Latest Odisha News

BREAKING NEWS

ପାକିସ୍ତାନରେ ଚୀନର ‘ସୁରକ୍ଷା’ ଗୋଟି !

ନୂଆଦିଲ୍ଲୀ: ବଲୁଚିସ୍ତାନ ଓ ଖୈବର ପଖତୁନଖ୍ବାରେ ପାକିସ୍ତାନ ବିରୋଧୀ ବିଦ୍ରୋହ । ସିନ୍ଧରେ ପାକ୍ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଜନତା । ସିନ୍ଧ ଅଞ୍ଚଳରେ ଚୀନ୍ ନାଗରିକଙ୍କ ଉପରେ ବି ଆକ୍ରମଣ ହୋଇଛି । ଆଉ ଏହାପରେ ପାକିସ୍ତାନରେ ଏଣ୍ଟ୍ରି କରିଛନ୍ତି ଚୀନର ସୁରକ୍ଷା କମ୍ପାନୀ । ଦେଶର ଘରୋଇ ସୁରକ୍ଷା କମ୍ପାନୀଙ୍କୁ ଚୀନ ନାଗରିକଙ୍କ ସୁରକ୍ଷା ପାଇଁ ପାକିସ୍ତାନର ସିନ୍ଧରେ ମୁତୟନ କରାଯାଇଛି । ଏହାକୁ ନେଇ ସିନ୍ଧରେ ଅଶାନ୍ତି ବଢିଛି ତ ସୁରକ୍ଷା ଦୃଷ୍ଟିରୁ ଭାରତ ପାଇଁ ବିପଦ ବୋଲି କୁହାଯାଉଛି । କାରଣ ଏଥିରୁ ପାକିସ୍ତାନ ଓ ଚୀନ୍ ମଧ୍ୟରେ ସାମରିକ ସହଯୋଗ ସ୍ପଷ୍ଟ ହୋଇଛି ।

ସିନ୍ଧରେ ଚୀନ୍ ସୁରକ୍ଷାକର୍ମୀ

ଚଳିତ ବର୍ଷ ମାର୍ଚ୍ଚରେ ଏକ ବୁଝାମଣା ଭିତ୍ତିରେ ପାକିସ୍ତାନର ସିନ୍ଧ ଅଞ୍ଚଳକୁ ଘରୋଇ ସୁରକ୍ଷାକର୍ମୀଙ୍କୁ ପଠାଇଛି ଚୀନ୍ । ଏହାକୁ ବିଦେଶରେ ନିଜ ସୁରକ୍ଷା ଉପସ୍ଥିତି ବଢାଇବା ଦିଗରେ ଚୀନର ବଡ ପଦକ୍ଷେପ ଭାବେ ଦେଖାଯାଉଛି । ପାକିସ୍ତାନର ବଲୁଚ ବିଦ୍ରୋହୀ ଚୀନ୍ ନାଗରିକ ଓ ସିପିଇସି ପ୍ରକଳ୍ପକୁ ଟାର୍ଗେଟ୍ କରୁଛନ୍ତି । ଏହାପରେ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନେଇଛି ଚୀନ୍ । ସେହି ଅଞ୍ଚଳରେ ପାକିସ୍ତାନୀ ସୁରକ୍ଷା ବଳ ସହ ଚୀନର ଘରୋଇ ସୁରକ୍ଷାକର୍ମୀ ଏକାଠି ମିଶି କାମ କରିବେ । ଘରୋଇ ସୁରକ୍ଷା କର୍ମୀ ମୁତୟନ କରିବା ପାଇଁ ପାକିସ୍ତାନର ଶହବାଜ ସରକାରଙ୍କ ଉପରେ ଚୀନ୍ ଚାପ ପ୍ରୟୋଗ କରି ବୁଝାମଣା କରିଥିବା ଜଣାପଡିଛି । ପ୍ରଥମ ଥର ପାଇଁ ସିନ୍ଧରେ ଚୀନ୍ ଘରୋଇ ସୁରକ୍ଷାକର୍ମୀଙ୍କୁ ମୁତୟନ କରିଛି ।

ପାକିସ୍ତାନରେ ଚୀନର ‘ସୁରକ୍ଷା’ ଗୋଟି

ଚୀନ୍ ପାକିସ୍ତାନ ଇକୋନୋମିକ କରି଼ଡର ବା ସିପିଇସିରେ ପ୍ରାୟ ୩୦ହଜାର ଚୀନ୍ ନାଗରିକ କାମ କରୁଛନ୍ତି । ସିନ୍ଧର ଥାର କୋଲବ୍ଲକରେ ଥିବା ଦୁଇଟି ପାଓ୍ବାର ପ୍ଲାଣ୍ଟରେ କେବଳ ୬ହଜାର ୫ଶହରୁ ଅଧିକ ଚୀନ୍ ନାଗରିକ ରହିଛନ୍ତି । ୨୦୧୫ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଦ୍ବାରା ପାକିସ୍ତାନର ଯୋଗାଯୋଗ ଓ ଭିତ୍ତିଭୂମି ବିକାଶ ସାଙ୍ଗକୁ ଦକ୍ଷିଣ ଏସିଆରେ ନିଜ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି ଚୀନ୍ । ତେବେ ବଲୁଚିସ୍ତାନ ଓ ଖୈବର ପଖତୁନଖ୍ବା ବିଦ୍ରୋହୀଙ୍କ ଆକ୍ରମଣ ଜୋରଦାର ହେବା ପରେ ଚୀନ୍ ଘରୋଇ ସୁରକ୍ଷାକର୍ମୀଙ୍କୁ ସେଠାରେ ମୁତୟନ କରିଛି ।

କାହିଁକି ଭାରତ ପାଇଁ ଚିନ୍ତାର କାରଣ?

ପାକିସ୍ତାନ ସୁରକ୍ଷାରେ ଚୀନର ଭୂମିକା ବଢିବା କେବଳ ଦେଶର ଆର୍ଥିକ ହିତ ପାଇଁ ନୁହେଁ ବରଂ ରଣନୈତିକ ଦୃଷ୍ଟିରୁ ଭାରତ ପାଇଁ ଚିନ୍ତାର କାରଣ । ସବୁଠୁ ବଡ଼ କଥା ହେଲା, ଏଲଓସିରେ ପାକିସ୍ତାନକୁ ଚୁପଚାପ୍ ସେନା ସହାୟତା ଦେଉଛି ଚୀନ୍ । ବଙ୍କର ନିର୍ମାଣ, ଡ୍ରୋନ୍, ରାଡାର ଟେକ୍ନୋଲୋଜି ଯୋଗାଣ ଭଳି ସହାୟତା ଯୋଗାଉଛି ଡ୍ରାଗନ । ଏସବୁ ସହାୟତା ଭାରତ ବିରୋଧରେ ପାକିସ୍ତାନର ଆକ୍ରମଣ ଦକ୍ଷତାକୁ ବଢାଇବ । ପାକିସ୍ତାନକୁ ସେନା ସହାୟତା ଯୋଗାଇବା ଭାରତକୁ ଘେରିବା ପାଇଁ ଚୀନ ରଣନୀତିର ଅଂଶ ବିଶେଷ । ଶ୍ରୀଲଙ୍କା ଓ ନେପାଳରେ ଚୀନର ପ୍ରଭାବ ବୃଦ୍ଧି ରଣନୀତିକୁ ଅଧିକ ମଜବୁତ କରୁଛି । ପାକିସ୍ତାନ ଓ ଚୀନର ଗୁଇନ୍ଦା ସହଯୋଗ ଯୋଗୁଁ ଭାରତ ସୀମା ଉପରେ ନଜର ରଖୁଛି ଶତ୍ରୁ ଦେଶ । ସିନ୍ଧ ପ୍ରାନ୍ତରେ ଘରୋଇ ସୁରକ୍ଷାକର୍ମୀ ମୁତୟନ କରିଥିବା ଚୀନ୍ ନିଜ ଦେଶର ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଗକୁ ସିପିଇସି ପ୍ରକଳ୍ପ ଅଞ୍ଚଳରେ ସେନା ବି ନିୟୋଜିତ କରିପାରେ । ଏଭଳି ହେଲେ ଆଞ୍ଚଳିକ ସୁରକ୍ଷା ତଥା ଭାରତ ପାଇଁ ବିପଜ୍ଜନକ ହେବ ।

Comments are closed.