Latest Odisha News

BREAKING NEWS

ପ୍ରେମ ପାଠ ପଢିବେ ଛାତ୍ରଛାତ୍ରୀ, କଲେଜକୁ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ଚାଇନାକୁ ଘାରିଛି ଜନସଂଖ୍ୟା ହ୍ରାସ ପାଇବାର ଚିନ୍ତା । ତେଣୁ ଚୀନ୍ ସରକାର କଲେଜଗୁଡ଼ିକରେ ପ୍ରେମ ଶିକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ରୋମାଣ୍ଟିକ ସମ୍ପର୍କକୁ ଭଲ ଭାବରେ ବୁଝିବାକୁ ସାହାଯ୍ୟ କରିବ ଏହି ପାଠ୍ୟକ୍ରମ, ତେଣୁ ଏହା କଲେଜରେ ପଢା ଯିବ | କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏବେ ପରସ୍ପରକୁ ଭଲ ପାଇବା ଶିଖିବେ । ପ୍ରେମ ଶିକ୍ଷା ଆରମ୍ଭ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ରୋମାଣ୍ଟିକ ସମ୍ପର୍କ, ବିବାହ ଏବଂ ସନ୍ତାନ ପ୍ରସବ ଉପରେ ସକରାତ୍ମକ ମନୋଭାବକୁ ପ୍ରୋତ୍ସାହିତ କରିବା ।

ଚାଇନା ମିଡିଆ ଅନୁଯାୟୀ, ଦେଶର ଜନସଂଖ୍ୟା ହ୍ରାସ ହେଉଛି, ଏଥିରେ ସୁଧାର ଆଣିବା ଉଦ୍ଦେଶ୍ୟରେ ସରକାର କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରେମ ଶିକ୍ଷା ଆରମ୍ଭ କରିବାକୁ ପଦକ୍ଷେପ ନେଇଛନ୍ତି । ଯାହାଦ୍ୱାରା କଲେଜ ପିଲାମାନେ ପ୍ରଜନନ କ୍ଷମତା ହ୍ରାସକୁ ରୋକି ପାରିବେ । ନଭେମ୍ବରରେ, ଚୀନର ରାଜ୍ୟ ପରିଷଦ ସ୍ଥାନୀୟ ସରକାରଙ୍କୁ ଉପଯୁକ୍ତ ବୟସରେ ପ୍ରସବ ଏବଂ ବିବାହକୁ ପ୍ରୋତ୍ସାହିତ କରି ଜନସଂଖ୍ୟା ହ୍ରାସ ଭଳି ସମସ୍ୟାର ମୁକାବିଲା କରିବାକୁ ଅନୁରୋଧ କରିଥିଲା।

ବାସ୍ତବରେ, ଚାଇନାର କଲେଜ ଛାତ୍ରଛାତ୍ରୀଙ୍କ ମନରେ କୌଣସି ରୋମାଣ୍ଟିକ ସମ୍ପର୍କ ପ୍ରତି ଆଗ୍ରହ ନାହିଁ । ପ୍ରେମ ବିବାହ ପ୍ରତି ସେମାନଙ୍କର ମନୋଭାବ ବହୁତ ବଦଳି ଯାଇଛି | ଚାଇନା ପପୁଲେସନ୍ ନ୍ୟୁଜ୍ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ୫୭% କଲେଜ ପିଲା ରୋମାଣ୍ଟିକ ସମ୍ପର୍କ ପ୍ରତି ଆଗ୍ରହ ପ୍ରକାଶ କରୁନାହାଁନ୍ତି ଏବଂ ଦର୍ଶାଯାଇଥିବା ମୁଖ୍ୟ କାରଣ ହେଉଛି ସମ୍ପର୍କ ସହିତ ପାଠପଢାକୁ ବାଲାନ୍ସ କରିବାରେ ଅସୁବିଧା । ରିପୋର୍ଟରେ ଦର୍ଶାଯାଇଛି ଯେ, ସମ୍ପର୍କ ଉପରେ ବିସ୍ତୃତ ଓ ବୈଜ୍ଞାନିକ ଶିକ୍ଷାର ଅଭାବ ହେତୁ ଅନେକ ଛାତ୍ରଛାତ୍ରୀ ଭାବନାତ୍ମକ ସମ୍ପର୍କ ବିଷୟରେ ଏକ ଅସ୍ପଷ୍ଟ ଧାରଣା ରଖିଛନ୍ତି।

ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଜନସଂଖ୍ୟା,ବିବାହ ଏବଂ ପରିବାର ଯୋଜନା ଉପରେ ସମକାଳୀନ ଦୃଷ୍ଟିକୋଣ ବିଷୟରେ ଶିକ୍ଷା ଦେଇ ଜନସଂଖ୍ୟା ବୃଦ୍ଧି ପ୍ରତି ଉତ୍ସାହିତ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ କୁହାଯାଇଛି।

ସୂଚନାଥାଉକି, ୨୦୨୩ରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଦେଶରେ ଜନସଂଖ୍ୟା ହ୍ରାସ ପାଇଛି। ପ୍ରାୟ ୧.୪ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଚାଇନା ବିଶ୍ୱରେ ଅଧିକ ଜନସଂଖ୍ୟା ଦେଶ ମଧ୍ୟରେ ଦ୍ବିତୀୟ ହୋଇଥିଲେ ମଧ୍ୟ ଚୀନ୍‌ର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧ ହେଉଛି। ଫଳରେ ସରକାରୀ ଖର୍ଚ୍ଚ ଉପରେ ଚାପ ପକାଇବ ଏବଂ ଅର୍ଥନୀତି ଉପରେ ଅତିରିକ୍ତ ଚାପ ପକାଇବ ବୋଲି ଅନୁମାନ କରାଯାଉଛି ।

Comments are closed.