Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ବୈଠକ, ଦେଲେ ଏହି ସବୁ ପରାମର୍ଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରି ବିପଦଶଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଶତପ୍ରତିଶତ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଅକ୍ଟୋବର ୨୪ ତାରିଖ ସକାଳ ସୁଦ୍ଧା ପୁରୀ ଓ ସାଗାରଦ୍ବୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଅଛି । ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ।

ବୈଠକ ପରେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାତ୍ୟା ପାଇଁ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ । ବାତ୍ୟାପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଅଗ୍ନୀଶମ ବାହିନୀ, ଓଡ୍ରାଫ ଟିମ୍ ଓ ଏନଡିଆରଏଫ୍ ଟିମ୍ ସମସ୍ତେ ପ୍ରସ୍ତୁତ ଅଛନ୍ତି ।

ବୈଠକରେ ମୁଖ୍ୟମନ୍ତ୍ରୀ, ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଆବଶ୍ୟକୀୟ ଖାଦ୍ୟ ପଦାର୍ଥ, ପିଇବା ପାଣି, ଆବଶ୍ୟକୀୟ ଔଷଧ, ଶିଶୁ ଖାଦ୍ୟ ତୁରନ୍ତ ମହଜୁଦ ରଖିବା ସହିତ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବାତ୍ୟାର ତୁରନ୍ତ ପରେ ବିଭିନ୍ନ ରାସ୍ତା ଘାଟରେ ଅବରୋଧ ଦୂର କରି ଯେପରି ବିଦ୍ୟୁତ, ପାଣି ଓ ଟେଲି ଯୋଗାଯୋଗ ପରି ମୌଳିକ ସେବା ତୁରନ୍ତ କାର୍ଯ୍ୟକ୍ଷମ ହେବ, ସେଥିପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଥିଲେ । ଡାକ୍ତରଖାନା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଗୁଡିକରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ବାତ୍ୟା ସମୟରେ ଏବଂ ପରେ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଦର ବୃଦ୍ଧି ନହୁଏ, ସେଥିପାଇଁ କଳାବଜାରୀଙ୍କ ଉପରେ ନଜର ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବିଭିନ୍ନ ଜିଲ୍ଲା ମଧ୍ୟରେ ସମନ୍ୱୟ ରଖି ପ୍ରଭାବିତ ନ ହୋଇଥିବା ଅଞ୍ଚଳରୁ ଯେପରି ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆସିପାରିବ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ ।

କୃଷି ବିଭାଗକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବାତ୍ୟା ପରେ କ୍ଷୟକ୍ଷତିର ଆଗୁଆ ଆକଳନ କରିବା ଆବଶ୍ୟକ । ଏହା ସହିତ ବିଭାଗର ‘କଣ୍ଟିଜେନ୍ସି ଯୋଜନା’ କୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । ସେହିପରି ଆଗୁଆ ରବି ଚାଷ ପାଇଁ ସମସ୍ତ ପ୍ରକାର ଇନପୁଟ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଚାଷୀଙ୍କୁ ପ୍ରଦାନ କରାଯିବା ଉଚିତ ବୋଲି ସେ କହିଥିଲେ ।

ବାତ୍ୟା ସମୟରେ କୌଣସି ପ୍ରକାର ଗୁଜବ ଏବଂ ମିଥ୍ୟା ସୂଚନାକୁ ରୋକିବା ପାଇଁ ଏସଆରସିଙ୍କ ତରଫରୁ ନିୟମିତ ଭାବେ ଗଣମାଧ୍ୟମରେ ସୂଚନା ଦେବା ଆବଶ୍ୟକ ବୋଲି ସେ କହିଥିଲେ । ଏହା ସହିତ ଏସଆରସି, ଓଏସଡିଏମଏ, ସୂଚନା ଓ ଲୋକସମ୍ପର୍କ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ବିଭାଗ, ଗୃହ ବିଭାଗର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନିୟମିତଭାବେ ଅଧିକୃତ ସୂଚନା ଅପଲୋଡ ହେବା ଆବଶ୍ୟକ ବୋଲି ସେ କହିଥିଲେ।

ସେହିପରି ସବୁଠାରୁ ଅଧିକ ପ୍ରଭାବିତ ସ୍ଥାନକୁ ଚିହ୍ନିଟ କରି ଗୋଖାଦ୍ୟ ଓ କୁକୁଡା ଖାଦ୍ୟ ମହଜୁଦ ରଖିବା ବୋଲି ସେ କହିଥିଲେ।

ସେହିପରି ସହରାଞ୍ଚଳରେ ବିଲ୍ ବୋର୍ଡ କିମ୍ବା ସାଇନ ବୋର୍ଡ ଉପୁଡି ଲୋକେ ମୃତାହତ ହୁଅନ୍ତି । ତେଣୁ ସବୁ ସହରାଞ୍ଚଳ ବିଶେଷ ଭାବେ ଭୁବନେଶ୍ଵର, କଟକ, ପୁରୀ ଏବଂ ବ୍ରହ୍ମପୁର ସହରରୁ ସବୁ ଦୁର୍ବଳ ବିଲବୋର୍ଡ କୁ ତୁରନ୍ତ ଚିହ୍ନଟ କରି ସେସବୁକୁ ହଟାଯିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.