ଯାଜପୁର: ଯାଜପୁରରେ ପୁଣି ପହଞ୍ଚିଲା କେନ୍ଦ୍ରୀୟ ଟିମ୍। ଡାଇରିଆ ଆତଙ୍କ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏହା ପରେ ବିଭିନ୍ନ ବ୍ଲକ ଗସ୍ତ କରିବ ୧୦ ଜଣିଆ କେନ୍ଦ୍ରୀୟ ଟିମ୍। ଯାଜପୁର ବ୍ୟାସନଗର ଏବଂ ବିଞ୍ଝାରପୁର ଅଞ୍ଚଳରେ ସମସ୍ତ ଢାବା, ଫାଷ୍ଟଫୁଡ୍ ଷ୍ଟଲ୍ ଏବଂ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡ଼ିକୁ ଆଗାମୀ ୨ ସପ୍ତାହ ପାଇଁ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ଚାଟ୍, ଗୁପ୍ଚୁପ୍, ଆଇସ୍କ୍ରିମ୍ ଫ୍ୟାକ୍ଟ୍ରି ତଥା ପାଣି ପାଉଚ୍, ମାଛ, ଚିକେନ୍ ଓ ମଟନ୍ ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରହିବ।
ଏହି ନିଷ୍ପତ୍ତି ସ୍ଥାନୀୟ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ସମ୍ବନ୍ଧୀୟ ଚିନ୍ତାକୁ ନେଇ ନିଆଯାଇଥିବା ଜଣାପଡ଼ିଛି। ତହସିଲ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଦୋକାନୀମାନଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ଏହା ସହିତ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ନିର୍ଦ୍ଦେଶର ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଅନ୍ୟପଟେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ ୧୩ ଟି ମେଡିକାଲରେ ୨୧୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିପରି ବଢ଼ିଲା ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି। ଆଜି ଦିନକରେ ଜିଲ୍ଲାରେ ୪୯ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ ପ୍ରଶାସନର କଟକଣା ଜାରି ହେଵା ପରେ ଧର୍ମଶାଳାରେ ବିଭିନ୍ନ ଦୋକାନ ବଜାରରେ ଝୁଲିଲା ତାଲା। ଯାଜପୁରରେ ଝାଡାବାନ୍ତି ସ୍ଥିତି ସାଂଘାତିକ ହେବା ପରେ ଧର୍ମଶାଳା ତହସିଲ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି ।
କଟକଣା ଜାରି ହେବା ପରେ ଆଜି ଧର୍ମଶାଳା ବଜାର ସମେତ ଜାରକା ବଜାର ଓ ରାସ୍ତା କଡ଼ ଢ଼ାବା ଓ ହୋଟେଲ ଗୁଡିକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ତହସିଲ ପ୍ରଶାସନର ବିନା ଅନୁମତିରେ ଦୋକାନ ଖୋଲା ରଖିଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଧର୍ମଶାଳା ତହସିଲଦାର କହିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ଟିମ୍ ସ୍ପଷ୍ଟ କରିଛି ଯେ ଜିଲାରେ କଲେରା ବ୍ୟାପିଛି, ତେବେ ଏହା ପାଣ୍ଡେମିକ୍ ନୁହେଁ, ବରଂ ଏଣ୍ଡେମିକ୍ ଅବସ୍ଥାରେ ରହିଛି।
କେନ୍ଦ୍ରୀୟ ଟିମ୍ ଜଣାଇଛି ଯେ ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଏବଂ ଅନ୍ୟ କିଛି କାରଣରୁ ରୋଗ ବ୍ୟାପୁଛି। କେସ୍ ଲୋଡ୍ ଅନୁଧ୍ୟାନ କରାଯାଉଛି ଏବଂ ଡାଇରିଆ ମାମଲା ମଧ୍ୟ ଦେଖାଦେଇଛି। ଟିମ୍ ରାଜ୍ୟ ସରକାରଙ୍କୁ ପ୍ରତିକାରମୂଳକ ପଦକ୍ଷେପ ସୁପାରିସ କରିଥିବା ସହ ସ୍ୱଚ୍ଛତା ରକ୍ଷା ନେଇ ପରାମର୍ଶ ଦେଇଛି।
Comments are closed.