସହିତ ଜୀବନ ନିର୍ବାହ କରିବାର ଅଧିକାର ଏବଂ ସେ ଅଧିକାର ପ୍ରଦାନ କରିବା ହେଉଛି ଆମର ଦାୟିତ୍ୱ । ଭିନ୍ନକ୍ଷମମାନଙ୍କୁ ସେ ଉତ୍ସାହିତ କରି କହିଥିଲେ, ଆପଣମାନଙ୍କ ସ୍ୱପ୍ନ ଓ ଆଶା ଆକାଂକ୍ଷା ଆମ ବିକାଶର କେନ୍ଦ୍ରବିନ୍ଦୁ । କେବେ ବି ଆଶା ହରାନ୍ତୁ ନାହିଁ, ଶିଖନ୍ତୁ। ଆପଣଙ୍କ ସଫଳତାର କୌଣସି ସୀମା ନାହିଁ । ଯଦି ଆପଣଙ୍କ ପାଇଁ କିଏ ସୀମାରେଖା ଟାଣେ, ତେବେ ତାକୁ ଚ୍ୟାଲେଞ୍ଜ କରନ୍ତୁ । ଆପଣ ନିଶ୍ଚୟ ସୀମାହୀନ ସଫଳତା ହାସଲ କରିପାରିବେ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିବେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ T20 ଦୃଷ୍ଟିବାଧିତ ମହିଳା ବିଶ୍ୱକପ କ୍ରିକେଟର ୪ ଜଣ ଖେଳାଳୀଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୃତୀତ୍ୱ ଅର୍ଜନ କରିଥିବା ସମୁଦାୟ ୩୩ ଜଣ ଭିନ୍ନକ୍ଷମ କ୍ରୀଡାବିତଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । କୃତି ବିଦ୍ୟାର୍ଥୀମାନଙ୍କୁ ଲାପଟପ୍ ବଣ୍ଟନର ଶୁଭାରମ୍ଭ କରିଥିଲେ ।