Latest Odisha News

ଚୀନରେ କମୁଛି ଜନସଂଖ୍ୟା: କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଜନ୍ମହାରରେ ହ୍ରାସ

ବେଜିଂ: ଚୀନରେ କମୁଛି ଜନସଂଖ୍ୟା। ଲଗାତାର ଦ୍ୱିତୀୟ ଥର ପାଇଁ ଚୀନରେ ଜନସଂଖ୍ୟା ହ୍ରାସ ପାଇଛି। ଚୀନର ଜାତୀୟ ପରିସଂଖ୍ୟାନ ବ୍ୟୁରୋ କହିଛି ଯେ ଗତ ବର୍ଷଠାରୁ ବର୍ତ୍ତମାନ ଯାଏ ଚୀନର ଜନସଂଖ୍ୟା ୨୦ ଲକ୍ଷ ୮୦ ହଜାର ହ୍ରାସ ପାଇଛି। ଜନସଂଖ୍ୟାରେ ଚୀନ୍ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାରତ ପ୍ରଥମ ସ୍ଥାନରେ ରହିଛି।

ବିକାଶକୁ ନେଇ ଗର୍ବ କରୁଥ‌ିବା ଚୀନ୍‌ର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି। ଏହାର କାରଣ ବିବାହ ଓ ଜନ୍ମହାରରେ ହ୍ରାସ। ୨୦୨୨ ମସିହାରେ ଚୀନ୍ ବିବାହ ପଞ୍ଜିକରଣରେ ରେକର୍ଡ ହ୍ରାସର ସମ୍ମୁଖୀନ ହୋଇଥିଲା। ଏହା ବ୍ୟତୀତ ଚୀନ୍‌ର ଜନସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି।ବର୍ତ୍ତମାନ ଚୀନର ଜନସଂଖ୍ୟା ୧୪୦ କୋଟି।

ଗତ ଦୁଇ ବର୍ଷ ମଧ୍ୟରେ ଚୀନରେ କୋଭିଡ-୧୯ ଯୋଗୁଁ କ୍ରମାଗତ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଜନ୍ମ ହାରରେ ମଧ୍ୟ ହ୍ରାସ ଘଟିଛି। ଏହି ଦୁଇଟି କାରଣ ଜନସଂଖ୍ୟା ହ୍ରାସର ସବୁଠାରୁ ବଡ କାରଣ ବୋଲି କୁହାଯାଉଛି। ୨୦୨୨ ମସିହାରେ ଚୀନରେ ୮.୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ଗତ ବର୍ଷ ତୁଳନାରେ ୧୦୦୦ ଲୋକଙ୍କ ପ୍ରତି ଜନ୍ମ ହାରରେ ୬.୩୯ ପ୍ରତିଶତ ହ୍ରାସ ଘଟିଛି। ଚୀନ୍‌ର କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ଏଭଳି ହ୍ରାସ ରେକର୍ଡ କରାଯାଇଛି।

କ୍ରମାଗତ ଦ୍ୱିତୀୟ ବର୍ଷ ଏପରି ସମସ୍ୟା ଭୋଗିଛି ଚୀନ୍। କୁହାଯାଉଛି ଯେ, ମହଙ୍ଗା କାରଣରୁ ବିବାହ କରିବାକୁ ଅରାଜି ହେଉଛନ୍ତି ଯୁବଗୋଷ୍ଠୀ। ଚୀନ୍ ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ହୋଇଥ‌ିବା ବେଳେ ଏବେ ଏହା ଧୀରେ ଧୀରେ ମନ୍ଥର ହେବାରେ ଲାଗିଛି। ଚୀନରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି।

Comments are closed.