Latest Odisha News

BREAKING NEWS

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ ମେଣ୍ଟକୁ ବହୁମତ; ନୂଆ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ୍ !

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନର ଆଜି ଭୋଟ ଗଣନା ସାମ୍ନାକୁ ଆସିଛି । ଏହି ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)-କଂଗ୍ରେସ ମେଣ୍ଟକୁ ମିଳିଛି ସରକାର ଗଠନ କରିବାକୁ ପୂର୍ଣ୍ଣ ବହୁମତ । ଘୋଷିତ ହୋଇଥିବା ସମୁଦାୟ ୮୧ଟି ଆସନ ମଧ୍ୟରୁ ଜେଏମଏମ-କଂଗ୍ରେସ ମେଣ୍ଟକୁ ୪୫ଟି ଆସନ ମିଳିଥିବା ବେଳେ ଶାସକ ବିଜେପିକୁ ମିଳିଛି ୨୬ଟି ଆସନ ।

ୟୁପିଏ ଓ ଏନଡ଼ିଏ ମେଣ୍ଟ ବ୍ୟତୀତ ଜେଭିଏମକୁ ୩ଟି, ଆଜସୁକୁ ୩ଟି ଏବଂ ଅନ୍ୟଦଳଗୁଡ଼ିକୁ ମିଳିଛି ୪ଟି ଆସନ । ଇତିମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁବୀର ଦାସ ପରାଜୟ ସ୍ୱୀକାର କରିଛନ୍ତି ।
ଆହୁରି ଅନେକ ରାଉଣ୍ଡ ଭୋଟ ଗଣତି ବାକି ରହିଥିଲେ ମଧ୍ୟ ୪୪ ବର୍ଷ ବୟସ୍କ ଜେଏମଏମ ନେତା ହେମନ୍ତ ସୋରେନ ଦଳର ପ୍ରତିଷ୍ଠାତା ତଥା ପିତା ଶିବୁ ସୋରେନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେ କହିଛନ୍ତି, ଆମର ଏହି ବିଜୟ ଝାଡ଼ଖଣ୍ଡରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

“ଝାଡ଼ଖଣ୍ଡର ଜନସାଧାରଣ ଆମକୁ ବହୁମତ ପ୍ରଦାନ କରିଛନ୍ତି । ରାଜ୍ୟରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ । ଏହି ଅଧ୍ୟାୟ ରାଜ୍ୟର ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ ହେବ,” ବୋଲି ହେମନ୍ତ କହିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପୁଅ ହେମନ୍ତ ପୂର୍ବରୁ ଝାଡ଼ଖଣ୍ଡର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ସେ ବର୍ତ୍ତମାନ ଝାଡ଼ଖଣ୍ଡ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି । ବିଜେପି ନେତୃତ୍ୱାଧୀନ ସରକାରରେ ମୁଖ୍ୟମନ୍ତ୍ରୀ ରଘୁବୀର ଯାଦବ ଝାଡ଼ଖଣ୍ଡ ଇତିହାସରେ ପ୍ରଥମଥର ଲାଗି ୫ବର୍ଷ ପୂରଣ କରିପାରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୦ ମସିହାରେ ଝାଡ଼ଖଣ୍ଡ ଏକ ନୂଆ ରାଜ୍ୟ ଭାବେ ସ୍ଥାପିତ ହୋଇଥିଲା । ଏହାପରଠାରୁ ଏଠାରେ ୯ଟି ସରକାର ରାଜ୍ୟକୁ ଶାସନ କରିଛନ୍ତି । ଏପରିକି ଏଠାରେ ୩ ଥର ଲାଗି ରାଷ୍ଟ୍ରପତି ଶାସନ ଜାରି ହୋଇଛି ।

Leave A Reply

Your email address will not be published.