Latest Odisha News

ନବରଙ୍ଗପୁରରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା; ପ୍ରଥମ ଦିନରେ ୨୧୮ ଚିକିତ୍ସିତ

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶୁକ୍ରବାର ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରରୁ ହେଲିକାପ୍ଟର ଯୋଗେ ୫ ଜଣ ଡାକ୍ତର ନବରଙ୍ଗପୁରରେ ପହଞ୍ଚିଥିଲେ । ୟୁରୋଲୋଜି- ଡା. ଦତ୍ତେଶ୍ୱର ହୋତା, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି – ଡା. ଚିତ୍ତ ରଞ୍ଜନ ପଣ୍ଡା, କାର୍ଡିୟୋଲୋଜି- ଡା. ବିଶ୍ୱଜିତ୍, ଏବଂ ଡା. ବନବିହାରୀ ମିଶ୍ର ଓ ଡା. ଖଗେଶ୍ୱର ରାଉତ ଯାଇଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବରୁ ପଞ୍ଜୀକରଣ କରିଥିବା ୨୧୮ ଜଣଙ୍କ ଚିକିତ୍ସା କରିଛନ୍ତି ଡାକ୍ତରୀ ଦଳ । ଏହି ସ୍ୱତନ୍ତ୍ର ସେବାରେ ସାମିଲ ଥିବା ସ୍ପେଶାଲିଷ୍ଟ ଅସ୍ତ୍ରୋପଚାର ମଧ୍ୟ କରିବେ ବୋଲି ଜଣାପଡ଼ିଛି । ଚିକିତ୍ସିତ ବ୍ୟକ୍ତିଙ୍କ ପୁଣି ଚିକିତ୍ସା ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ ହେବ ବୋଲି ସିଡିଏମଓ ଡା. କାଳୀପ୍ରସାଦ ବେହେରା ସୂଚନା ଦେଇଛନ୍ତି । ରୋଗୀ ଓ ଡାକ୍ତରୀ ଦଳ ସହ ଆଲୋଚନା କରି ଆସନ୍ତା ତାରିଖ ଧାର୍ଯ୍ୟ ହେବ ।

ଅପହଞ୍ଚ ଅଞ୍ଚଳରେ ଡାକ୍ତରୀ ସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ବର୍ଷ ଡିସେମ୍ବରରେ ଏହି ଯୋଜନା ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁରରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ଏପ୍ରିଲ ୮ରେ ଏକ ସାତ ଜଣିଆ ଡାକ୍ତରୀ ଦଳ ଏହି ଯୋଜନା ଆରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହେଲିକାପ୍ଟରରେ ଯାଇ ଚିକିତ୍ସା କରିଥିଲେ ।

Comments are closed.