Latest Odisha News

BREAKING NEWS

ସୁଧୁରିବ ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକରେ ଥିବା ଆବାସିକ କଲୋନୀ ରାସ୍ତା, ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସୁଧୁରିବ ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକରେ ଥିବା ଆବାସିକ କଲୋନୀ ରାସ୍ତା । ଏହି ଅଞ୍ଚଳରେ ଥିବା ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଅନୁସାରେ, ଗତ ଅଗଷ୍ଟ ମାସ ୨୩ ତାରିଖରେ 5T ସଚିବ ଭି.କେ. ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତକରିଥିଲେ । ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ସେହି ଅଞ୍ଚଳର ସମସ୍ୟା କଥା ପଚାରି ବୁଝିଥିଲେ ସଚିବ । ସେଠାରେ ଆବାସିକ କଲୋନୀଗୁଡିକର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ଅଞ୍ଚଳବାସୀ । ଏ ସମ୍ପର୍କରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା । ଉକ୍ତ ଟିମ୍ ସେସବୁ ଅଞ୍ଚଳରେ ୮୨ କି.ମି.ରୁ ଉର୍ଦ୍ଧ୍ୱ ଅଞ୍ଚଳ ପରିମିତ ୪୨୯ଟି ରାସ୍ତା ଚିହ୍ନଟ କରି ଉନ୍ନତିକରଣ ଓ ବିଦ୍ୟୁତୀକରଣ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ପାଇବାପରେ 5T ସଚିବ ସମ୍ପୃକ୍ତ ଆବାସିକ କଲୋନୀଗୁଡିକର ବାସିନ୍ଦାଙ୍କ ସହ ଗତ ସେପ୍ଟମ୍ବର ୨୭ ତାରିଖରେ ସେସବୁ ଅଞ୍ଚଳର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ । ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି। ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରାଯିବ। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ । ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.