Latest Odisha News

BREAKING NEWS

ରାଜରାସ୍ତାକୁ ଓଲ୍ହାଇଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୋନପୁର: ରାଜରାସ୍ତାକୁ ଓଲ୍ହାଇଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ । ସମସ୍ତ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ, ଛୋଟ ଓ ବଡ଼ ସମସ୍ତ ଜମାକାରୀଙ୍କ ସମସ୍ତ ଟଙ୍କା ଫେରସ୍ତ ଦାବି ନେଇ ଏହି ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ । ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚିଟଫଣ୍ଡ କ୍ଷତିଗ୍ରସ୍ତମାନେ ଏକ ଗଣ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି ।

ସୂଚନା ଅନୁସାରେ, ଓଡିଶାରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଡ଼ାକରାରେ ହଜାର ହଜାର ମହିଳା ଓ ପୁରୁଷ କ୍ଷତିଗ୍ରସ୍ତ ଜମାକାରୀମାନେ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ସହରର ରୟାଲ ପଡ଼ିଆ ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଜମାକାରୀମାନେ ।

ଆବାହକ ଜୟନ୍ତ ଦାଶଙ୍କ ନେତୃତ୍ୱରେ ହୋଇଥିବା ଗଣ ସତ୍ୟାଗ୍ରହରେ ଚିଟଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ସୁବର୍ଣ୍ଣପୁର ଜିଲ୍ଲାର କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଚିହ୍ନଟ କରି ଟଙ୍କା ଫେରାଇବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି ଜମାକାରୀମାନେ । ଏ ସମ୍ପର୍କରେ ରାଜ୍ୟ ସରକାର ଯଥାଶିଘ୍ର ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି l

 

Leave A Reply

Your email address will not be published.