Latest Odisha News

BREAKING NEWS

ମୁଖ୍ୟ ଶାସନ ସଚିବ ଭେଟିନାହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ, ରାଜ୍ୟରେ ‘କଳାପାହାଡ’ ଶାସନ ଚାଲିଛି: ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡା: କୋଲାବିରା ଠାରେ ଆୟୋଜିତ ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ସମେତ ଅନେକ ପ୍ରସଙ୍ଗକୁ ନେଇ ବିଜେଡି ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଡ୍ୟୁଟିରେ ଥିବା ପୋଲିସ ଅଧିକାରୀ ଏବଂ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସେ ଜବାବ ମାଗିଛନ୍ତି।

ସେହିପରି ଲାଇକେରା, କିର୍ମିରା, କୋଲାବିରା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କ ବିକାଶ ପାଇଁ କେତେ ଥର ଆଦିବାସୀ ପରାମର୍ଶଦାତା କମିଟିର ସଭାପତିତ୍ୱ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ମୋ ସୂଚନା ଅନୁଯାୟୀ, ମୁଖ୍ୟ ଶାସନ ସଚିବ ନିଯୁକ୍ତି ହେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କୁ ଥରେ ବି ଭେଟି ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଡିଜିଙ୍କ ଆଲୋଚନା କରିବାର କୌଣସି ସୁଯୋଗ ନାହିଁ। ଏଠାରେ କିଏ ଶାସନ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ‘କଳାପାହାଡ’ମାନେ ରାଜୁତି କରୁଛନ୍ତି। ଏଠାରେ ରାଜା ଖାଁଙ୍କୁ ବିଜେଡିର ନେତାମାନେ ସୁରକ୍ଷା ଦେଉଛନ୍ତି ବୋଲି ସେ କହିଛନ୍ତି। ସମ୍ବଲପୁର ପ୍ରସଙ୍ଗ ଉଠାଇ ସେ ପ୍ରଶ୍ନ କରିଛନ୍ତି, ସମ୍ବଲପୁରକୁ ପାକିସ୍ତାନ ହେବାକୁ ଦେବୁ କି?

ସେ ଆହୁରି କହିଛନ୍ତି, ଶିଳ୍ପ ସମୃଦ୍ଧ ଝାରସୁଗୁଡାରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାର କାରଣ ଜଣାନପଡିବା ଏବଂ ନାବଳକ ସମର୍ଥ ଅଗ୍ରଓ୍ୱାଲର ଅପହରଣ ଓ ହତ୍ୟା ହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ନ ରଖିବା ରାଜ୍ୟରେ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ଆଜି କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିମାନେ ଓଡ଼ିଶାର ସମ୍ପତ୍ତିକୁ ଲୁଟ୍ କରିବା ପାଇଁ ଚାହୁଁଛନ୍ତି । ଓଡ଼ିଶା ବିରୋଧୀ ଶକ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି କଥା କହୁଛନ୍ତି । କଳାପାହାଡିଆମାନେ ଓଡ଼ିଶାର ଯୁବକ, ସ୍ୱାର୍ଥ ଓ ସୁରକ୍ଷାକୁ ନିଜ ଢଙ୍ଗରେ ଚଳାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି ।   ମଙ୍ଗଲ ବଜାରରେ ଯେଉଁମାନେ ପ୍ରଶାସନର ଉପସ୍ଥିତିରେ ଗଣ୍ଡଗୋଳ କଲେ ସେମାନଙ୍କ ସମ୍ପର୍କ ସମ୍ବଲପୁରର ଦଙ୍ଗାକାରୀଙ୍କ ସହ ଅଛି । ବରଗଡ଼ ଭଟଲୀ ଅଞ୍ଚଳର ରାଜା ଖାଁ ସହ ସମ୍ପର୍କ ଅଛି । ଯେଉଁମାନେ ପାକିସ୍ତାନର ଭାଷା କହୁଛନ୍ତି, ସେହି ଅସାମାଜିକ ତତ୍ତ୍ୱମାନେ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ମଙ୍ଗଳ ବଜାରରେ ଅଟକାଇବାର ଷଡଯନ୍ତ୍ର କରିଥିଲେ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଝାରସୁଗୁଡ଼ା ଉପନିର୍ବାଚନ କାହିଁକି ଜରୁରୀ ବୋଲି ପ୍ରଶ୍ନ କରିବା ସହ ଯଦି ନବୀନ ପଟ୍ଟନାୟକ ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ ତେବେ ଭୋଟ୍ କାହିଁକି ଦେବେ ବୋଲି ପଚାରିଛନ୍ତି।

ତେବେ କଂଗ୍ରେସ ଉଭୟ ଧର୍ମେନ୍ଦ୍ର ପ୍ରଧାନ ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିବାବେଳେ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଯେ ଝାରସୁଗୁଡ଼ା ପାଇଁ ୫ ବର୍ଷ ତଳେ କଳ୍ପନା କରାଯାଇଥିବା ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରିଜ୍ ପାର୍କ କାହିଁକି ପ୍ରତିଷ୍ଠା ହୋଇପାରିଲା ନାହିଁ। ସେଠାରୁ ଲୋକମାନେ କାମ ଅନ୍ୱେଷଣରେ ସୁନ୍ଦରଗଡ଼ ଯାଉଥିବା ବେଳେ ଝାରସୁଗୁଡ଼ାରେ କାହିଁକି ବିଜେପି ପ୍ରାର୍ଥୀ ଦୌଡ଼ୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କହିରଖୁଛୁ ଝାରସୁଗୁଡା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଟଙ୍କଧର ତ୍ରିପାଠୀ ହେଉଛନ୍ତି ସୁନ୍ଦରଗଡ ବାସିନ୍ଦା।

ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ହେବାକୁ ଥିବା ବେଳେ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ବିଧାୟକ ତଥା କ୍ୟାବିନେଟ୍ ମନ୍ତ୍ରୀ ଥିବା ନବ ଦାସଙ୍କ ହତ୍ୟା ପରେ ଏହି ଆସନରେ ଉପନିର୍ବାଚନ ହେଉଛି।

Leave A Reply

Your email address will not be published.