ଭୁବନେଶ୍ବର: ମିଠା ସପେଟାର ଋତୁ ଆସିଯାଇଛି। ଏହି ସମୟରେ ବଜାରରେ ସପେଟା ଅଧିକ ପରିମାଣରେ ବିକ୍ରି ହେଉଛି। ସମସ୍ତେ ଏହାର ରସାଳ ଏବଂ ମିଠା ସ୍ୱାଦ ପସନ୍ଦ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ସପେଟା ପୋଷକତତ୍ତ୍ବରେ ଭରପୂର ଅଟେ । ଏଥିରେ ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଫାଇବର ପରି ଅନେକ ପୋଷକ ତତ୍ତ୍ୱ ରହିଛି।
ତେବେ ଆସନ୍ତୁ ଜାଣିବା ଗ୍ରୀଷ୍ମ ଋତୁରେ ସପେଟା ଖାଇବାର ସ୍ୱାସ୍ଥ୍ୟ ଲାଭ କ’ଣ?
-ଗ୍ରୀଷ୍ମ ଋତୁରେ ଅଧିକାଂଶ ଲୋକଙ୍କ ପାଚନକ୍ରିୟା ବିଗିଡି ଯାଇଥାଏ । ଏପରି ସ୍ଥିତିରେ, ସପେଟା ସେବନ ଲାଭଦାୟକ ଅଟେ। ଏଥିରେ ପ୍ରଚୁର ପରିମାଣରେ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଏବଂ କୋଷ୍ଠକାଠିନ୍ୟକୁ ଦୂର କରେ। ଅନ୍ତନଳୀର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ।
-ସପେଟାରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ଫସଫରସ୍ ଏବଂ ମ୍ୟାଗ୍ନେସିୟମ ରହିଛି, ଯାହା ହାଡ଼ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ସେବନ କରିବା ଦ୍ୱାରା ହାଡ଼ ମଜବୁତ ହୁଏ। କ୍ୟାଲସିୟମ, ଭିଟାମିନ ଡି ଏବଂ ମ୍ୟାଗ୍ନେସିୟମରେ ଭରପୂର ଖାଦ୍ୟ ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ।
-ସପେଟାରେ ଭିଟାମିନ୍ ଏ ଥାଏ, ଯାହା ଆଖିକୁ ସୁସ୍ଥ ରଖେ। ଏଥିରେ ଭିଟାମିନ୍ ଏ ଏବଂ ବିଟା-କାରୋଟିନ୍ ରହିଛି। ଏହି ପୋଷକ ତତ୍ତ୍ୱଗୁଡ଼ିକ ଅନ୍ଧାରକଣାକୁ ଦୂର କରିବାରେ ସାହାଯ୍ୟ କରେ, ଦୃଷ୍ଟିଶକ୍ତି ଭଲ ରଖେ ଏବଂ ବୟସ ସମ୍ବନ୍ଧୀୟ ଆଖି ରୋଗରୁ ରକ୍ଷା କରେ। ବୟସ ବଢ଼ିବା ସହିତ ଦୃଷ୍ଟିଶକ୍ତି ବଜାୟ ରଖିବାରେ ସପେଟା ସାହାଯ୍ୟ କରେ।
-ସପେଟାରେ ଭିଟାମିନ୍ E, A, ଏବଂ C ଥାଏ, ଯାହା ଚର୍ମକୁ ସୁସ୍ଥ ରଖେ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନର ପରିମାଣ ଅଧିକ ଥିବାରୁ ଏହା ତ୍ୱଚା ପାଇଁ ଅନେକ ଲାଭଦାୟକ ହୋଇଥାଏ। ଏହା ଚର୍ମ କୁଞ୍ଚନକୁ ହ୍ରାସ କରେ , କୋଲାଜେନ ଉତ୍ପାଦନ ବୃଦ୍ଧି କରି ଚେହେରାକୁ ୟଙ୍ଗ ଦେଖାଇଥାଏ । ଭିଟାମିନ୍ E ମଧ୍ୟ ଭରପୂର ମାତ୍ରାରେ ରହିଥାଏ, ଯାହା ଚର୍ମକୁ ଭିତରୁ ମଇଶ୍ଚରାଇଜ୍ କରିବାରେ ସାହାଯ୍ୟ କରେ, ଯାହା ଦ୍ୱାରା ଚର୍ମ ଉଜ୍ଜ୍ୱଳ ଏବଂ ସୁସ୍ଥ ହୋଇଥାଏ।
-ଏଥିସହ ଏଥିରେ ଥିବା ପୋଟାସିୟମ ସୋଡିୟମ ସ୍ତରକୁ ହ୍ରାସ କରେ । ରକ୍ତ ସଞ୍ଚାଳନକୁ ଉନ୍ନତ କରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
-ଫ୍ରୁକ୍ଟୋଜ୍ ଏବଂ ସୁକ୍ରୋଜ୍ର ଏକ ଭଲ ଉତ୍ସ ଭାବରେ, ପ୍ରତିଦିନ ସକାଳେ ସପେଟା ଖାଇବା ଦ୍ୱାରା ଆପଣ ତୁରନ୍ତ ଶକ୍ତି ପାଇପାରିବେ। ବ୍ୟାୟାମ ସମୟରେ ସପେଟା ଖାଇବାକୁ କୁହାଯାଏ , ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ ।
Comments are closed.