Latest Odisha News

BREAKING NEWS

ଡବଲ ଇଞ୍ଜିନରେ କିଏ ଖାଇଛି କେତେ ପିସି, ଜବାବ ମାଗିଲେ ରାହୁଲ

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଶେଷ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ ବିଜେପିର ନୂଆ ପ୍ଲାନ। ଡବଲ ଇଞ୍ଜିନ ସରକାରର ଆହ୍ୱାନ ଦେଉଥିବା ବିଜେପି ଏବେ ଟ୍ରିପଲ ଇଞ୍ଜିନର କଥା କହିଛି।

ନିର୍ବାଚନ ବୈତରଣୀ ପାର ହେବାକୁ ଉଭୟ କଂଗ୍ରେସ ଓ ବିଜେପି ସବୁ ଶକ୍ତି ଖଟାଇଛନ୍ତି। ଏଭଳି ସ୍ଥିତିରେ ଡବଲ ଇଞ୍ଜିନ ସରକାରକୁ ପ୍ରମୁଖ ପ୍ରସଙ୍ଗ କରିଥିବା ବିଜେପି ପ୍ରଚାରର ଶେଷ ପର୍ଯ୍ୟାୟରେ ଏବେ ଟ୍ରିପଲ ଇଞ୍ଜିନର କଥା କହିଛି।

ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ରହିଲେ କର୍ଣ୍ଣାଟକର ବିକାଶ ତୀବ୍ର ହେବ ବୋଲି ବିଜେପି ନେତାମାନେ ଜୋରଦାର ପ୍ରଚାର କରୁଛନ୍ତି। ଏଭଳି ସ୍ଥିତିରେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ କଣ ହେବ ସ୍ପଷ୍ଟ ହୋଇ ନ ଥିବା ବେଳେ ଆଗକୁ ହେବାକୁ ଥିବା ଲୋକାଲ ବଡି ନିର୍ବାଚନକୁ ଆଖି ଆଗରେ ରଖି ଦଳ ନୂଆ ଟର୍ମ ବ୍ୟବହାର ଆରମ୍ଭ କରିଛି।

ଡବଲ ଇଞ୍ଜିନର କଥା କହୁଥିବା ବିଜେପି ଏବେ ଟ୍ରିପଲ ଇଞ୍ଜିନର କଥା କହିଛି। କର୍ଣ୍ଣାଟକରେ ଏକ ନିର୍ବାଚନୀ ସଭାରେ ପ୍ରଚାର କରିବା ଅବସରରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି ଏଲ ସନ୍ତୋଷ ଲୋକଙ୍କୁ କର୍ଣ୍ଣାଟକରେ ଟ୍ରିପଲ ଇଞ୍ଜିନ ସରକାର ପ୍ରତିଷ୍ଠା କରିବାକୁ ଆହ୍ୱାନ ଦେଇଛନ୍ତି।

ଜିଲ୍ଲା ଓ ପଂଚାୟତ ସ୍ତରରେ ହେଉଥିବା ନିର୍ବାଚନରେ ବିଜେପିକୁ ଭୋଟ ଦେଇ ଟ୍ରିପଲ ଇଞ୍ଜିନ ସରକାର ପ୍ରତିଷ୍ଠା କରିବାକୁ ବିଜେପି ନେତା ଆହ୍ୱାନ ଦେଇଛନ୍ତି। ଜିଲା ଓ ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧି ମାନେ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି। ଏହାକୁ ଆଖି ଆଗରେ ରଖି କେନ୍ଦ୍ର, ରାଜ୍ୟ ଓ ତୃଣମୂଳ ସ୍ତରରେ ମଧ୍ୟ ବିଜେପିକୁ ବହୁମାତ୍ରାରେ ଭୋଟ ଦେବାକୁ ବିଜେପି ଟ୍ରିପଲ ଇଞ୍ଜିନ ସରକାରର ନୂଆ ଟର୍ମ ବ୍ୟବହାର କରିବା ଆରମ୍ଭ କରିଛି।

ତିନୋଟି ଜାଗାରେ ବିଜେପି କ୍ଷମତାରେ ରହିଲେ ଜିଲା ଓ ପଂଚାୟତ ସ୍ତର ମଧ୍ୟ ସଶକ୍ତ ହେବ ବୋଲି ବିଜେପି ପ୍ରଚାରରେ କହିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପଂଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ବ୍ୟାପକ ଅର୍ଥ ଦେଉଥିବା ବେଳେ କେନ୍ଦ୍ର ରାଜ୍ୟ ଓ ପଂଚାୟତ ସ୍ତରରେ ବିଜେପି କ୍ଷମତରେ ରହିଲେ ଆଉ ଅର୍ଥ ବାଟଣାରଣା ହେବନି ବୋଲି ବିଜେପି ନେତାମାନେ ପ୍ରଚାରରେ କହିଛନ୍ତି।

ତୃଣମୂଳ ସ୍ତରରେ ଏ କଥା ବ୍ୟାପକ ଭାବେ ପ୍ରଚାର କରିବାକୁ ବିଜେପି ନେତାମାନେ କର୍ମୀ ଓ କାର୍ଯ୍ୟକର୍ତାଙ୍କୁ ନିର୍ଦେଶ ଦିଆଯାଇଥିବା ଆଲୋଚନା ହେଉଛି। ବିଧାନସଭା ନିର୍ବାଚନ ପରେ ପରେ ଜିଲା ଓ ପଂଚାୟତ ସ୍ତରରେ ନିର୍ବାଚନ ହେବାକୁ ଥିବାରୁ ବାତାବରଣ ବନେଇ ରଖିବା ପାଇଁ ଦଳର ଏହା ନୂଆ ଷ୍ଟ୍ରଟେଜି ବୋଲି କୁହାଯାଉଛି।

କର୍ଣ୍ଣାଟକରେ ୩୧ ଜିଲ୍ଲା ପଂଚାୟତ ଓ ୨୩୮ ତାଲୁକ ପଂଚାୟତରେ ନିର୍ବାଚନ ବିଳମ୍ବିତ ହୋଇଥିବା ବେଳେ ଆଗକୁ ଏସବୁ ନିର୍ବାଚନ ହେବ। ତେଣୁ ଡବଲ ଇଞ୍ଜିନ ସରକାରର ନାରା ଦେଉଥିବା ବିଜେପି ଏବେ ଟ୍ରିପଲ ଇଞ୍ଜିନର ନାରା ଦେବା ଆରମ୍ଭ କରିଛି।

ସେପଟେ ବିଜେପିର ଡବଲ ଇଞ୍ଜିନ ନାରାକୁ ନେଇ ରାହୁଲ ଗାନ୍ଧୀ ବିଜେପି ଉପରେ ବର୍ଷିଛନ୍ତି। କର୍ଣ୍ଣାଟକରେ ବିଜେପି ସରକାର ୪୦ ପ୍ରତିଶତ କମିଶନ ନେଉଥିବା ବେଳେ ଡବଲ ଇଞ୍ଜିନ ସରକାରରେ ରାଜ୍ୟ ଇଞ୍ଜିନର ଭାଗ କେତେ ଓ କେନ୍ଦ୍ର ଇଞ୍ଜିନର ଭାଗ କେତେ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ।

ଏପରିକି ରାଜ୍ୟରେ ବିଜେପି ପକ୍ଷରୁ ହେଉଥିବା ଦୁର୍ନୀତି ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାର ଜାଣିଥିବା ବେଳେ ଏହାକୁ ରୋକିବାକୁ କଣ ପଦକ୍ଷେପ ନେଇଥିଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏପରିକି ଡବଲ ଇଞ୍ଜିନକୁ ରାହୁଲ ଗାନ୍ଧୀ ଟ୍ରବଲ ଇଞ୍ଜିନ ବୋଲି କହି ସମାଲୋଚନା କରିବା ସହ ଟ୍ରବଲ ଇଞ୍ଜିନ ସରକାର ଦୁର୍ନୀତିର ଏକ ରେଟକାର୍ଡ ମଧ୍ୟ କଂଗ୍ରେସ ପ୍ରଚାରରେ ଅସ୍ତ୍ର କରିଛି।

ତେଣୁ ଏଭଳି ସ୍ଥିତିରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ନାରା କେତେ ଗ୍ରହଣୀୟ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.