ଭୁବନେଶ୍ୱର: ଉପଭୋକ୍ତା ସୁରକ୍ଷା ଅଭିଯାନକୁ ଫଳପ୍ରଦ କରିବା ପାଇଁ ସରକାରୀ, ବେସରକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜ ଏବଂ ସର୍ବୋପରି ଗଣମାଧ୍ୟମର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି । ସବୁ ବର୍ଗର ଉପଭୋକ୍ତା ଯେପରି ସକ୍ରିୟ ଭାବେ ଅଂଶଗ୍ରହଣ କରି ଉପଭୋକ୍ତା ସୁରକ୍ଷା ଆଇନ୍ ୨୦୧୯ର ସଫଳତାରେ ଭାଗିଦାରୀ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବଦା ସହଯୋଗ ରହିବ ବୋଲି ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ୨୦୨୪ ପାଳନ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ୧୯୮୬ ମସିହା ଡିସେମ୍ବର ୨୪ ତାରିଖରେ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ ହୋଇଥିଲା । ଏହି ଆଇନରେ ବ୍ୟବସାୟୀ ସଂସ୍ଥାକୁ ଉତ୍ତରଦାୟୀ କରିବା ପାଇଁ ଯଥେଷ୍ଟ ପ୍ରାବଧାନ ନ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଗୁରୁତ୍ୱର ସହ ନେଇ ସଂସଦରେ ନୂଆ ଉପଭୋକ୍ତା ଆଇନ ୨୦୧୯ ପାରିତ କରିଥିଲେ ଏବଂ ୨୦୨୦ ଜୁଲାଇ ୨୦ରୁ ଏହା ସାରା ଦେଶରେ କାର୍ଯ୍ୟକାରୀ ହେଉଛି । ଏହି ଆଇନରେ ଠକ ସଂସ୍ଥାକୁ ଉତ୍ତରଦାୟୀ କରିବା ସହିତ ସମସ୍ତ ପ୍ରକାର ଗଳାବାଟକୁ ବନ୍ଦ କରିବାର ପ୍ରାବଧାନ କରାଯାଇଛି ।
ସେ ଆହୁରି କହିଥିଲେ ଯେ, ଆଜିର ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ଯୁଗରେ ଲୋକମାନେ ସହଜରେ ଠକାମିର ଶିକାର ହେଉଛନ୍ତି । ସେବା ଓ ସାମଗ୍ରୀ ଯୋଗାଇଦେଉଥିବା ସଂସ୍ଥା ଲୋକମାନଙ୍କୁ ଠକି ଦେଇ ରାତାରାତି ଗାଏବ ହୋଇଯାଉଛନ୍ତି । ୨୦୧୦ ମସିହାରେ ଓଡିଶାରେ ଟିଟଫଣ୍ଡ ସଂସ୍ଥା ମାଧ୍ୟମରେ ବହୁତ ଲୋକ ଠକାମିରେ ଶିକାର ହୋଇଥିଲେ । ଏ ସବୁକୁ ରୋକିବା ଓ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ନୂଆ ଆଇନରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗଠନ କରାଯାଇଛି ।
ଉପଭୋକ୍ତା ଅଧିକାରର କୌଣସି ପ୍ରକାର ଉଲଂଘନ ହେଲେ ଏହି ପ୍ରାଧିକରଣ ତା’ର ଯାଞ୍ଚ ଓ ତଦନ୍ତ କରି ସୁରକ୍ଷା ଯୋଗାଇଦେବେ । ଉପଭୋକ୍ତାମାନେ ମଧ୍ୟ ଘରେ ବସି ଇ-ଫିଲିଙ୍ଗ ମାଧ୍ୟମରେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ ଓ ନ୍ୟାୟ ପାଇପାରିବେ । ଚଳିତ ବର୍ଷ ଏହି ଦିବସ ପାଳନର ଥିମ୍ ରହିଛି ଉପଭୋକ୍ତା ନ୍ୟାୟ ପାଇଁ ଭର୍ଚୁଆଲ ଶୁଣାଣି ଏବଂ ଡିଜିଟାଲ ଅଭିଗମ୍ୟତା । ଉପଭୋକ୍ତାମାନେ ବିନା ଅସୁବିଧାରେ ଡିଜିଟାଲ ମାଧ୍ୟମରେ ଅଭିଯୋଗ କରିପାରିବେ ଏବଂ ନ୍ୟାୟ ମଧ୍ୟ ପାଇପାରିବେ । ଠକାମିର ଶିକାର ହେଲେ ଡିଜିଟାଲ ମାଧ୍ୟମରେ ଅଭିଯୋଗ କରିବାକୁ ଉପଭୋକ୍ତାମାନେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ସେ ପୁଣି କହିଥିଲେ ଯେ, ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଆମକୁ ପ୍ରଥମେ ସଚେତନ ହେବାକୁ ପଡିବ । ତାହେଲେ ଯାଇ ବ୍ୟକ୍ତି ଅଧିକାର ସୁରକ୍ଷିତ ରହି ପାରିବ । ଏବେ ରାଜ୍ୟ ତଥା ଜିଲ୍ଲା ସ୍ତରରେ ସଚେତନତା ବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଖାଉଟି ସୁରକ୍ଷା ବିପ୍ଳବକୁ ଆହୁରି ତ୍ୱରାନ୍ୱିତ କରାଯାଉଛି । ଉପଭୋକ୍ତା ସୁରକ୍ଷା ସଚେତନତା ଏକ ସାମାଜିକ ଆନ୍ଦୋଳନ । ସଚେତନ ଉପଭୋକ୍ତା ହିଁ ସୁରକ୍ଷିତ ଉପଭୋକ୍ତା ବାର୍ତ୍ତାକୁ ଜନସାଧାରଣରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁ ଖାଉଟି ଅଧିକାର ପାଇଁ ଯୁବ ସମାଜ ଆଜି ସଚେତନ ହୋଇଛନ୍ତି । ଖାଉଟି କଲ୍ୟାଣ ପାଇଁ ବଜେଟରେ ଅଧିକ ପ୍ରାବଧାନ କରାଯାଇଛି । ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ ଆନୁଯାୟୀ କଠୋର ପଦକ୍ଷେପ ନିଆଯାଉଛି । ଆଗାମୀ ଦିନରେ ଏହି ପଦକ୍ଷେପ ଆହୁରି କଡାକଡି ହେବ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ୨୦୩୬ରେ ଆମେ ଏକ ସମୃଦ୍ଧ ଓ ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଛୁ । ବିକଶିତ ଓଡିଶାରେ ଉପଭୋକ୍ତାମାନେ ଠକେଇର ଶିକାର ହେବା ଉଚିତ୍ ନୁହେଁ । ତେଣୁ, ଏକ ଠକେଇମୁକ୍ତ ତଥା ଅସାଧୁ ବ୍ୟବସାୟୀମୁକ୍ତ ଓଡିଶା କିପରି ଗଠନ ହେବ ସେଥିପାଇଁ ଜନସାଧାରଣ ମତାମତ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।