ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ପୋଲିସ ଛାଉଣି। ଓଡ଼ିଶା ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭୂତପୂର୍ବ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସୁରକ୍ଷା ଓ ଜନଗହଳି ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କସୁରକ୍ଷା ଓ ଶୃଙ୍ଖଳିତ ଯାତାୟାତ ଲାଗି ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ପୋଲିସ ମହାନିର୍ଦ୍ଦେଶକ ଯୋଗେଶବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି।
ପୋଲିସ ମହାନିର୍ଦ୍ଦେଶକଙ୍କ କହିବାନୁଯାୟୀ, ଘୋଷଯାତ୍ରା ଲାଗି ଶ୍ରୀକ୍ଷେତ୍ରକୁ କଡା ସୁରକ୍ଷା ବଳୟରେ ରଖାଯାଇଛି। ଯାତ୍ରାକୁ ସୁରକ୍ଷିତ ସହ ଶୃଙ୍ଖଳିତ ଯାତାୟତ ଲାଗି ଟ୍ରାଫିକ ସୁପରିଚାଳନାଠୁ ଆରମ୍ଭ କରି ସୁରକ୍ଷା ଲାଗି ବ୍ୟପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିଲାଗି ୧୯ଜଣ ଆଇପିଏସ୍ଅଧିକାରୀ ଓ ୧୩ ହଜାର ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସେହିଭଳି ସେଣ୍ଟ୍ରାଲ ଫୋର୍ସର ୧୫ କମ୍ପାନୀ ଫୋର୍ସ ମୁତୟନ ରହିବେ। ଏହା ମଧ୍ୟରେ ସିଆରପିଏଫ୍, ବିଏସ୍ଏଫ୍, ଆରପିଏଏଫ୍, ଏନଏସ୍ଜି ମୁତୟନ ରହିବେ। ସେହିପରି ସମୁଦ୍ର ଉପକୂଳ ଅଞ୍ଚଳରେ ନେଭି ଓ ଏୟାରଫୋର୍ସ ଏବଂ ମେରାଇନ୍ ପୋଲିସ ସଜାଗ ରହିଛନ୍ତି ।
ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ଲାଇଫଗାର୍ଡ ମାନଙ୍କୁ ନିୟୋଜିତ କରାଯାଇଛି । ବମ୍ ସ୍କ୍ୱାର୍ଡ, ଡଗ୍ ସ୍କ୍ୱାର୍ଡମାନଙ୍କୁ ନିୟୋଜିତ କରାଯାଇଛି । ସେମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସନ୍ଦେହପୂର୍ଣ୍ଣ ଜାଗାକୁ ତନ୍ନ ତନ୍ନ କରି ଯାଞ୍ଚ କରିବେ । ଅନ୍ୟପକ୍ଷରେ ପୋଲିସ ପକ୍ଷରୁ ଜାରି ଟ୍ରାଫିକ୍ କଟକଣାକୁ ମାନି ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏହି ସମୟରେ ରଥଯାତ୍ରା ଲାଗି ସ୍ୱତନ୍ତ୍ର ଆଇପିଏସ ଅଧିକାରୀ ତଥା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ଆଇଜି ଡା. ସତ୍ୟଜିତ୍ନାୟକ, ଡିଆଇଜି ପିନାକ ମିଶ୍ର, ଏସ୍ପି ପ୍ରତୀକ ସିଂଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ସିଂହଦ୍ୱାର ଓ ଶ୍ରୀମନ୍ଦିରଭିତର ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ।