Latest Odisha News

କୋରିଓଗ୍ରାଫର୍‌ଙ୍କୁ ଝଟ୍‌କା: ଫେରାଇ ନିଆଗଲା ଜାତୀୟ ପୁରସ୍କାର

ମୁମ୍ବାଇ: କୋରିଓଗ୍ରାଫର ଜାନି ମାଷ୍ଟରଙ୍କୁ ଝଟକା। ଶାରୀରିକ ନିର୍ଯାତନା ଅଭିଯୋଗରେ ଜାନି ମାଷ୍ଟର ସେପ୍ଟେମ୍ବର ୧୯ରୁ ଜେଲରେ ଅଛନ୍ତି। ଏହାରି ଭିତରେ ତାଙ୍କୁ ଲାଗିଛି ଆଉ ଏକ ବଡ଼ ଝଟକା। ‘ମେଘମ୍ କାରୁକଥା’ ଗୀତ ପାଇଁ ‘ଶ୍ରେଷ୍ଠ କୋରିଓଗ୍ରାଫି କ୍ୟାଟେଗୋରୀରେ ଜାନି ମାଷ୍ଟରଙ୍କୁ ଦିଆଯାଇଥିବା ଜାତୀୟ ପୁରସ୍କାର ପ୍ରତ୍ୟାହାର କରି ନିଆଯାଇଛି।

ଏହି ସପ୍ତାହରେ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଯୋଗଦେବା ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଆଇବି ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ଶୁକ୍ରବାର (ଅକ୍ଟୋବର ୪), I&B ମନ୍ତ୍ରଣାଳୟର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସେଲ୍ ଏକ ବିବୃତ୍ତି ଜାରି କରି କହିଛି ଯେ ଜାନି ମାଷ୍ଟରଙ୍କ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରତ୍ୟାହାର କରିନିଆଯାଇଛି। ଏହା ବ୍ୟତୀତ ଜାନି ମାଷ୍ଟରଙ୍କୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଯୋଗଦେବାକୁ ଦିଆଯାଇଥିବା ନିମନ୍ତ୍ରଣ ମଧ୍ୟ ବାତିଲ କରାଯାଇଛି।

ଜାନି ମୁଷ୍ଟରଙ୍କୁ ଜାତୀୟ ପୁରସ୍କାର ମିଳିବ ନାହିଁ କିମ୍ବା ସେ ଏହି ସମାରୋହରେ ଯୋଗ ଦେଇ ପାରିବେ ନାହିଁ। ତେଲୁଗୁ କୋରିଓଗ୍ରାଫର ଜାନି ମାଷ୍ଟର ଅର୍ଥାତ୍ ଶେଖ ଜାନି ବାଶାଙ୍କ ଉପରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। POCSO ଅଧୀନରେ ଏହି ମାମଲା ପଞ୍ଜୀକୃତ ହେବା ପରେ ସ୍ପେଶାଲ ଅପରେସନ୍ ଟିମ୍ (SOT) ତାଙ୍କୁ ୧୯ସେପ୍ଟେମ୍ବରରେ ଗୋଆରୁ ଗିରଫ କରିଥିଲା।

 

Leave A Reply

Your email address will not be published.