Latest Odisha News

BREAKING NEWS

ପୂର୍ବ ସରକାରଙ୍କ ସମୟରେ ୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ଏଏସଓ ଚାକିରି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ୨୦୨୪କୁ ବିଚାରକୁ ନେବା ଉଦ୍ଦେଶ୍ୟରେ ଗୃହରେ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ। ଗଣତନ୍ତ୍ର ଉପରେ ପୂର୍ବ ସରକାର ବାରମ୍ବାର ବାରମ୍ବାର ହାତୁଡ଼ିରେ ମାରୁଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ବଚ୍ଛତା ନଥିଲା। ଦୁର୍ନୀତିରେ ଭରି ରହିଥିଲା ପରୀକ୍ଷା ପରିଚାଳନା। ନିଯୁକ୍ତିକୁ ପୂର୍ବ ସରକାର ସାଧାରଣ ଭାବେ ନେଉଥିଲେ। ପରୀକ୍ଷା ପରିଚାଳନାରେ ଯେଉଁ ଅଧିକାରୀ ଦାୟିତ୍ବରେ ରହୁଥିଲେ ସେ ନିଜେ ପରୀକ୍ଷା ପତ୍ର ପ୍ରଘଟ ରାକେଟରେ ସଂପୃକ୍ତ ରହୁଥିଲେ। ଯାହାର ଉଦାହରଣ ୨୦୨୩ ମସିହାର ଜେଇଇ ପରୀକ୍ଷା।

ସେହିପରି ସଚିବାଳୟରେ ଏଏସଓ ନିଯୁକ୍ତିରେ ବଡ ଚଞ୍ଚକତା ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।  ଅଯୋଗ୍ୟଙ୍କୁ ଯୋଗ୍ୟ ବନାଇ ନିଯୁକ୍ତି ଦେଉଥିଲେ ପୂର୍ବ ସରକାର। ଯୋଗ୍ୟଙ୍କ ଭବିଷ୍ୟତକୁ ଆଜିକା ଦିନରେ ଅନ୍ଧାରକୁ ଠେଲି ଦେଇଛନ୍ତି ପୂର୍ବ ସରକାର। ‘୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ଏଏସଓ ଚାକିରି। ସରକାରଙ୍କ ନାକ ତଳେ ଏସବୁ ହେଉଥିଲେ ସୁଦ୍ଧା କାହିଁକି ଚୁପ୍ ରହୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ପିଲାଙ୍କ ଭବିଷ୍ୟତ ଅନ୍ଧାରରକୁ ଠେଲି ପୂର୍ବ ସରକାର ଆଉଟ୍‌ସୋର୍ସରେ ରହି ଯାଇଥିଲେ। କେତେକ ପରୀକ୍ଷାର୍ଥୀ ମଧ୍ୟ ଆତ୍ମହତ୍ୟା କରିଦେଇଛନ୍ତି। ଆଗକୁ କିନ୍ତୁ ଏମିତି ହେବ ନାହିଁ। ଅନ୍ୟ ରାଜ୍ୟ ପରି ଘଟଣା ଘଟିବାକୁ ଦେବୁ ନାହିଁ। ଏଥିପାଇଁ ଧାରା ୧୨(୧) ଅନୁସାରେ ଗଫଲତି କରୁଥିବା ଅନୁଷ୍ଠାନ ସହ ବ୍ୟକ୍ତି ଜେଲ ଯିବା ସହ ଜରିମାନା ମଧ୍ୟ ଦେବେ।

ସେ ଆହୁରି କହିଛନ୍ତି, ଗତ ସରକାର ହୋଇଥିବା ଅପରାଧର ଇତିଶ୍ରୀ ହୋଇସାରିଛି। ସୁଧୁରି ଯାଅ ନଚେତ୍ ଆମେ ସୁଧାରି ଦେବୁ। ପୂର୍ବ ସରକାର ଆମ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଯାଇଥିଲେ । ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ହେବ ଏବଂ ଖାଲି ଥିବା ସମସ୍ତ ପଦବୀ ସ୍ବଚ୍ଛ ଓ ନିରପେକ୍ଷତା ସହିତ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.