Latest Odisha News

BREAKING NEWS

ବଢିଲା ମହୁଆ ମୋଇତ୍ରାଙ୍କ ଅଡ଼ୁଆ: ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ବହିଷ୍କୃତ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡ଼ୁଆ। ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ପୁଣି ନୋଟିସ୍ ଜାରି କରାଯାଇଛି। ଲୋକସଭାରୁ ବହିଷ୍କାର ହେବା ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ଜାରି ହୋଇଛି। ମହୁଆ ଯଦି ତୁରନ୍ତ ସରକାରୀ ବଙ୍ଗଳା ଖାଲି ନକରନ୍ତି, ତେବେ ଜୋର ଜବରଦସ୍ତ ତାଙ୍କୁ ଘରୁ ବାହାର କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।

ସାଂସଦ ଭାବରେ ମୋଇତ୍ରାଙ୍କୁ ସରକାରୀ ବଙ୍ଗଳା ମିଳିଥିଲା । ବହିଷ୍କାର କରେ ଜାନୁଆରୀ ୭ ସୁଦ୍ଧା ବଙ୍ଗଳା ଛାଡିବାକୁ ନୋଟିସ୍ ମିଳିଥିଲା ।କିନ୍ତୁ ନୋଟିସ ପରେ ବି ସେ ବଙ୍ଗଳା ଖାଲି ନକରିବାରୁ ଜାନୁଆରୀ ୮ରେ ଇଷ୍ଟେଟ ନିର୍ଦ୍ଦେଶାଳୟ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଏବଂ ୩ ଦିନ ମଧ୍ୟରେ ଜବାବ ଦେବାକୁ କହିଥିଲା । ପରେ ଜାନୁଆରୀ ୧୨ ତାରିଖରେ ଆଉ ଏକ ନୋଟିସ୍ ପଠାଯାଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ମୋଇତ୍ରା ବଙ୍ଗଳା ଖାଲି କରିନାହାନ୍ତି ।ତେଣୁ ଇଷ୍ଟେଟ ନିର୍ଦ୍ଦେଶାଳୟ ପକ୍ଷରୁ ପୁଣିଥରେ ନୋଟିସ୍ ପଠାଯାଇଛି ।

ବ୍ୟବସାୟୀ ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ଟିଏମସି ସାଂସଦ ମହୁଆ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଟଙ୍କା ନେଇଥିଲେ। ଏଥିପାଇଁ ମହୁଆ ମୈତ୍ର ନିଜ ସାଂସଦ ଆକାଉଣ୍ଟର ଲଗଇନ ଆଇଡି ଏବଂ ପାସଓ୍ଵାର୍ଡ ହୀରାନନ୍ଦାନୀଙ୍କୁ ଦେବା ସହ ତାଙ୍କଠାରୁ ନଗଦ ଟଙ୍କା ଏବଂ ଦାମୀ ଉପହାର ନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଏଥିକ୍ସ କମିଟି ମହୁଆଙ୍କୁ ଜେରା କରିବାକୁ ନୋଟିସ୍ କରିଥିଲେ। କିନ୍ତୁ ଏଥିକ୍ସ କମିଟିକୁ ସହଯୋଗ କରିନଥିଲେ ମହୁଆ।ଏଥିପାଇଁ ନିମ୍ନ ସଦନ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ବରଖାସ୍ତ କରିଥିଲେ ।

ମୋଇତ୍ରା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତାଙ୍କର ସଭ୍ୟପଦ ରବ୍ଦ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଏହି ନୋଟିସକୁ ଅବୈଧ ଦର୍ଶାଇ ପିଟିସନ ଦାଖଲ କରିଥିଲେ । ଏହାପରେ କୋର୍ଟ ତାଙ୍କୁ ବଙ୍ଗଳାରେ ରହିବାକୁ ଅନୁମତି ପାଇଁ ଇଷ୍ଟେଟ ନିର୍ଦ୍ଦେଶାଳୟକୁ ଅନୁରୋଧ କରିବାକୁ କହିଥିଲେ । ଏହାରି ମଧ୍ୟରେ ନିର୍ଦ୍ଦେଶାଳୟ ପକ୍ଷରୁ ଆଉ ଏକ ନୋଟିସ୍ ପଠାଯାଇ ତାଙ୍କୁ ବଙ୍ଗଳା ଖାଲି କରିବାକୁ କୁହାଯାଇଛି।

 

Leave A Reply

Your email address will not be published.