ପୁରୀ: ଶ୍ରୀମନ୍ଦିର ଭିତରେ ଦତ୍ତ ମହାପାତ୍ର-କମାଣ୍ଡର ମୁହାଁମୁହିଁ। ବନକଲାଗି ଚାଲିଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିର କମାଣ୍ଡର ଓ ପୂର୍ବତନ ନୀତି ପ୍ରଶାସକ ବଡ଼ଦେଉଳ ଭିତରକୁ ଆସିବାକୁ ବିରୋଧ କରି ଏହି କାଣ୍ଡ ଘଟିଛି। ବନକଲାଗି ମହାପ୍ରଭୁଙ୍କ ଗୁପ୍ତ ନୀତି ହୋଇଥିବାରୁ ପ୍ରାଶାସନିକ ଅଧିକାରୀଙ୍କୁ ବିରୋଧ କରିଥିଲେ ପାଳିଆ ଦତ୍ତ ସେବକ ରଶ୍ମିରଞ୍ଜନ ଦତ୍ତ ମହାପାତ୍ର। ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ ଠେଲାପେଲା ହୋଇଥିଲା।
ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗରେ ରଶ୍ମିରଞ୍ଜନଙ୍କୁ ସେବାରୁ ନିଲମ୍ବନ କରାଯାଇଛି। ଅନ୍ୟପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ମଧ୍ୟ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପ୍ରେସ୍ ବାର୍ତ୍ତାରେ ଜଣାଇଛି ଯେ ଶ୍ରୀମନ୍ଦିରରେ ନୀତି ସମ୍ପାଦନରେ ଶୃଙ୍ଖଳା ରକ୍ଷା ପ୍ରତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସର୍ବଦା ସର୍ବୋଚ୍ଚ ଗୁରୁତ୍ୱ ଦେଇଆସୁଛି।
ବୁଧବାର ଉଭାପର୍ବରେ ନୀତିକାନ୍ତି ପାଳନ ସମୟରେ ଦତ୍ତ ମହାପାତ୍ର ସେବାୟତ ରଶ୍ମିରଞ୍ଜନ ଦତ୍ତ ମହାପାତ୍ର ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଶ୍ରୀମନ୍ଦିର କମାଣ୍ଡରଙ୍କ ରିପୋର୍ଟ ଆଧାରରେ ମୁଖ୍ୟ ପ୍ରଶାସକ ସଂପୃକ୍ତ ସେବାୟତଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଶ୍ରୀମନ୍ଦିର ସେବାରୁ ନିଲମ୍ବନ କରିଛନ୍ତି। ସେହିପରି ରଥଯାତ୍ରା ନିମନ୍ତେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମୟାନୁବତ୍ତିର୍ତା, ଶୃଙ୍ଖଳା ଏବଂ ଭକ୍ତିଭାବର ସହ ସମ୍ପାଦିତ ହୋଇ ଚାଲିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
Comments are closed.