Latest Odisha News

BREAKING NEWS

ଆମ ବସ୍ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ରୂପାଲି ଛକ ନିକଟରେ ଆମ ବସ ଓ ଅଟୋ ମଧ୍ୟରେ ଧକା ହେବ ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।

ଏ ଘଟଣାରେ ଆହତ ହୋଇଥିବା ଛାତ୍ରୀଙ୍କ ଆଶୁ ଆରୋଗ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି । ତେବେ ‘ଆମ ବସ୍’ ପରିବହନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଆମ ବସ ପରିଚାଳନା ସଂସ୍ଥା CRUT ସହିତ ସମନ୍ୱୟ ରକ୍ଷା କରି ଏ ସମସ୍ୟାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେବାକୁ ସେ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଶେଷକରି ଆମ ବସ ଡ଼୍ରାଇଭର ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଆରୋପ କରିଛନ୍ତି । ଏଥିପାଇଁ ନିୟମିତ ଟ୍ରେନିଂ ପ୍ରଦାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଟ୍ରେନିଂ ପ୍ରକ୍ରିୟାରେ ଡ଼୍ରାଇଭର ମାନଙ୍କ ଦକ୍ଷତା ସହ ସେମାନଙ୍କ ଶାରିରୀକ ଓ ମାନସିକ ସ୍ଵାସ୍ଥ୍ୟ ସଂପର୍କରେ ମଧ୍ୟ ଗୁରୁତ୍ଵ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଶେଷକରି, ସେମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ training module କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଏହା ସହିତ MVI ମାନଙ୍କ ଦ୍ଵାରା ଆମ ବସ ଗୁଡ଼ିକର ଫିଟନେସ ସଂପର୍କରେ ନିୟମିତ ଯାଞ୍ଚ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ଵତନ୍ତ୍ର ସ୍କ୍ୱାଡ ଗଠନ କରି ବସ ଫିଟନେସ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହିପରି ଦୁର୍ଭାଗ୍ୟଜନକ ଘଟଣା ଯେପରି ବାରମ୍ବାର ନ ଘଟେ ସେଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ନିୟମିତ ଭାବେ ସମୀକ୍ଷା କରି ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.