ଗୋଆ:ଆଇପିଏଲ ୨୦୨୭ ପାଇଁ ଖେଳାଳିଙ୍କ ନିଲାମୀର ତାରିଖ ଏବଂ ସମୟ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ନିଜ ନିଜର ରିଟେନ୍ସନ୍ ଏବଂ ରିଲିଜ୍ ତାଲିକା ଜାରି କରିବା ପରେ ଏବେ ନିଲାମୀ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ଆସନ୍ତା ଡିସେମ୍ବର ୧୬ ତାରିଖ (ବୁଧବାର) ଦିନ ଗୋଆଠାରେ ଏହି ନିଲାମୀ ଅନୁଷ୍ଠିତ ହେବ । ଲଗାତାର ତିନୋଟି ସିଜନ୍ ବିଦେଶରେ (ଦୁବାଇ, ଜେଦ୍ଦା, ଆବୁଧାବି) ନିଲାମୀ ହେବା ପରେ ଏଥର ପୁଣି ଥରେ ଭାରତକୁ ଫେରିଛି ଆଇପିଏଲ ଅକ୍ସନ୍ । ପୂର୍ବରୁ ନିଲାମୀ ସନ୍ଧ୍ୟା ସମୟରେ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲୁଥିଲା, କିନ୍ତୁ ଏଥର ସକାଳ ୧୧ଟା ରୁ ନିଲାମୀ ଆରମ୍ଭ ହେବ ଏବଂ ସନ୍ଧ୍ୟା ସୁଦ୍ଧା ଶେଷ ହେବ । ସମସ୍ତ ୧୦ଟି ଦଳ ମୋଟ ୧୮୪ ଜଣ ଖେଳାଳିଙ୍କୁ ରିଟେନ୍ କରିଛନ୍ତି ।
ଏବେ ନିଲାମୀରେ ମୋଟ ୬୬ଟି ସ୍ଲଟ୍ ପୂରଣ ହେବ, ଯେଉଁଥିରେ ୨୫ ଜଣ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପାଖରେ ସବୁଠାରୁ ଅଧିକ ୪୭.୪୫ କୋଟି ଟଙ୍କା ବାକି ରହିଛି । ଏହା ପଛକୁ କେକେଆର ପାଖରେ ୪୧.୬୫ କୋଟି ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଖରେ ୪୦.୧୫ କୋଟି ବଜେଟ୍ ଅଛି । ଗୁଜରାଟ ଟାଇଟାନ୍ସ ସର୍ବାଧିକ ୨୨ ଜଣ ଖେଳାଳିଙ୍କୁ ରିଟେନ୍ କରିଥିବାରୁ ସେମାନଙ୍କ ପାଖରେ ସବୁଠାରୁ କମ୍ ୮.୭୫ କୋଟି ଟଙ୍କା ବାକି ରହିଛି ଏବଂ ମାତ୍ର ୩ଟି ସ୍ଲଟ୍ ଖାଲି ଅଛି ।