Latest Odisha News

BREAKING NEWS

ପୁରୀ ଲାଗି ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ଭିତ୍ତିଭୂମିର ବିକାଶ ତଥା ପୁଷ୍କରିଣୀ ଗୁଡିକର ପୁନଃରୁଦ୍ଧାର ଲାଗି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ପ୍ୟାକେଜ ଅର୍ଥରାଶି ଘୋଷଣା କରିଛନ୍ତି ।

ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ଏହି ଘୋଷଣା କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଅନ୍ତରୀଣ ରିପୋର୍ଟକୁ ନେଇ ଜଷ୍ଟିସ୍ ବିପି ଦାସ କମିଶନର କରିଥିବା ସୁପାରିଶ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି ।

ଜାଣନ୍ତୁ, ବୈଠକରେ କେଉଁସବୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

  • ଶ୍ରୀସେତୁ- ପୁରୀ ବାଇପାସ୍ ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ଆଧୁନିକ ଟ୍ରମ୍ପେଟ୍ ସେତୁ (ଶ୍ରୀସେତୁ) ଦ୍ୱାରା ସଂଯୋଗ କରାଯିବ । ଏଥିଲାଗି ସରକାରଙ୍କ ପକ୍ଷରୁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଥିବାବେଳେ ଏହାଦ୍ୱାରା ଜଗନ୍ନାଥ ବଲ୍ଲଭ ମଠ ଠାରେ ଯାତ୍ରୀମାନେ ସିଧାସଳଖ ପହଞ୍ଚିପାରିବେ ।
  • ଜଗନ୍ନାଥ ବଲ୍ଲଭ ମଠର ବିକାଶ- ଜଗନ୍ନାଥ ବଲ୍ଲଭ ମଠରେ ବହୁତଳ ପାର୍କିଂ ସହିତ ଯାତ୍ରୀମାନଙ୍କ ସୁବିଧା ଲାଗି ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ନିର୍ମାଣ କରାଯିବ । ଏଥିଲାଗି ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଥିବାବେଳେ ନିକଟରେ ବିଭିନ୍ନ ଦୋକାନ ବଜାରର ମଧ୍ୟ ବ୍ୟବସ୍ଥା କରାଯିବ ।
  • ମୂଷା ନଦୀର ବିକାଶ- ଏହି ନଦୀର ପୁନରୁଦ୍ଧାର କରାଯାଇ ଏହାକୁ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ । ଏଥିଲାଗି ୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଥିବାବେଳେ ମୂଷା ନଦୀର ପରିବେଶରେ ଉନ୍ନତି ସହ ସେହି ନଦୀ କୂଳରେ ପର୍ଯ୍ୟଟନର ବିକାଶ ମଧ୍ୟ କରାଯିବ ।
  • ଅଠରନଳା- ଐତିହାସିକ ଅଠରନଳାର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ କରାଯିବା ଲାଗି ଏଏସଆଇର ସହଯୋଗ ନିଆଯିବ । ଯେଉଁଥିପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
  • ହ୍ର୍ରଦ- ପୁରୀଠାରେ ୨୮ ଏକର ଜମିରେ ଏକ ହ୍ରଦର ବିକାଶ କରାଯିବ, ଯେଉଁଥି ପାଇଁ ପ୍ରାୟ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
  • ସୁରକ୍ଷିତ ଜୋନ୍ ଓ ମଠ ପୁନରୁଦ୍ଧାର- ଶ୍ରୀଜଗନ୍ନାଥଙ୍କ ନୀତି ସହ ବିଭିନ୍ନ ମଠର ସ୍ୱତନ୍ତ୍ର ସମ୍ପର୍କ ରହିଛି । ଏଥିପ୍ରତି ଯତ୍ନଶୀଳ ସରକାର ପୁରୀରେ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଆସୁଥିବା ମଠ ଗୁଡିକର ସ୍ଥାନାନ୍ତର କରାଯିବ । ସ୍ଥାନାନ୍ତର ହେଉଥିବା ମଠର କୀର୍ତ୍ତି ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ପୁରୀରେ ଥିବା ମଠ ଗୁଡିକୁ ‘ଅବଡା ଯୋଜନା’ରେ ସରକାର ସହଯୋଗ ଯୋଗାଇ ଦେବେ ।
  • ଆହୁରି ମଧ୍ୟ ଶ୍ରୀମନ୍ଦିରର ନିରାପତ୍ତା ଜୋନରେ ଆସୁଥିବା ଦୋକାନ ଓ ଘର ଗୁଡିକୁ ସ୍ଥାନାନ୍ତରିତ କରାଯିବ । ଏଥିପାଇଁ ସରକାର ଦୋକାନ ପାଇଁ ଦୋକାନ ଓ ଘର ଲାଗି ଘର ଯୋଗାଇଦେବା ନେଇ ଜଣାପଡିଛି । ଏଥିସହିତ ଥଇଥାନ ପ୍ୟାକେଜ୍ ମଧ୍ୟ କାର୍ଯ୍ୟକାରୀ ହେବ।
  • ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର- ପୁରୀରେ ଥିବା ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଗୁଡିକର ପୁନରୁଦ୍ଧାର କରାଯିବା ସହ ଐତିହସ୍ଥଳୀର ସଂରକ୍ଷଣ ମଧ୍ୟ କରାଯିବ । ଏହିସବୁ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ବେହଠକରେ ନିର୍ଦ୍ଦେଶ ଦେଇଛନ୍ତି । ଯାହାର ଦାୟିତ୍ୱ ଓଡିଶା ସେତୁ ଓ ନିର୍ମାଣ ନିଗମ ପ୍ରକଳ୍ପ ନେବ ।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ପୁରୀର ଭିତ୍ତିଭୂମି ବିକାଶ ଲାଗି ୨୬୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ମଧ୍ୟ ଅନୁମୋଦନ କରିଥିଲେ । ଏହି ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଏବଂ ପୁରୀ ଏସପି ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.