Latest Odisha News

BREAKING NEWS

ପିଲାଙ୍କ ମୋଟାପଣ ହୋଇପାରେ ଡାଇବେଟିସର କାରଣ, ଜାଣନ୍ତୁ କେମିତି ଜାଣିବେ ଆଉ କ’ଣ କରିବେ…

ବ୍ୟୁରୋ: ଆଗରୁ ଡାଇବେଟିସ୍ ବଡ ଲୋକଙ୍କ ରୋଗ ବୋଲି ଆମେ ଜାଣିଛୁ । ହେଲେ ଏବେ ଛୋଟ ପିଲା ମଧ୍ୟ ଏହାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଏବେକାର ଛୋଟ ପିଲା ଖେଳିବା କମ୍ ମୋବାଇଲ ଦେଖି ବସି ରହିବାରେ ବେଶି ସମୟ ବିତାଉଛନ୍ତି । ତେଣୁ ଖାଇ ବସିଲେ ଦେହରେ ମୋଟାପଣ ବଢିବାରେ ଲାଗୁଛି । ଯାହା ଆଗକୁ ବଡ ସମସ୍ୟା ଉପୁଯାଇପାରେ । ପିଲାଙ୍କର ମୋଟାପଣ ବଢିବା ଟାଇପ-୨ ଡାଇବେଟିସର ଡର ଆଡକୁ ଅଗ୍ରସର କରାଇପାରେ । ଜଙ୍କ ଫୁଡ୍, ସ୍କ୍ରିନ୍ ଟାଇମ ଓ ଭୁଲ୍ ଖାଦ୍ୟପେୟର ପ୍ରଭାବ ବେଶି ପଡୁଛି ପିଲାଙ୍କ ଉପରେ । ତେଣୁ ସନ୍ତୁଳିତ ଜୀବନଶୈଳୀ ଓ ପିଲାଙ୍କ ମୋଟାପଣରୁ ମୁକ୍ତି ପାଇଁ ଆସନ୍ତୁ ଜାଣିବା ସହଜ ଉପାୟ । ପିଲାବେଳୁ ବଢୁଥିବା ଓଜନ ବୟସ ବଢିବା ସହ ନୂଆ ନୂଆ ରୋଗକୁ ନିମନ୍ତ୍ରଣ ଦେଇପାରେ ।

ଫାଷ୍ଟ ଫୁଡ୍ ଓ ମିଠା ଜାତୀୟ ଖାଦ୍ୟ ବଢାଉଛି ସମସ୍ୟା :-
ପିଲାଙ୍କ ଖାଦ୍ୟରେ ସମସ୍ତ ପ୍ରକାର ଜଙ୍କ ଫୁଡ୍ ଏବଂ ମିଠା ଜାତୀୟ ଖାଦ୍ୟ ପ୍ରାୟ ବଢିବାରେ ଲାଗିଛି । ପିଲାଙ୍କ ଜିଦି ରଖିବାକୁ ହେଉ କିମ୍ବା ଘର ଖାଦ୍ୟ ନଖାଇବାରୁ ଅଭିଭାବକ ବାଧ୍ୟ ହୋଇ ଦିଅନ୍ତୁ, ଏସବୁଥିପାଇଁ ପିଲାର ସ୍ୱାସ୍ଥ୍ୟ ଖରାପ ହେବା ସୁନିଶ୍ଚିତ । କାରଣ ଏହି ସବୁ ଖାଦ୍ୟରେ ଅଧିକ ପରିମାଣର କ୍ୟାଲୋରୀ, ଚିନି, ଲୁଣ ଓ ବିଭିନ୍ନ ଅସ୍ୱାସ୍ଥ୍ୟକର ଫ୍ୟାଟ୍ ରହିଥାଏ । ଘରର ପୁଷ୍ଟିକର ଖାଦ୍ୟ, ଫଳ ସବୁଜ ପରିବା ଖାଇବାକୁ ପିଲା ଭଲ ପାଉନାହାନ୍ତି । ତେଣୁ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଏବଂ କମ୍ ଶାରିରୀକ ଗତିବିଧି ହେବାରୁ ଶରୀରରେ ଅତିରିକ୍ତ ଚବର୍ଲ ଜମା ହୋଇଯାଏ । ଫଳରେ ମୋଟାପଣ ସମସ୍ୟା ବଢେ ।

ମୋଟାପଣରୁ କେମିତି ବଢେ ଡାଇବେଟିସ୍?
ଶରୀରରେ ଆବଶ୍ୟକତାଠାରୁ ଅଧିକ ଚର୍ବି ଜମା ହେଲେ ଇନସୁଲିନର କାର୍ଯ୍ୟକାରିତା ପ୍ରଭାବିତ ହୁଏ । ଇନ୍ସୁଲିନ୍ ଏକ ହର୍ମୋନ ଯାହା ରକ୍ତରେ ଥିବା ଗ୍ଲୁକୋଜକୁ ଶରୀରର ବିଭିନ୍ନ କୋଷିକାକୁ ପହଂଚାଏ । ପୋଟାପଣ ଯୋଗୁ ଏହା ପ୍ରଭାବିତ ହୋଇପାରେ । ଶରୀରରେ ଥିବା କୋଷିକା ସନ୍ତୁଳନରେ ରୁହନ୍ତିନି, ଫଳରେ ରକ୍ତରେ ସୁଗାର ମାତ୍ରା ବଢିବାରେ ଲାଗେ । ବହୁ ସମୟ ଧରି ଏହି ସ୍ଥିତି ଲାଗିରହିଲେ ପିଲା ଟାଇପ୍ -୨ ଡାଇବେଟିସ୍ରେ ଆକ୍ରାନ୍ତ ହୋଇପାରନ୍ତି । ଏହାଛଡା ମୋଟାପଣ ଯୋଗୁଁ ପିଲା ଭିତରେ ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ସମସ୍ୟା, ଫ୍ୟାଟି ଲିଭର, ଆଣ୍ଠୁ ଗଣ୍ଠିରେ ଦରଜ, କମ୍ ବୟସରେ ହାର୍ଟରେ ସମସ୍ୟା ମଧ୍ୟ ଦେଖାଦେଇପାରେ ।

କେଉଁ ସଙ୍କେତକୁ କରିବେନି ଅଣଦେଖା ?
ପିଲାର ଓଜନ ତାର ବୟସ ଓ ଉଚ୍ଚତା ତୁଳନାରେ ବଢିବାରେ ଲାଲୁଛି
ବେକ ଓ ଅଂଟା ପାଖରେ ବେଶି ମୋଟାପଣ ଦେଖାଦେଉଛି
ବାରମ୍ବାର ଶୋଷ ଲାଗୁଛି
ପରିସ୍ରା ବହୁବାର ଲାଗୁଛି
ବିଶେଷ ଚଳପ୍ରଚଳ ନକରି ମଧ୍ୟ ହାଲିଆ ଅନୁଭବ ହେଉଛି
ଏସବୁ ଲକ୍ଷଣ ପିଲା ଦେହରେ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁା ଏସବୁ ଲକ୍ଷଣ ଡାଇବେଟିସ ଆଡକୁ ଇଙ୍ଗିତ କରୁଥାଇପାରେ । ତେବେ କେବଳ ଲକ୍ଷଣ ଆଧାରରେ ରୋଗ ଚିହ୍ନଟ କରିହୁଏନି, ତଥାପି ଡାକ୍ତର ବ୍ଲଡ ସୁଗାର ଓ ଅନ୍ୟ ଶାରିରୀକ ଯାଂଚ ପାଇଁ ପରାମର୍ଶ ଦେଇପାରନ୍ତି ।

ପିଲାବେଳୁ ସ୍ୱାସ୍ଥ୍ୟକର ଅଭ୍ୟାସ କରିବା ଦରକାର:-
ପିଲାଙ୍କ ମୋଟାପଣରୁ ଦୂରେଇ ରଖିବାକୁ ପରିବାରର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ପିଲାକୁ ପ୍ରତିଦିନ ୬୦ ମିନିଟ୍ ଶାରିରୀକ ବ୍ୟାୟମ କରିବା ଆବଶ୍ୟକ । ପିଲା ଏକ୍ସରସାଇଜ୍ କିମ୍ବା ଖେଳରେ ମନ ନଦେଲେ ତାକୁ ପ୍ରେରଣା ଦେଇ କରିବାର ପ୍ରୟାସ କରାନ୍ତୁ । ଯେମିତିକି ସାଇକେଲ ଚଲାଇବା, ଦଉଡିବା, ପହଁରିବା, ଖେଳିବା ଆଉ ନାଚିବା ପରି ଚଳପ୍ରଚଳତା ରହିବା ଆବଶ୍ୟକ । ମୋବାଇଲ ଦେଖାଇବା ତ ଠିକ୍ ନୁହେଁ ତଥାପି ଯଦି ଦେଖାଉଛନ୍ତି ତେବେ ସ୍କ୍ରିନ ଟାଇମ୍ ସୀମିତ କରିଦେବା ଆବଶ୍ୟକ । ଭୋଜନରେ ଫଳ, ସବୁଜ ପନିପରିବା, ଡାଲି, କ୍ଷୀର ଓ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ କରିବା ଦରକାର । ମିଠା ଜାତୀୟ ଖାଦ୍ୟ ଓ ଜଙ୍କ ଫୁଡରୁ ପିଲାକୁ ଯେତେପାରୁଛନ୍ତି ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଜ ପିଲାକୁ ସୁସ୍ଥ ରଖିବାକୁ ପୁରା ପରିବାର ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣାଇବା ଆବଶ୍ୟକ ।

 

Leave A Reply

Your email address will not be published.