ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲ୍କୋ ଥାନା କାଣ୍ଡସରରେ ଅଭାବନୀୟ ଘଟଣା । ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ । ଅଭିଯୋଗକୁ ଆଧାର କରି ଶ୍ମଶାନରେ ପୋତା ଯାଇଥିବା ଶବକୁ ମାଟି ତଳୁ ଉଦ୍ଧାର କରିଛି ପୁଲିସ୍ । ମୃତ ଶିଶୁପୁତ୍ର ଜଣକ ହେଲେ ସ୍ବର୍ଗତ ଦିଲ୍ଲୀପ ନାଏକଙ୍କ ପୁଅ ଆୟୁଷ ନାଏକ ।
ସୁଚନା ଅନୁଯାୟୀ, ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଇଲାକା ଦିଲ୍ଲୀପ ନାଏକଙ୍କୁ ୧୦ ବର୍ଷ ତଳେ କଙ୍କନିଳୀ ଗ୍ରାମର କଳ୍ପନା ନାଏକଙ୍କୁ ବିବାହ କରିଥିଲେ । ଉଭୟଙ୍କର ତିନୋଟି ସନ୍ତାନ ରହିଥିବା ବେଳେ ୪ ବର୍ଷ ତଳେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିଲା । ସ୍ଵାମୀଙ୍କ ମୃତ୍ୟୁ ପରେ କଳ୍ପନା ତିନି ପିଲାଙ୍କୁ ଧରି ଘର ଛାଡ଼ି ପଳାଇ ଆସିଥିଲେ । ପରେ ସେ କାଣ୍ଡସର କେନାଲ୍ ସାହିର ଗଣପତି ନାଏକଙ୍କୁ ବିବାହ କରିଥିଲେ । ତେବେ ଗତ ସୋମବାର ରାତିରେ କଳ୍ପନାଙ୍କ ସାନ ପୁଅ ଆୟୁଷଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ପରେ ମଙ୍ଗଳବାର ଦିନ ଶିଶୁପୁତ୍ରର ମୃତଦେହକୁ କାଣ୍ଡସର ଭଣ୍ଡାରୀମୁଣ୍ଡା ଶ୍ମଶାନରେ ପୋତି ଦେଇଥିଲେ । ପୁତୁରାର ସନ୍ଦେହଜନକ ମୃତ୍ୟୁରେ ଦାଦା ମିଲୁ ନାଏକ ତାଙ୍କୁ ହତ୍ୟା କରାଯାଇଥିବା ନାଲ୍କୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କଳ୍ପନା ନାଏକ ଓ ସାବତ ବାପା ଗଣପତି ନାଏକ ଆୟୁଷର ତଣ୍ଟି ଚିପି ହତ୍ୟା କରାଯାଇଥିବା ସେ ଏତଲାରେ ଦର୍ଶାଇଥିଲେ ।
ଏହାପରେ ପୁଲିସ୍ ଶ୍ମଶାନରୁ ମାଟି ଖୋଳି ଆୟୁଷଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି ।
Comments are closed.