Latest Odisha News

ରାଜ୍ୟରେ କୋଭିଡ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ସମ୍ଭାବ୍ୟ କୋଭିଡ୍ ଲହରର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜିଲ୍ଲା, ପୌରାଞ୍ଚଳ ଏବଂ ହସପିଟାଲ ସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଲୋକସେବା ଭବନରୁ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଜିଲ୍ଲାପାଳ, ପୌର କମିଶନର, ସରକାରୀ ଏବଂ ଘରୋଇ ହସ୍ପିଟାଲ ସହ ସିଧାସଳଖ ଆଲୋଚନା କରିଛନ୍ତି । ଏହାସହ ସପ୍ତାହ ମଧ୍ୟରେ ସମସ୍ତ ବେଡ୍, ଆଇ.ସି.ୟୁ, ଆମ୍ବୁଲାନ୍ସକୁ ପ୍ରସ୍ତୁତ କରିବା ସହ ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ଦେବା ପାଇଁ ତାଲିମପ୍ରାପ୍ତ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ ସହାୟକଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଜିଲ୍ଲା, ପୌରାଞ୍ଚଳ ସମେତ ରାଜ୍ୟସ୍ତରରେ ନିର୍ଦ୍ଧାରିତ ଗାଇଡଲାଇନ୍ ଅନୁଯାୟୀ ରାପିଡ୍ ରେସ୍ପନ୍ସ୍ ଟିମ୍, କଲ୍ ସେଣ୍ଟର, ନିୟନ୍ତ୍ରଣ କକ୍ଷ, ଆମ୍ବୁଲାନ୍ସ୍ ଆଦି ସଠିକ୍ ଭାବେ ନିୟୋଜିତ କରିବାକୁ କୁହାଯାଇଛି । ଏଡାସହ ତୁରନ୍ତ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ପାଇଁ ସଂପୂର୍ଣ୍ଣ ବ୍ୟବସ୍ଥାକୁ ବ୍ୟବସ୍ଥାକୁ ପୂର୍ଣ୍ଣ କର୍ମକ୍ଷମ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଘରୋଇ ହସ୍ପିଟାଲ୍, ସରକାରୀ ଓ ବେସରକାରୀ ନିଗମ ଏବଂ ପୌରାଞ୍ଚଳ ମଧ୍ୟରେ ସମନ୍ୱିତ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକୀୟ ଗାଇଡଲାଇନ୍ ପଠାଇବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଆଲୋଚନାରେ ସମ୍, କିମ୍ସ୍, ହାଇଟେକ୍, ଆଦିତ୍ୟ-ଅଶ୍ବନୀ ଆଦି ବଡ଼ ବଡ଼ ହସ୍ପିଟାଲ୍ ବରିଷ୍ଠ ପ୍ରତିନିଧି ଯୋଗଦେଇ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେଉଁ ସ୍ଥାନରେ ସେମାନେ ତୁରନ୍ତ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇପାରିବ ତାହା ଜଣାଇଥିଲେ । ଆଲୋଚନାରୁ ଜଣାପଡ଼ିଥିଲା ଯେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଅନୁଗୁଳ, ତାଳଚେର, ପୁରୀ, ଗଂଜାମ, ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବାରିପଦା, ବଲାଙ୍ଗିର, କନ୍ଧମାଳ, ରାଉରକେଲା, ଗଜପତି ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟ କରିବ । ଏହା ଛଡ଼ା ସମସ୍ତ ସରକାରୀ ହସ୍ପିଟାଲରେ କୋଭିଡ୍ ଚିକିତ୍ସାର ବ୍ୟବସ୍ଥା ରହିବ । ଆକ୍ରାନ୍ତଙ୍କୁ ସରକାରୀ ଖର୍ଚ୍ଚରେ ପରୀକ୍ଷା, ଆମ୍ବୁଲାନ୍ସ୍ ସେବା ଓ ଚିକିତ୍ସା ଆଦି ଯୋଗାଇ ଦିଆଯିବ । ଏଥିପାଇଁ ରୋଗୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଣାଇଥିଲେ ଯେ, କୋଭିଡର ଦ୍ବିତୀୟ ଲହରରେ ମୋଟ ୫୫ଟି ସ୍ବତନ୍ତ୍ର କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଥିଲା । ତା’ଛଡ଼ା ସରକାରୀ ହସ୍ପିଟାଲରେ କୋଭିଡ ଚିକିତ୍ସାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଦ୍ବିତୀୟ ଲହର ସମୟରେ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ର, କୋଭିଡ୍ କେୟାର କେନ୍ଦ୍ର, ସ୍ୱତନ୍ତ୍ର କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ପ୍ରାୟ ୯୪,୦୦୦ ବେଡ୍ ପ୍ରସ୍ତୁତ କରାଯାଇଥିଲା । ଆଇ.ସି.ୟୁ. ଏବଂ ଏଚ୍.ଡି.ୟୁରେ ପ୍ରାୟ ୩୫୦୦ ବେଡ୍ ପ୍ରସ୍ତୁତ କରାଯାଇଥିଲା । ଏହାସହ ୧୧୦୨ ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ କରାଯାଇଥିଲା ।

ବିଭିନ୍ନ ଦେଶ ଓ ରାଜ୍ୟରେ ତୃତୀୟ ଲହରର ସଂକ୍ରମଣ ହାର ଅଧିକ ଥିବାରୁ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଅଧିକ ମାତ୍ରାରେ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଆବଶ୍ୟକୀୟ ଓୗଷଧ ପରୀକ୍ଷା ଉପକରଣ, ଚିକିତ୍ସା ସରଞ୍ଜାମ, ଅକ୍ସିଜେନ୍ ଆଦି ଆଗୁଆ ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.