Latest Odisha News

BREAKING NEWS

କାହିଁକି ଡ଼ିସେମ୍ବର ୨୫ରେ ପାଳିତ ହୁଏ କ୍ରିସମାସ, ଜାଣନ୍ତୁ…

ଭୁବନେଶ୍ୱର: ପ୍ରଭୁ ଯୀଶୁ ଥିଲେ କ୍ଷମାର ସାଗର, ଦୟା ଓ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ । ସମଗ୍ର ବିଶ୍ୱରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିବସ ଡ଼ିସେମ୍ବର ୨୫ ତାରିଖରେ ବଡ଼ ଧୁମଧାମରେ ପାଳିତ ହୋଇଥାଏ । ଏହିଦିନ ବିଶ୍ୱର ପ୍ରାୟ ସମସ୍ତ ସହର ଗୁଡ଼ିକ ଉତ୍ସବମୁଖର ହୋଇଥାଏ ।

ବଡ଼ଦିନକୁ ନେଇ କଣ ରହିଛି ବିଶ୍ୱାସ:

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ରୂପରେ ବଡ଼ଦିନକୁ (ଈଂରାଜୀ ଉଚ୍ଚାରଣ: କ୍ରିସ୍‍ମସ୍) ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମ୍‍ଧାମ୍‍ର ସହିତ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଏହାକୁ ପାଳନ କରିଥାନ୍ତି ।

ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ ଆରମ୍ଭ ହୋଇ ବଡ଼ଦିନ ଉତ୍ସବର ଆରମ୍ଭ ହୋଇଥାଏ ଏବଂ ତାହା ଦ୍ୱାଦଶ ଦିନରେ ଏକ ଉତ୍ସବ ପରି ପାଳିନ କରି ସମାପ୍ତ କରାଯାଏ ।

କିଛି ଦେଶର ସଂସ୍କୃତି ଅନୁସାରେ ଏହି ଉତ୍ସବ ଆଠ ଦିନ ଧରି ମଧ୍ୟ ପାଳିତ ହୁଏ । ଖ୍ରୀଷ୍ଟ ଧର୍ମାବଲମ୍ବୀ ବା ଅନେକ ଦେଶରେ ଅଣ-ଖ୍ରୀଷ୍ଟୀୟାନ ଜନସମୂହଙ୍କର ମୁଖ୍ୟ ପର୍ବ ହୋଇଥିବାରୁ ଭାରତ ସମେତ ଅନେକ ଦେଶରେ ବଡ଼ଦିନକୁ ଏକ ସରକାରୀ ଛୁଟିଦିନ ରୂପେ ଘୋଷିତ କରାଯାଇଛି ।

ବେଥେଲହାମରେ ପ୍ରଭୁ ଯୀଶୁଙ୍କ ଜନ୍ମ:

ବାଇବେଲ୍‍ର “ନ୍ୟୁ ଟେଷ୍ଟାମେଣ୍ଟ୍” (ନୂତନ ନିୟମାବଳୀ) ଅନୁସାରେ ବେଥ୍ଲେହେମ୍‍ଠାରେ ଯୀଶୁଙ୍କ ଜନ୍ମଦିନ ହିଁ ବଡ଼ଦିନ ଉତ୍ସବର ପାରମ୍ପରିକ ମୂଳଦୁଆ ।

ସନ୍ଥ ଜୋସେଫ୍ ଓ ମାତା ମେରି (ମରିୟମ୍) ବେଥ୍ଲେହେମ୍ ସହରରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ରହିବା ପାଇଁ କୌଣସି ପାନ୍ଥନିବାସ ନାହିଁ । ତେଣୁ ଏକ ମେଣ୍ଢାଶାଳରେ ମାତା ମେରିଙ୍କୁ ରହିବାକୁ ପଡ଼ିଥିଲା ଓ ସେଠାରେ ସେ ଯୀଶୁଙ୍କୁ ଜନ୍ମଦାନ କରିଥିଲେ । ଦେବଦୂତ ଓ ମେଷପାଳକମାନେ ମିଶି ଏହି ଶୁଭ ମୁହୂର୍ତ୍ତ ବିଷୟରେ ସଭିଙ୍କୁ ଜଣାଇଲେ ଓ ଯୀଶୁ ଜନ୍ମ ନେବା କଥା ପ୍ରଚାରିତ ହୋଇଗଲା ।

ଯୀଶୁଙ୍କ ପ୍ରକୃତ ଜନ୍ମ ତାରିଖ ଓ ମାସ ସମସ୍ତଙ୍କୁ ଅଜ୍ଞାତ, କିନ୍ତୁ ଚତୁର୍ଥ ଶତାବ୍ଦୀର ପ୍ରଥମାର୍ଦ୍ଧରେ ‘ୱେଷ୍ଟର୍ଣ୍ଣ୍ ଖ୍ରୀଷ୍ଟିୟାନ୍ ଚର୍ଚ୍ଚ୍’ (ପାଶ୍ଚାତ୍ୟ ଦେଶମାନଙ୍କ ପ୍ରମୁଖ ଗୀର୍ଜାଘରମାନେ) ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟଙ୍କ ଜନ୍ମ ବୋଲି ଗ୍ରହଣ କଲେଓ ପ୍ରାଚ୍ୟ ଦେଶମାନଙ୍କରେ ମଧ୍ୟ ଏହି ପ୍ରଥା ପ୍ରଚଳିତ ହେଉଛି

କିପରି ପାଳିତ ହୋଇଥାଏ ବଡ଼ଦିନ:

ଆଧୁନିକ ଯୁଗରେ ବଡ଼ଦିନ ପାଳନ ସମୟରେ ଉପହାର ଦେଣନେଣ, ଘରକୁ ଅତିଥି ଆଗମନ କ୍ୟାଲେଣ୍ଡର୍‍ର ଦିନ ଗଣିବା, ବଡ଼ଦିନର ସଙ୍ଗୀତ ଓ ପ୍ରାର୍ଥନା, ବଡ଼ଦିନ ଗଛ, ଘରକୁ ଆଲୋକମାଳାରେ ସଜ୍ଜିତ କରିବା, ଗୀର୍ଜା ଘର ତରଫରୁ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦାନ ଦେବା, ବଡ଼ଦିନ କାର୍ଡ୍ ଦେବାନେବା, କଣ୍ଢେଇ ମାଧ୍ୟମରେ ଯୀଶୁଙ୍କ ଜନ୍ମବୃତ୍ତାନ୍ତ ଦର୍ଶାଇବା ପରି ବିଭିନ୍ନ ପ୍ରଥା ପ୍ରଚଳିତ ହେଉଛି ।

ବଡ଼ଦିନ ସମ୍ପର୍କିତ କିଛି ସ୍ଥାନୀୟ ଲୋକକଥା ଓ ପରମ୍ପରା ମଧ୍ୟ ରହିଛି । ସନ୍ଥ ନିକୋଲାସ୍ ବା “ସାଣ୍ଟା କ୍ଲସ୍” ଛୋଟ ପିଲାଙ୍କ ପାଇଁ ଉପହାର ଆଣିଦେବା ସେମାନଙ୍କୁ ଉତ୍ସାହିତ ଓ ଆନନ୍ଦିତ କରିଥାଏ ।

ଉପହାର ଓ ଅନ୍ୟାନ୍ୟ ସାମଗ୍ରୀ କିଣାବିକା ଯୋଗୁଁ ବଡ଼ଦିନ ସମୟଟି ବ୍ୟାପାର ପାଇଁ ଉତ୍କୃଷ୍ଟ ସମୟ ଓ ଗତ କିଛି ଶତାବ୍ଦୀରେ ବିଶ୍ୱର ବିଭିନ୍ନ ସ୍ଥାନରେ ବଡ଼ଦିନ ସମୟରେ ଏହି ବ୍ୟାପାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.