Latest Odisha News

BREAKING NEWS

ଅକ୍ଟୋବର ୨୪ ଯାଏଁ ବଢିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଆବେଦନ ଅବଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଆବେଦନର ତାରିଖ ବୃଦ୍ଧି ହେଲା । ଅକ୍ଟୋବର ୨୪ ଯାଏଁ ଅର୍ଥାତ୍ ଆହୁରି ୧୪ ଦିନ ବଢ଼ିଲା ଆବେଦନ ଅବଧି । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ବିଭିନ୍ନ ବୃତ୍ତି ପାଇଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି ।

ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ଯୋଜନା ଏବଂ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଲାଗି ଆବେଦନର ଶେଷ ତାରିଖ ଅକ୍ଟୋବର ୧୦ ରହିଥିଲା । ଏହାକୁ ବଢାଇ ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଇ-ମେଧାବୃତ୍ତି ଓ ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ପାଇଁ ଆବେଦନ ଫର୍ମଗୁଡିକୁ ୩୧ ତାରିଖ ମଧ୍ୟରେ ଯାଞ୍ଚ କରାଯିବ । ସେହିପରି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାର ଫର୍ମଗୁଡିକ ଯାଞ୍ଚ ପାଇଁ ନଭେମ୍ବର ୧୦ ଶେଷ ତାରିଖ ରଖାଯାଇଛି ।

ବୃତ୍ତି ପାଇଁ ଆବେଦନ କରିବାକୁ ହେଲେ www.scholarship. odisha.gov.in ରେ ଯାଇକି ଆବେଦନ କରିବାକୁ କୁହାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଇ-ମେଧାବୃତ୍ତି ମାଧ୍ୟମରେ ସ୍ନାତକ ଛାତ୍ରୀଛାତ୍ରଙ୍କୁ ୧୦ହଜାର, ସ୍ନାତକୋତ୍ତରଙ୍କୁ ୧୫ ହଜାର ଏବଂ ବୈଷୟିକ ଓ ବୃତ୍ତିଗତ ଛାତ୍ରୀଛାତ୍ରଙ୍କୁ ୨୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ଗୋପବନ୍ଧୁ ଯୋଜନାରେ ଯେଉଁ ପିଲାଙ୍କର ପାରିବାରିକ ଆୟ ୨ଲକ୍ଷ ୫୦ ହଜାର ଟଙ୍କାରୁ କମ୍‌ ରହିଛି, ସେମାନଙ୍କୁ ପ୍ରତି ବର୍ଷ ୨୦ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯାଉଛି ।

ସେହିପରି ଓଡ଼ିଆ ସ୍ନାତକୋତ୍ତର ପାଠ୍ୟକ୍ରମରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ଏକକାଳୀନ ୩୦ହଜାର ଟଙ୍କା ଏବଂ ଓଡ଼ିଆ ସମ୍ମାନ(ମେଜର)ସ୍ନାତକ ପାଠ୍ୟକ୍ରମରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ଏକକାଳୀନ ୨୦ ହଜାର ଟଙ୍କା ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ ।

Comments are closed.