Latest Odisha News

ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ଆକାଉଣ୍ଟରୁ ଟଙ୍କା ଗାୟବ !

ଉତ୍ତରପ୍ରଦେଶ: ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ସମସ୍ତଙ୍କ ଅପେକ୍ଷା । ହେଲେ ନିର୍ମାଣ ପୂର୍ବରୁ ସାମ୍ନାକୁ ଆସିଲା ଚାଂଚଲ୍ୟକର ଖବର । ମନ୍ଦିର ନିର୍ମାଣ ନିମନ୍ତେ ଟଙ୍କା ରଖିବା ପାଇଁ ଗଠନ ହୋଇଥିଲା ଟ୍ରଷ୍ଟ । ଟ୍ରଷ୍ଟ ଆକାଉଣ୍ଟରେ ଜମା ହେଉଥିଲା ଦାନ ଅନୁଦାନ । ହେଲେ ଖବର ଆସିଛି ଟ୍ରଷ୍ଟ ଆକାଉଣ୍ଟରୁ ଗାୟବ ହୋଇଛି ୬ ଲକ୍ଷ ଟଙ୍କା ।

ଗୁରୁବାର ଅବିକଳ ନକଲ ଚେକ୍ ଜରିଆରେ କିଛି ଅଜଣା ବ୍ୟକ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଉଠାଣ କରିଥିବା ଜଣାପଡିଥିଲା । ଅଯୋଧ୍ୟା ଡିଆଇଜି ଦୀପକ କୁମାରଙ୍କ ଅନୁଯାୟୀ ଜାଲ ଚେକ୍ ଜରିଆରେ ଅଭିଯୁକ୍ତମାନେ ପ୍ରଥମେ ୨.୫ ଲକ୍ଷ ଓ ପରେ ୩.୫ ଲକ୍ଷ ଟଙ୍କା ଉଠାଣ କରିଥିଲେ । ଟ୍ରଷ୍ଟ ସେକ୍ରେଟାରୀ ଚମ୍ପତ ରାୟଙ୍କ ଏତଲା କ୍ରମେ ଥାନାରେ ମାମଲା ଦାୟର ହୋଇଛି ।

ଜାଣି ଆଶ୍ଚର୍ଯ୍ୟ ହେବେ ଟ୍ରଷ୍ଟ ପାଖରେ ଥିବା ଚେକ୍‌ରେ ଯେଉଁ କ୍ରମିକ ନମ୍ବର ରହିଛି, ଉଠାଣ ହୋଇଥିବା ଜାଲ୍ ଚେକ୍‌ରେ ମଧ୍ୟ ସମାନ ନମ୍ବର ରହିଛି । ତେବେ ବୁଧବାର ପ୍ରଥମେ ଚମ୍ପତ ରାୟ ଟଙ୍କା ଠକେଇ କଥା ଜାଣିପାରିଥିଲେ । ୯.୮୬ ଲକ୍ଷ ଟଙ୍କାର ତୃତୀୟ ଚେକ ବ୍ୟାଙ୍କରେ ଲାଗିଥିଲାବେଳେ ରାୟଙ୍କୁ କନଫର୍ମେସନ୍ କଲ୍ ଆସିଥିଲା । ପରେ ସେପ୍ଟେମ୍ବର ୧ ଓ ୩ରେ ଅନ୍ୟ ଦୁଇଟି ଚେକ୍ ଜରିଆରେ ଟଙ୍କା ଉଠାଣ ହେବା ନେଇ ଜଣାପଡିଥିଲା ।

ତଦନ୍ତରୁ ଜଣାପଡିଛି ଟ୍ରଷ୍ଟ ଆକାଉଣ୍ଟରୁ ଟଙ୍କା ପଂଜାବ ନ୍ୟାସନାଲ ବ୍ୟାଙ୍କର ଏକ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ବ୍ୟାଙ୍କ କର୍ମଚାରୀଙ୍କ ହେୟଜ୍ଞାନ ନା ଟ୍ରଷ୍ଟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଚେକର ନମ୍ବର ବାହାରେ ପ୍ରଘଟ ହୋଇଥିଲା । ଯାହାଦ୍ୱାରା କି ୬ ଲକ୍ଷ ଭଳି ମୋଟା ଅଙ୍କର ଟଙ୍କା ଆକାଉଣ୍ଟରୁ ଉଭାନ୍ ହୋଇଥିଲା ।

Comments are closed.