ନୂଆଦିଲ୍ଲୀ: ଥମୁନି ଆମେରିକା-ଚୀନ ଟ୍ରେଡ୍ ଯୁଦ୍ଧ । ଟ୍ରେଡ୍ ଯୁଦ୍ଧରେ ପୁଣି ଚୀନ କଲା ପଲଟା ବାର୍ । ୧୪୫% ବଦଳରେ ଆମେରିକା ଉପରେ ଲଗାଇଲା ୧୨୫ % ଟାରିଫ୍ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଆମଦାନୀ ଉପରେ ଆଶ୍ଚର୍ଯ୍ୟଜନକ ଭାବରେ ଶୁଳ୍କ ୧୪୫ ପ୍ରତିଶତକୁ ବୃଦ୍ଧି କରିବାର କିଛି ସମୟ ପରେ ଚୀନ୍ ପୁଣି ଆଜି ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ୮୪ ପ୍ରତିଶତରୁ ୧୨୫ ପ୍ରତିଶତକୁ ବୃଦ୍ଧି ଘୋଷଣା କରିଛି । ଯାହା ଏବେ ଆମେରିକା ଏବଂ ଚୀନ ଭିତରେ ଚାଲିଥିବା ଶୁଳ୍କ ଯୁଦ୍ଧକୁ ଆହୁରି ଚଳଚଞ୍ଚଳ କରିଛି ।
ଆମେରିକାରୁ ଆମଦାନୀ ସମସ୍ତ ସାମଗ୍ରୀ ଉପରେ ୧୨୫ % ଟାରିଫ୍ ଲଗାଇଛି ଚୀନ । ଯାହା ଆସନ୍ତାକାଲିଠୁ ଆମେରିକା ଉପରେ ଚୀନର ବର୍ଦ୍ଧିତ ଟାରିଫ୍ ଲାଗୁ ନେଇ ସୂଚନା ମିଳିଛି । ପୂର୍ବରୁ ଆମେରିକା ଉପରେ ପାରସ୍ପରିକ ଶୁଳ୍କ ୩୪% ରୁ ୮୪ % କୁ ବୃଦ୍ଦି କରିଥିଲା ଚୀନ । ଯାହାଫଳରେ ଆମେରିକା ଚୀନ୍ ଉପରେ ୧୨୫% ଟାରିଫ୍ ଲାଗୁ କରିଥିଲେ । କିନ୍ତୁ ଗତକାଲି ଏହା ୧୨୫ ନୁହେଁ, ପୂର୍ବ ଶୁଳ୍କ ୨୦ ପ୍ରତିଶତ ଆହ୍ କରି ମୋଟ ୧୪୫ % ଟାରିଫ୍ ନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଥିଲା । ଆଉ ଏହାର ଜବାବରେ ପୁଣି ଆଜି ଚୀନ ଆମେରିକା ଉପରେ ୧୨୫ % ଟାରିଫ୍ ମାଡ କରିଛି ।
ତେବେ ଆମେରିକାର ଟାରିଫ୍ ମାଡରେ ଚୀନ କେବେବି ପଛଘୁଞ୍ଚା ଦେବ ନାହିଁ ବୋଲି ପୂର୍ବରୁ କହିଥିବା ବେଳେ ଚୀନ ଉପରେ ୧୪୫% ଟାରିଫ୍ ଲାଗୁ ହେବା ପରେ ଏହାକୁ ନେଇ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ଚୀନ ପ୍ରଧାନମନ୍ତ୍ରୀ ସି ଜିନପିଙ୍ଗ । ଟ୍ରମ୍ଫଙ୍କ ଶୁଳ୍କ ଆକ୍ରମଣର ପ୍ରଥମ ପ୍ରତିକ୍ରିୟାରେ, ସେ ଏହାକୁ ୟୁରୋପୀୟ ସଂଘକୁ ଏକପାକ୍ଷିଆ ଧମକ ବୋଲି ସମ୍ବୋଧିତ କରିଥିଲେ । ଏଥିସହିତ ସମସ୍ତେ ମିଶିକରି ଏହାର ପ୍ରତିରୋଧ କରିବା ପାଇଁ ବେଜିଂ ସହିତ ହାତମିଶାଇବାକୁ ଆହ୍ବାନ ଦେଇଛନ୍ତି । ଚୀନ ଏବଂ ୟୁରୋପ ସେମାନଙ୍କର ଆନ୍ତର୍ଜାତୀୟ ଦାୟିତ୍ୱ ପାଳନ କରିବା ଉଚିତ । ମିଳିତ ଭାବରେ ଏକପାଖିଆ ଧମକପୂର୍ଣ୍ଣ ଏଭଳି ପଦକ୍ଷେପକୁ ପ୍ରତିରୋଧ କରିବା ଉଚିତ ବୋଲି କହିଛନ୍ତି ଜିନପିଙ୍ଗ ।
ସେପଟେ ଆମେରିକା ଚୀନ୍ ଉପରେ ଅସ୍ୱାଭାବିକ ଭାବରେ ଉଚ୍ଚ ଶୁଳ୍କ ଲାଗୁ କରିବା ଆନ୍ତର୍ଜାତୀୟ ଏବଂ ଅର୍ଥନୈତିକ ବାଣିଜ୍ୟ ନିୟମ, ମୌଳିକ ଅର୍ଥନୈତିକ ଆଇନ ଏବଂ ସାଧାରଣ ଜ୍ଞାନକୁ ଗମ୍ଭୀର ଭାବରେ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରିଛି ଚୀନ ଅର୍ଥମନ୍ତ୍ରଣାଳୟ । ଏହା ସମ୍ପୂର୍ଣ୍ଣ ଏକପାଖିଆ ଧମକ ଏବଂ ଜବରଦସ୍ତି ବୋଲି କହି ଆମେରିକା ଉପରେ ବର୍ଷିଛି । ଏଥିସହିତ ଏହା ବି ଚ୍ୟାଲେଞ୍ଜ କରିଛି ଯେ, ଯଦି ଆମେରିକା ଚୀନ୍ ସ୍ୱାର୍ଥକୁ ଏକ ବାସ୍ତବ ଉପାୟରେ ଉଲ୍ଲଂଘନ କରିବାକୁ ଜିଦ୍ ଧରିଥାଏ ତେବେ ଚୀନ ଏହାର ଦୃଢ଼ତାର ସହ ପ୍ରତିକାର କରିବ ଏବଂ ଶେଷ ପର୍ଯ୍ୟନ୍ତ ଲଢ଼ିବ । ହେଲେ ଯଦି ଆମେରିକା ଅତିରିକ୍ତ ଶୁଳ୍କ ଏହିପରି ଭାବେ ଜାରି ରଖେ, ତାହେଲେ ଦେଶ ଆଉ ପ୍ରତିଶୋଧ ନନେଇ ଏହାକୁ ଅଣଦେଖା କରିବ ।
Comments are closed.