Latest Odisha News

BREAKING NEWS

‘ମଧ୍ୟପ୍ରଦେଶ ବିଜେପି’, ଯେମିତି ଭାଙ୍ଗିଥିଲେ ସେମିତି ଭାଙ୍ଗିବ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପିକୁ ଗୋଟିଏ ଦିନରେ ଡବଲ ଝଟକା ପରେ ସଜାଗ ହୋଇଛି ଦଳ। ଦଳରେ ଅସନ୍ତୁଷ୍ଟ ଓ ବିଦ୍ରୋହୀଙ୍କୁ ମନାଇବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି।

ମଧ୍ୟପ୍ରଦେଶର ଟାଣୁଆ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପୁଅ ଦୀପକ ଯୋଶୀ ଓ ପୂର୍ବତନ ବିଧାୟକ ରାଧେଲାଲ ବଘେଲ ଦଳ ଛାଡି କଂଗ୍ରେସରେ ମିଶିବା ପରେ ବିଜେପିର ଟେନସନ ବଢିଥିବା କୁହାଯାଉଛି।

ତେଣୁ ଦଳ ଅନ୍ୟ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପାଇଁ ଉଦ୍ୟମ ଜୋରଦାର କରିଛି। ଏହି କ୍ରମରେ ବିଜେପିର ଅସନ୍ତୁଷ୍ଟ ନେତା ହିମ୍ମତ କୋଠାରୀ ଓ ସତ୍ୟନାରାୟଣ ସତ୍ତନଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବୁଝାଇବା ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ବିଜେପି କାର୍ଯ୍ୟକର୍ତାଙ୍କ ଅସନ୍ତୋଷ ଦୂର ହେବା ଦରକାର ବୋଲି କହିଛନ୍ତି ସତ୍ତନ। ଦଳୀୟ କାର୍ଯ୍ୟକର୍ତାଙ୍କ ସମ୍ପର୍କରେ ସକାରାତ୍ମକ ଆଲୋଚନା ହେଲା ବୋଲି କହିଛନ୍ତି ସତ୍ତନ।

ସେପଟେ ହିମ୍ମତଙ୍କ କହିବା କଥା ସବୁ ବିଷୟରେ ଆଲୋଚନା ହୋଇଛି କିନ୍ତୁ ସମୟ ଆସିଲେ ସବୁ କହିବି ବୋଲି ସେ କହିଛନ୍ତି। ସେପଟେ ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରୀ କୈଳାଶ ବିଜୟବର୍ଗୀୟଙ୍କ ବୟାନ ଦଳର ଚିନ୍ତା ବଢ଼ାଇଦେଇଛି। ବିଜେପିକୁ କେବଳ ବିଜେପି ହିଁ ହରାଇପାରିବ ବୋଲି କୈଳାଶ କହିଥିଲେ।

୨୦୧୮ ମସିହାରେ ମଧ୍ୟ ସେ ଏଭଳି ବୟାନ ଦେଇଥିଲେ ଓ ବିଜେପିକୁ କଂଗ୍ରେସ ହରାଇଥିଲା। ଟିକେଟ ବଣ୍ଟନ ଠିକ ଭାବେ ହୋଇଥିଲେ ବିଜେପିକୁ ହାରିବାରୁ ରୋକାଯାଇ ପାରିଥାନ୍ତା ବୋଲି ସେ କହିଥିଲେ।

ଦୀପକ ଯୋଶୀ କଂଗ୍ରେସରେ ମିଶିବା ପରେ ବିଜୟବର୍ଗୀୟଙ୍କ ବୟାନ ବିଜେପିର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଆହୁରି ଅନେକ ନେତା କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ହେଉଛି।

ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ମିଶିବା ପରେ ମଧ୍ୟପ୍ରଦେଶ ଉପନିର୍ବାଚନରେ ସିନ୍ଧିଆଙ୍କ ସହ ଯାଇଥିବା କଂଗ୍ରେସ ନେତାମାନେ ବିଜେପି ଟିକେଟରୁ ଉପନିର୍ବାଚନ ଲଢ଼ିଲେ। ସେଠାରେ କଂଗ୍ରେସ ସଂଗଠନ ଦୁର୍ବଳ ହେଲା। ଏବେ ସେ ସବୁ ସ୍ଥାନରେ କଂଗ୍ରେସ ବିଜେପି ନେତାମାନଙ୍କୁ ଦଳକୁ ଆଣି ଟିକେଟ ଦେବାକୁ ଯୋଜନା କରୁଥିବା କୁହାଯାଉଛି।

ଯେଉଁ ପର୍ବ ଆରମ୍ଭ ହୋଇଥିବାବେଳେ ବିଜେପିରେ କମ୍ପନ ସୃଷ୍ଟି ହୋଇଥିବା କୁହାହାଉଛି। ମଧ୍ୟପ୍ରଦେଶ ମାଲବାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାଶ ଯୋଶୀଙ୍କୁ ଲୋକେ ବହୁ ମାତ୍ରାରେ ଭଲ ପାଆନ୍ତି। ଏପରିକି କଂଗ୍ରେସରେ ମିଶିବା ପରେ ତାଙ୍କ ପୁଅ ଦୀପକ ଯୋଶୀ କଂଗ୍ରେସ ପାଇଁ ଏକ ପ୍ରମୁଖ ବ୍ରାହ୍ମଣ ଚେହେରା ଭାବେ ଗଣାଯିବା ସହ ବିଜେପିର ଅସନ୍ତୁଷ୍ଟଙ୍କ ପାଇଁ କଂଗ୍ରେସ ରାସ୍ତା ଖୋଲି ଯାଇଥିବାର ବାର୍ତା ଦେଇଛନ୍ତି।

ତେଣୁ ବିଜେପି ଏବେ ଅସନ୍ତୁଷ୍ଟଙ୍କୁ ମନାଇବା ସହ କଂଗ୍ରେସକୁ ମାତ ଦେବାକୁ ଯୋଜନା କରିଥିବା କୁହାଯାଉଛି। କଂଗ୍ରେସର ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଲାଖନ ସିଂ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିବା ପରେ ଚର୍ଚ୍ଚା ବଢିଛି।

ଗ୍ବାଲିଅରର ଭିତରବାର ସିଟରୁ କଂଗ୍ରେସ ବିଧାୟକ ଥିବା ଲାଖନ ସିଂ ଅଧ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀ ଚୌହାନଙ୍କ ସହ ଆଲୋଚନା କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ନିର୍ବାଚନ ମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପାଇଁ ସେ ଆସିଥିବା କହିଛନ୍ତି।

ତେଣୁ ଏ ସବୁକୁ ନେଇ ମଧ୍ୟପ୍ରଦେଶ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ଗୋଟିଏ ପଟେ କଂଗ୍ରେସକୁ ମାତ ଦେବାକୁ ନୂଆ ପ୍ଲାନ କରୁଥିବା ବିଜେପି ପାଇଁ ନିଜ ଦଳର ବିଦ୍ରୋହୀ ବଡ଼ ଅଡୁଆ ସ୍ଥିତି ସୃଷ୍ଟି କରିଛନ୍ତି।

Leave A Reply

Your email address will not be published.