ଭୁବନେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ୬ ଦିନ ଧରି ଘମାଘୋଟ ଆଲୋଚନା ପରେ ୮ ଏପ୍ରିଲ ୧୯୫୦ ମସିହାରେ ଦିଲ୍ଲୀରେ ଏକ ରାଜିନାମା ସ୍ୱାକ୍ଷର ହୋଇଥିଲା, ଯାହା ନେହରୁ-ଲିୟାକତ୍ ସମଝୌତା ନାମରେ ପରିଚିତ । ଦୁଇ ଦେଶରେ ଅବସ୍ଥାନ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାରକୁ ନେଇ ଏହି ରାଜିନାମା ହୋଇଥିଲା । ଏହି ରାଜିନାମା କଣ ରହିଛି, ଆସନ୍ତୁ ନଜର ପକାଇବା ।
ବିଭାଜନ ଏବଂ ଦଙ୍ଗା
୧୯୪୭ ମସିହା ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନ ହେବା ସହ ଭାରତ ଓ ପାକିସ୍ତାନ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ଏହି ସମୟରେ ଦୁଇ ଦେଶରେ ବ୍ୟାପକ ହିଂସାକାଣ୍ଡ ଓ ଦଙ୍ଗା ସୃଷ୍ଟି ହୋଇଥିଲା । ଏହି ଦଙ୍ଗାରେ ଦୁଇ ଦେଶରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ, କୋଟି କୋଟି ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଥିଲା । ବିଶେଷ କରି ମହିଳା ଓ ଶିଶୁମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ । ହଜାର ହଜାର ମହିଳା ବଳାକ୍ରାରର ଶିକାର ହୋଇଥିଲେ । କେତେ ଯେ ଯୁବତୀଙ୍କୁ ଅପହରଣ କରିନିଆଯାଇଥିଲା ତାର କଳନା ନାହିଁ । ଅନେକ ଲୋକଙ୍କୁ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଇଥିଲା । ପରିସ୍ଥିତି ଏତେ ଭୟାନକ ହୋଇଥିଲା ଯେ, ଦୁଇ ଦେଶରେ ସଂଖ୍ୟାଲଘୁମାନେ ନିଜକୁ ଅସୁରକ୍ଷିତ ମନେ କଲେ । ଶେଷରେ ୧୯୪୯ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ପୂରା ବନ୍ଦ ହୋଇଗଲା । ଲୋକେ ନିଜ ଜନ୍ମମାଟି ଧନସମ୍ପତ୍ତି ଛାଡି ନିଜ ଜୀବନ ବଞ୍ଚାଇବାକୁ ସୁରକ୍ଷିତ ସ୍ଥାନ ସନ୍ଧାନରେ ବାହାରିଲେ । ହଜାର ହଜାର ସଂଖ୍ୟାରେ ହିନ୍ଦୁ ଓ ଶିଖ୍ ପାକିସ୍ତାନ ଛାଡି ଭାରତକୁ ଚାଲିଆସିବା ବେଳେ ଏଠାରୁ ହଜାର ହଜାର ମୁସିଲମ୍ ପାକିସ୍ତାନ ଚାଲିଗଲେ । ସେତେବେଳେ ଦୁଇ ଦେଶରେ ବିସ୍ଥାପିତ ହୋଇଥିବା ଏମାନଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ଥିଲା । ତେବେ ଯେଉଁମାନେ ଦେଶଛାଡି ଯାଇନଥିଲେ ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଉଥିଲା ।
ବୁଝାମଣା
ସେତେବେଳେ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଭୟର ବାତାବରଣ ଖେଳିଯାଇଥିଲା । ଏହାର ସମାଧାନ ପାଇଁ ତକ୍ରାଳୀନ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଲିୟାକତ୍ ଅଲ୍ଲି ଖାନ୍ ଆଲୋଚନା ଆରମ୍ଭ କରିଥିଲେ । ୨ ଏପ୍ରିଲ ୧୯୫୦ରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହେଲା ଆଲୋଚନା । ଦୁଇ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଯେପରି ସୁରକ୍ଷିତ ଭାବେ ରହିପାରିବେ ସେ ନେଇ ୮ ଏପ୍ରିଲରେ ରାଜିନାମା ସ୍ୱାକ୍ଷର ହୋଇଥିଲା । ଏହାର ମୂଳ ଲକ୍ଷ୍ୟ ଥିଲା ଧାର୍ମିକ ସଂଖ୍ୟାଲଘୁଙ୍କ ମନରୁ ଭୟ ଦୂର କରିବା, ସାମ୍ପ୍ରଦାୟିକ ଦଙ୍ଗା ବନ୍ଦ କରିବା ଏବଂ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ।
ବୁଝାମଣାର ମୁଖ୍ୟ ପଏଣ୍ଟ
- ଦୁଇ ସରକାର ନିଜନିଜ ଦେଶରେ ସଂଖ୍ୟାଲଘୁଙ୍କ ନାଗରିକତା ଓ ଜୀବନ ସୁରକ୍ଷା ଏବଂ ସେମାନଙ୍କ ସମ୍ପତ୍ତି ଉପରେ ସେମାନଙ୍କର ସମାନ ଅଧିକାର ସୁନିଶ୍ଚିତ କରିବେ ।
- ଦୁଇ ଦେଶର ସରକାର ନିଜ ଦେଶରେ ସଂଖ୍ୟାଲଘୁଙ୍କ ମାନବିକ ଅଧିକାରର ସୁରକ୍ଷା ନିଶ୍ଚିତ କରିବେ । ଯାତାୟତରେ ସ୍ୱାଧୀନତା, ବିଚାର ଓ ଅଭିବ୍ୟକ୍ତି ନେଇ ସ୍ୱାଧୀନତା ଏବଂ ଧାର୍ମିକ ସ୍ୱାଧୀନତା ପ୍ରଦାନ କରିବେ ।
- ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ସଂଖ୍ୟାଲଘୁ ଆୟୋଗ ଗଠନ କରିବେ ।
- ଯଦି ସଂଖ୍ୟାଲଘୁ ମାନଙ୍କର କୌଣସି ସମସ୍ୟା ସୃଷ୍ଟିହୁଏ ଦୁଇ ଦେଶର ସରକାରଙ୍କର ଦାୟିତ୍ୱ ହେଉଛି କି ସେମାନେ ସମୟ ନଷ୍ଟ ନକରି ଯଥାଶୀଘ୍ର ତାର ସମାଧାନ କରିବେ ।
Comments are closed.