Latest Odisha News

BREAKING NEWS

ସଡ଼କ ନିରାପତ୍ତା ନିୟମ କଡ଼ାକଡ଼ି ଲାଗୁ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ, ନଜରରେ ୨ ଚକିଆ

ଭୁବନେଶ୍ୱର: ରାଜ୍ୟରେ କଡ଼ାକଡ଼ି ହେବ ସଡ଼କ ନିରାପତ୍ତା ନିୟମ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୋଲିସ ଅଧିକାରୀ ଓ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଡ଼କ ଦୁର୍ଘଟଣା ଯୋଗୁଁ ଜୀବନହାନୀ ଘଟୁଛି । ଏହାକୁ ରୋକିବା ଲାଗି ସଡ଼କ ନିରାପତ୍ତା ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ପ୍ରତିଜିଲ୍ଲାରେ ଲକ୍ଷ୍ୟଭେଦୀ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ସହ ସେଗୁଡ଼ିକର କାର୍ଯ୍ୟକାରୀତା ନିଶ୍ଚିତ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଏକ ଉଚ୍ଚସ୍ତରୀୟ ବେଠୖକରେ ସଡ଼କ ନିରାପତ୍ତା ସ୍ଥିତିର ସମୀକ୍ଷା କରି ଏହି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Chief Secretary Direct Districts To Strict Implement Of Road Safety Laws

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆୟୋଜିତ ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ସଡ଼କ ନିରାପତ୍ତା ସମ୍ବନ୍ଧିତ ସଦ୍ୟ ତଥ୍ୟ ଓ କାର୍ଯ୍ୟ ଯୋଜନା ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ଏବଂ ଏସପି ମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନଜି ନିଜ ଜିଲ୍ଲାରେ ନିଆଯାଉଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ସମୀକ୍ଷାରୁ ଜଣା ପଡ଼ିଥିଲା ଜାତୀୟସ୍ତରରେ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ଯୋଗୁଁ ପ୍ରତିବର୍ଷ ଡିଜିପିର ପ୍ରାୟ ୩.୧୪ ଶତକଡ଼ା କ୍ଷତି ହେଉଛି । ଯାହାକି ପ୍ରାୟ ୪ ଲକ୍ଷ କୋଟି ଟଙ୍କା ସହ ସମାନ ।

ଏଥିରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୭୬ ଶତକଡ଼ା ହେଉଛନ୍ତି ୧୮ରୁ ୪୫ ବର୍ଷ ବୟସ୍କ ରୋଗଗାରକ୍ଷମ ବ୍ୟକ୍ତି । ଓଡ଼ିଶାରେ ସଡ଼କ ଦୁର୍ଘଟଣା ମୃତ୍ୟୁର ଶତକଡ଼ା ୪୧ ଭାଗ ହେଲ୍‌ମେଟ୍‌ ପିନ୍ଧିନଥିବା କାରଣରୁ ଘଟୁଛି ଏବଂ ଶତକଡ଼ା ୬୯ ଭାଗ ଦୁର୍ଘଟଣା ଦ୍ରୁତ ଗାଡ଼ି ଚାଳନା ଯୋଗୁଁ ଘଟୁଛି । ୨୦୧୯ ମସିହାରେ ପ୍ରାୟ ୨ ହଜାର ୩୯୭ ଜଣ ୨ ଚକିଆ ଆରୋହୀ ହେଲ୍‌ମେଟ୍‌ ପିନ୍ଧିନଥିବା କାରଣରୁ ମସ୍ତିଷ୍କ ଆଘାତରେ ପ୍ରାଣ ହରାଇଛନ୍ତି । ୨୦୧୯ ମସିହାରେ ସମୁଦାୟ ୫ ହଜାର ୩୩୩ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ୨୦୨୦ ମସିହାରେ ଏହା ୧୧ ଶତକଡ଼ାରୁ ଅଧିକ ହ୍ରାସ ପାଇଛି ।

Chief Secretary Direct Districts To Strict Implement Of Road Safety Laws

ଏହି ସମସ୍ତ ତଥ୍ୟର ବିଚାରକରି ଦ୍ରୁତ ଗାଡ଼ି ଚାଳନା, ହେଲ୍‌ମେଟ୍‌ ପିନ୍ଧିବା ଆଦି ନିୟମକୁ କଡ଼ାକଡ଼ି ଲାଗୁ କରିବା ନିମନ୍ତେ ମୁଖ୍ୟ ଶାସନ ସଚବି ନିର୍ଦ୍ଦେଶ ଦେବା ସହ ପ୍ରତିବର୍ଷ କ୍ରମାଗତ ଭାବେ ମୃତ୍ୟୁ ସଂଖ୍ୟା ହ୍ରାସ ନିମନ୍ତେ ଜିଲ୍ଲାୱାରୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଗ୍ରାମ୍ୟ ଉନ୍ନୟନ, ଜାତୀୟ ରାଜପଥ, ପୋଲିସ୍‌, ପରିବହନ ଅଧିକାରୀଙ୍କ ସମେତ ସଡ଼କ ନିରାପତ୍ତାରେ ଆଗ୍ରହୀ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକର ସଂଯୋଗ ସ୍ଥାନ ଠିକ୍‌ ପୂର୍ବରୁ ସତର୍କ ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ଘଟିବା ସ୍ଥାନରେ ଜୀବନ ସହାୟକ ଆମ୍ବୁଲାନ୍ସ ପହଞ୍ଚିବାର ସମୟକୁ କମାଇବା ଏବଂ ଆମ୍ବୁଲାନ୍ସ ଗୁଡ଼ିକର ‘ରିଅଲ ଟାଇମ’ ପରିଚାଳନାକୁ ଅଧିକ ଲକ୍ଷ୍ୟଭେଦୀ କରିବା ପାଇଁ ଶ୍ରୀ ମହାପାତ୍ର ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ରାସ୍ତା ଦୁର୍ଘଟଣା, ଉଦ୍ଧାର ଏବଂ ୧ ଘଣ୍ଟା ମଧ୍ୟରେ ନକିଟବର୍ତ୍ତୀ ହସ୍ପିଟାଲ୍‌ରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କର ଚିକିତ୍ସା ଆଦି ବିଷୟକୁ ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ରଖିବା ପାଇଁ ବେଠୖକରେ ଆଲୋଚନା ହୋଇଥିଲା ।

Chief Secretary Direct Districts To Strict Implement Of Road Safety Laws

ପ୍ରମୁଖ ଶାସନ ସଚିବ ଶ୍ରୀ ପାଢ଼ୀ ଜଣାଇଥିଲେ- ୨୦୧୬ ମସିହାରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ଅନ୍ୟାନ୍ୟ ମୁଖ୍ୟ ରାସ୍ତା ଆଦିରେ ଚିହ୍ନଟ ହୋଇଥିବା ୨୮୬ଟି ଦୁର୍ଘଟଣା ପ୍ରବଣ ସ୍ଥାନ (ବ୍ଲାକ୍‌ସ୍ପଟ୍‌) ଗୁଡ଼ିକର ଆଶୁ ସଂଶୋଧନ କାର୍ଯ୍ୟ ସରିଛି । ସେହିପରି୨୦୧୭ ମସିହାରେ ଚିହ୍ନଟ ହୋଇଥିବା ୪୩୫ଟି ଏବଂ ୨୦୧୮ ମସିହାରେ ଚିହ୍ନଟ ହୋଇଥିବା ୨୭୫ଟି ବ୍ଲାକ୍‌ ସ୍ପଟ୍‌ ଗୁଡ଼ିକର ଆଶୁ ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଛି । ୨୦୧୯ ମସିହାରେ ୩୩୫ ଟି ବ୍ଲାକ୍‌ ସ୍ପଟ୍‌ ଚହ୍ନିଟ ହୋଇଛି । ୨୦୧୯ ମସିହାରେ ଚିହ୍ନଟ ହୋଇଥିବା ବ୍ଲାକ୍‌ ସ୍ପଟ୍‌ ଗୁଡ଼ିକର ମରାମତି କାର୍ଯ୍ୟ ତୁରନ୍ତ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲଗାତାର ଭାବେ ବ୍ଲାକ୍‌ସ୍ପଟ୍ ଚହ୍ନିଟ ଏବଂ ସେ ସବୁର ମରାମତି କାର୍ଯ୍ୟର ତଦାରଖ ଜିଲ୍ଲାସ୍ତରରେ କରିବା ସହ ଅଭିଯାନ ଭିତ୍ତିରେ ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖି ପ୍ରତି ବର୍ଷ ଦୁର୍ଘଟଣା ହାର କମାଇବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଏବଂ ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Chief Secretary Direct Districts To Strict Implement Of Road Safety Laws

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଅର୍ଥବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଅତିରିକ୍ତ ପୋଲିସ୍‌ ନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ପୋଲିସ୍‌ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.