Latest Odisha News

BREAKING NEWS

ଜ୍ୱର ପାଇଁ ଆସିଥିବା ଶିଶୁକୁ ଦିଆଗଲା କୁକୁର କାମୁଡ଼ା ଇଞ୍ଜେକସନ, ଡାକ୍ତରଙ୍କ ଅବବେଳାକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପ-ଖଣ୍ଡ ହସ୍ପିଟାଲରେ ଗୁରୁତର ଚିକିତ୍ସା ଅବହେଳା। ଜ୍ୱର ପାଇଁ ଆସିଥିବା ଜଣେ ଶିଶୁକୁ ଭୁଲରେ ଦିଆଗଲା କୁକୁର କାମୁଡ଼ା ଇଞ୍ଜିକେସନ। ଏହି ଘଟଣା ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ଉପରେ ଉଠାଇଛି ପ୍ରଶ୍ନ।

ଜଗନ୍ନାଥପୁରର ଜଣେ ମହିଳା ଏହି ଅଭିଯୋଗ କରିଛନ୍ତି। ତାଙ୍କ ଝିଅକୁ ଜ୍ୱର ହେବାରୁ ସେ ହସ୍ପିଟାଲ ଆସିଥିଲେ। ଶିଶୁ ରୋଗ ବିଶେଷଜ୍ଞ ଡା. ଲିକି ଚନ୍ଦ୍ର ମହାପାତ୍ର ଏକ ପ୍ରେସକ୍ରିପସନ ଦେଇଥିଲେ। ହସ୍ପିଟାଲର ଫାର୍ମାସିରେ ପ୍ରେସକ୍ରିପସନ ଦେଖାଇବା ପରେ ଷ୍ଟାଫ ପଚାରିଥିଲେ, “ଶିଶୁକୁ କୁକୁର କାମୁଡ଼ିଛି କି?” ଏହି ପ୍ରଶ୍ନ ମା’ଙ୍କୁ ସନ୍ଦେହ କରିଥିଲା।

ମହିଳା ଡାକ୍ତରଙ୍କୁ ପ୍ରଶ୍ନ କରିବାରୁ ଡା. ମହାପାତ୍ର ପ୍ରେସକ୍ରିପସନ ବଦଳାଇ ନୂଆ ପ୍ରେସକ୍ରିପସନ ଦେଇଥିଲେ। ପରିବାରର ଅଭିଯୋଗ, ଏହା ସନ୍ଦେହକୁ ଆହୁରି ବଢ଼ାଇଛି। ସେମାନେ ଦାବି କରିଛନ୍ତି, ଶିଶୁକୁ ଭୁଲ ଇଞ୍ଜେକସନ ଦିଆଯାଇଛି।

ଶିଶୁର ମା’ କହିଛନ୍ତି, “ଡାକ୍ତର ଜଣେ କୁକୁର କାମୁଡ଼ା ରୋଗୀଙ୍କୁ ଦେଖୁଥିଲେ। ମୋ ଝିଅକୁ ଜ୍ୱର ପାଇଁ ନେଇଥିଲି। ସେ ଏକ ପ୍ରେସକ୍ରିପସନ ଦେଇଥିଲେ। ଫାର୍ମାସିରେ ପଚାରିଲେ, ଝିଅକୁ କୁକୁର କାମୁଡ଼ିଛି କି ନାହିଁ। ମୁଁ ମନା କରିଥିଲି। ତଥାପି ଇଞ୍ଜେକସନ ଦେଇ ଦେଲେ।” ସେ ଆହୁରି କହିଛନ୍ତି, “ଡାକ୍ତର କହିଲେ, ଏହା ଆମର ଭୁଲ। କିନ୍ତୁ ଏହି ଇଞ୍ଜେକସନର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେବ ନାହିଁ। ସମ୍ପୂର୍ଣ୍ଣ କୋର୍ସ ଜାରି ରଖିବାକୁ କହିଲେ। କିନ୍ତୁ ମୋ ଝିଅର ଜ୍ୱର କମୁ ନାହିଁ।”

ଡା. ଲିକି ଚନ୍ଦ୍ର ମହାପାତ୍ର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଏହା ନିୟମିତ ଟିକାକରଣର ଅଂଶ ଥିଲା। ଶିଶୁଟି ଚିକେନ ପକ୍ସରେ ଆକ୍ରାନ୍ତ। ତାହା ହିଁ ଜ୍ୱରର କାରଣ। ଗତ ରାତିରେ ମଧ୍ୟ ମୁଁ ତାକୁ ଚିକିତ୍ସା କରିଥିଲି। ତାର ଅବସ୍ଥା ସ୍ଥିର ଅଛି।” ସେ ସ୍ପଷ୍ଟ କରିଛନ୍ତି, “ଦିଆଯାଇଥିବା ଇଞ୍ଜେକସନ ହେଉଛି ‘ପ୍ରି-ଏକ୍ସପୋଜର ପ୍ରୋଫାଇଲାକ୍ସିସ’, ‘ପୋଷ୍ଟ-ଏକ୍ସପୋଜର’ ନୁହେଁ। ଇଞ୍ଜେକସନ ଦୁଇ ପ୍ରକାରର ଥାଏ।”

ଏହି ଘଟଣା ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ପରିବାର ଏକ ନିଷ୍ପକ୍ଷ ତଦନ୍ତ ଦାବି କରିଛନ୍ତି। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଚିନ୍ତାର ବିଷୟ। ସ୍ୱାସ୍ଥ୍ୟ ବିଭାଗ ଏହାର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜୋରଦାର ଦାବି ହେଉଛି।

Comments are closed.