ଆଜି ଚିତାଲାଗି ଅମାବାସ୍ୟା : ମହାପ୍ରଭୁଙ୍କୁ ଲାଗିହେବ ସ୍ଵର୍ଣ୍ଣ ଏବଂ ରତ୍ନ ଚିତା

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ

ଶ୍ରୀମନ୍ଦିରରେ ଶ୍ରାବଣ ଅମାବାସ୍ୟା ଦିନ ଅର୍ଥାତ ଆଜି ଚିତା ଲାଗି ଅମାବାସ୍ୟା ନୀତି ପାଳିତ ହୋଇଥାଏ । ଏହି ଦିନ ମହାପ୍ରଭୁଙ୍କ ସ୍ଵର୍ଣଚିତା ଲାଗି
ହୋଇଥାଏ । ହୀରା ଲୀଳା ଏବଂ ମାଣିକ ପରିଧାନ କରନ୍ତି ଚତୁର୍ଦ୍ଦାମୂର୍ତ୍ତି । ବିଭିନ୍ନ ପ୍ରକାରର ଅଳଙ୍କାରରେ ତିଆରି ହୋଇଥିବା
ଆକର୍ଷଣୀୟ ଚିତାକୁ ଶ୍ରୀବିଗ୍ରହ ମାନଙ୍କ ମଥାରେ ଲାଗି କରାଯାଇଥାଏ । ଶ୍ରୀମନ୍ଦିରରେ ପାଳିତ ଅନେକ ଯାତ୍ରା, ଉପଯାତ୍ରା ତଥା
ଉତ୍ସବାଦି ଓ ତ୍ରୟୋଦଶ ଯାତ୍ରା ବ୍ୟତୀତ ୫୦ରୁ ଉର୍ଦ୍ଧ ଉପଯାତ୍ରା, ଉତ୍ସବାଦି ମଧ୍ୟରେ ଚିତାଲାଗି ଅମାବାସ୍ୟା ଅନ୍ୟତମ ଅଟେ ।

ଶ୍ରାବଣସ୍ୟ ଚ ଦର୍ଶେ
ଅପିହ୍ୟରୁଣୋଦୟ କାଳକେ ।
ନୈବେଦ୍ୟାମଧିକଂ ଦଦ୍ୟାତ୍ ପ୍ରାତଃ ପୂଜନକାଳକେ ।।
ସୁବର୍ଣ୍ଣରଚିତଂ ଦିବ୍ୟଂ ନାନାରତ୍ନସମୁଜ୍ଜ୍ଵଳମ୍ ।
ତିଳକଂ ତୁ କପାଳେଷୁ ଦେବାନାଂ ଭିଲ୍ଲଜାତୟଃ ।।

ଶ୍ରୀମନ୍ଦିରରେ ଚିତା ଲାଗି ନୀତି :
ଏହି ଦିନ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି । ଏହାପରେ
ଶ୍ରୀଜୀଉମାନଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ । ଏହି ଦିନ ସାଗର ବିଜେ କରିଥିବା ଅମାବାସ୍ୟା ଠାକୁର
ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବା ପରେ ପତି ମହାପାତ୍ର, ବାଡ଼ଗ୍ରାହୀ ଦଇତାମାନେ ରତ୍ନସିଂହାସନାଧିଷ୍ଠିତ ଶ୍ରୀଜୀଉଙ୍କର ଚିତାଲାଗି
କାର୍ଯ୍ୟ କରିଥାନ୍ତି । ତିନୋଟି ସ୍ୱର୍ଣ୍ଣ ଚିତା ଶ୍ରୀଜୀଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅରେ ପାଟ ଡୋର ସାହାଯ୍ୟରେ ଏହାକୁ ଦୃଢ଼
ଭାବରେ ବନ୍ଧାଯାଇଥାଏ ।

 

ସୂଚନାଯୋଗ୍ୟ ଯେ, ଏହି ରତ୍ନଖଚିତ ସ୍ୱର୍ଣ୍ଣ ଚିତାକୁ ପୂର୍ବରୁ ଅର୍ଥାତ ସ୍ନାନପୂର୍ଣ୍ଣିମା ଦିନ ରାତ୍ରିରେ ଶ୍ରୀଜୀଉମାନଙ୍କ ଶ୍ରୀକପାଳଦେଶରୁ ଓଲାଗି କରାଯାଇଥାଏ । ଏହି ଚିତାକୁ ଭଣ୍ଡାରରୁ ଅଣାଯାଇ ଶ୍ରୀମନ୍ଦିର ପରିସରରେ ଦେଉଳକରଣ, ତଢ଼ାଉ କରଣ, ଶ୍ରୀମନ୍ଦିର ପ୍ରଶାସନର ପଦାଧିକାରୀ ଉପସ୍ଥିତିରେ ବଣିଆ ସେବକ ଦ୍ୱାରା ସଫା କରାଯାଇଥାଏ ଓ ପୁନଃ ସଂସ୍ଥାପିତ ହୋଇଥାଏ । ଚିତାଲାଗି ନୀତି ଗୋପନୀୟ ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥାଏ । ଭକ୍ତଙ୍କୁ ଭିତରକାଠ ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଥାଏ ।

ଉଲ୍ଲେଖଯୋଗ୍ୟ ଯେ, ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ସ୍ୱର୍ଣ୍ଣ ଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି । ଏହାର ଚାରି ପାର୍ଶ୍ୱରେ
ପାଞ୍ଚୋଟି ବେଢ଼ରେ ଛୋଟ ଛୋଟ ମାଣିକ୍ୟ, ହୀରା, ମର୍କତ / ପାନ୍ନା ଏବଂ ନୀଳ ପଥର ଖଚିତ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ
ସ୍ଵର୍ଣ୍ଣଚିତା ମଝିରେ ହୀରା ରହିଛି । ଚିତାର ସାତୋଟି ବେଢ଼ରେ ମାଣିକ୍ୟ, ହୀରା, ପାନ୍ନା ଏବଂ ଓପଲ ଖଞ୍ଜା ଯାଇଛି । ଶେଷ ଅର୍ଥାତ,
ସପ୍ତମ ବେଢ଼ରେ ଶୀର୍ଷରେ ବା ଚିତାର ଶୀର୍ଷରେ ପାନପତ୍ର ଆକୃତିର ଏକ ହୀରା ପଥର ରହିଛି । ଏହାକୁ ବ୍ରହ୍ମଜ୍ୟୋତି ହୀରା କୁହାଯାଏ ।

ସୁଭଦ୍ରାଙ୍କ ଚିତା ମଝିରେ ଏକ ବଡ଼ ମାଣିକ୍ୟ ପଥର ରହିଛି । ଚିତାର ତିନୋଟି ବେଢ଼ରେ ପାନ୍ନା, ମର୍କତ, ହୀରା ଓ ମାଣିକ୍ୟ ରହିଛି । ଏହି ତିନୋଟି ରତ୍ନଖଚିତ ସୁବର୍ଣ୍ଣ ଚିତାଗୁଡିକୁ ମର୍କତ ଚିତା, ହୀର ଚିତା ଏବଂ ପାନ୍ନା ଚିତା କୁହାଯାଇଥାଏ । ଚିତା ଲାଗି ନୀତି ସମ୍ପନ୍ନ ହେଲା
ପରେ ମହାସ୍ନାନ ବଢ଼ି ଅନ୍ୟାନ୍ୟ ନୀତି ହୋଇଥାଏ । ଏହି ଦିନ ପ୍ରତିହାରୀ ନିଯୋଗମାନଙ୍କ ପକ୍ଷରୁ ଆଳତି ଭୋଗ ହୋଇଥାଏ । ଏଥିରେ ଛେନା, ତାଡ଼ିଆ, ଫାଳ ସୋଲା ପ୍ରଭୃତି ଭୋଗ ହୋଇଥାଏ ।

ଇତିହାସ ପୃଷ୍ଠାରୁ ଜଣାଯାଏ କି, ରକ୍ତବାହୁ ଆକ୍ରମଣ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁବର୍ଣ୍ଣପୁରରେ ପାତାଳି କରି ରଖା ଯାଇଥିଲା । ଆଦି ଶଙ୍କରାଚାର୍ଯ୍ୟ ତତ୍ୱାବଧାନରେ ଯଯାତି କେଶରୀ ଶ୍ରୀଜୀଉମାନଙ୍କୁ ସେଠାରୁ ଆଣି ଶ୍ରୀମନ୍ଦିରରେ ରତ୍ନବେଦୀରେ ପଟାଅଭିଷେକ କରାଇଥିଲେ ଏବଂ ଏହି ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଇଥିଲେ । ସେହିଦିନଠାରୁ ଓଡ଼ିଶାର ପୁରପଲ୍ଲୀ ଶ୍ରାବଣ ମାସ ଅମାବାସ୍ୟା ଚିତା ଲାଗି ଅମାବାସ୍ୟା ନାମରେ ପରିଚିତ ହୋଇଛି ।

 

ଚିତାଲାଗି ବା ଚିତଉ ଅମାବାସ୍ୟା :
ଦୀର୍ଘ ଚାରିମାସର ଗ୍ରୀଷ୍ମ ପ୍ରବାହ ପରେ ଧରାପୃଷ୍ଠକୁ ଆସେ ବର୍ଷା । ବର୍ଷାର ଆଗମନରେ ଚାଷୀ କର୍ମତତ୍ପର ହୋଇଉଠେ । ବିଲରେ
ବଛା, ତଳିପକା, ରୁଆ, ବେଉଷଣ କାମ କରେ । ଆସନ୍ତା ବର୍ଷର ଆହାର ପାଇଁ ଉଦ୍ୟୋଗ କରେ । ଏହି ସମୟରେ ଓଡ଼ିଶାର ପୁରପଲ୍ଲୀରେ ଶ୍ରାବଣ ମାସର ଅମାବାସ୍ୟା ଦିନ ଚିତାଲାଗି ବା ଚିତଉ ଅମାବାସ୍ୟା ପର୍ବ ପାଳିତ ହୁଏ । ଘରେ ଘରେ ଚିତଉ ପିଠା ହୁଏ ।

ଓଡ଼ିଆ ଘରର ପିଠା ଏଣ୍ଡୁରି, ଚକୁଳି, ମଣ୍ଡା ପିଠା ପରି ଚିତଉ ଏକ ସ୍ୱତନ୍ତ୍ର ଧରଣର ପିଠା । ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ବେଶ ହୋଇଥାଏ । ସ୍ନାନଯାତ୍ରା ପରେ ଠାକୁରମାନେ ସ୍ନାନମଣ୍ଡପରୁ ଅଣସର ଘରକୁ ବିଜେ କରିବା ପରେ ବିଗ୍ରହମାନଙ୍କର ମସ୍ତକରେ ଲାଗିଥିବା ହୀରା ନୀଳା ମାଣିକ୍ୟ ଖଚିତ ସୁବର୍ଣ୍ଣ ଚିତାକୁ ମଇଲମ (କାଢ଼ିଦେଇ) ହୋଇ ରତ୍ନଭଣ୍ଡାରରେ ଯଥାସ୍ଥାନରେ ରଖାଯାଇଥାଏ ।

 ଚିତାଲାଗି ଅମାବାସ୍ୟା ଦିନ ଏହି ରତ୍ନଖଚିତ ସୁବର୍ଣ୍ଣ ଚିତା ପୁନର୍ବାର ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଲାଗି ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଚିତା, ମାଆ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ଚିତା ଏବଂ ଶ୍ରୀବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ଚିତା ଦଇତାପତିମାନେ ଲାଗି କରିଥାନ୍ତି । ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଆସନ୍ତା ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।