Latest Odisha News

ବଦଳିବ ଶ୍ରୀଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ଚିତ୍ର; ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ତଥା ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଗୁରୁବାର ଦିନ ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଘୋଷିତ ପ୍ୟାକେଜ୍‌ ଅନୁସାରେ, ରାଜ୍ୟ ସରକାର ୬୬ ଏକର ପରିବ୍ୟାପ୍ତ ଏକାମ୍ରକ୍ଷେତ୍ର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ଯୋଜନାରେ ଜୀବୀକା ହରାଉଥିବା ଉଠା ଦୋକାନୀଙ୍କୁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ଦିଆଯିବ। ସେମାନଙ୍କୁ ଭେଣ୍ଡିଂ ଜୋନର ଥଇଥାନ କରାଯିବ। ସେହିପରି ପକ୍କା ଘର ଥିବା ଦୋକାନୀଙ୍କୁ ମାସକୁ ୧୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ। ଏହି ଟଙ୍କା ଏକ ବର୍ଷ ଯାଏଁ ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ଶ୍ରୀଲିଙ୍ଗରାଜ ମନ୍ଦିରର ନିରାପତ୍ତାକୁ ଆହୁରି ସୁଦୃଢ଼ କରାଯିବ। ଶ୍ରୀଲିଙ୍ଗରାଜ ଥାନା ଓ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଟ୍ରାଫିକ ହ୍ରାସ ଓ ଯାତାୟତ ସୁବିଧା ପାଇଁ ତାଳେଶ୍ୱର ଛକ ଠାରୁ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ଚାରିଗୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ।

ତେବେ ଶ୍ରୀଲିଙ୍ଗରାଜ ମନ୍ଦିର ଦେଶର ଦ୍ୱିତୀୟ କାଶୀ ବୋଲି ନବୀନ କହିଛନ୍ତି। ଏକାମ୍ର କ୍ଷେତ୍ରର ୬୬ ଏକର ଅଞ୍ଚଳରେ ବିକାଶ କରାଯିବା ସହ ଏଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ କରାଯିବ ଏବଂ ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ କରାଯିବ।

ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ନିଷିଦ୍ଧ କରାଯିବ। ଶ୍ରୀଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଅଧିନରେ ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗର ବିକାଶ କରାଯିବ।

ବିନ୍ଦୁସାଗର ଜଳକୁ ପରିଷ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯିବ ଏବଂ ତା’ସହିତ କେଦାରଗୌରୀ, ପାନନାଶିନୀ, ଗୋଦାବରୀ, କୋଟିତୀର୍ଥ, ଗଙ୍ଗାଯମୁନା ଏବଂ ଦେବୀପାଦହରା ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସଂରକ୍ଷଣ କରାଯିବ।

Comments are closed.