ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପ୍ରୋଜେକ୍ଟ ପରୀକ୍ଷା ଦେବେ । ଏହି ପରୀକ୍ଷା ଜାନୁଆରୀ ୧୨ ତାରିଖ ଯାଏଁ ଚାଲିବ । ପରୀକ୍ଷାରେ କୌଣସି ପ୍ରକାର ସମସ୍ୟା ଉପୁଜିଲେ, ତୁରନ୍ତ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି ।
ଅନ୍ୟପଟେ, କଳା ଫଳାଫଳ ଶୀଘ୍ର ପ୍ରକାଶ କରିବାକୁ ଉଦ୍ୟମ କରିଛି ସିଏଚଏସଇ । କଳାର ଓଡ଼ିଆ ଓ ଇଂରାଜୀ ପରୀକ୍ଷା ଖାତା ଅନଲାଇନରେ ମୂଲ୍ୟାୟନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଇଛି ସିଏଚଏସଇ । କାରଣ ପରୀକ୍ଷା ଖାତା ତୁଳନାରେ ମୂଲ୍ୟାଙ୍କନକାରୀଙ୍କ ସଂଖ୍ୟା କମ୍ । ଆଉ ଦଶ ଦିନ ଭିତରେ ରାଜ୍ୟ ସରକାରଙ୍କ ଠାରୁ ଜବାବ ମିଳିବ ବୋଲି ଆଶା ରଖାଯାଇଥିବା କହିଛନ୍ତି ସିଏଚଏସଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡା ।
ସିଏଚଏସଇ ଅଧ୍ୟକ୍ଷ କହିଛନ୍ତି ଯେ, ଏବେ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ବିଷୟ ଅନଲାଇନରେ ମୂଲ୍ୟାୟନ ହେଉଛି । ଏଥିରେ ଉତ୍ତର ଖାତାକୁ ସ୍କାନ କରି କମ୍ପୁଟର ସ୍କ୍ରିନରେ ଆସିବ । ପ୍ରଶ୍ନ ଓ ଉତ୍ତର ଦେଖି ଅନଲାଇନ ମୂଲ୍ୟାୟନ କରାଯାଏ । ଆଜି ସମସ୍ତ ଯୁକ୍ତ ଦୁଇ କଲେଜରେ ଭଲ ଭାବେ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି ।
Comments are closed.