Latest Odisha News

BREAKING NEWS

ଆଶ୍ରମ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକ୍ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ବାସି ପଖାଳ ଓ ଆଳୁ ଟଟଣି ଖାଇବା ପରେ ୧୦୦ରୁ ଅଧିକ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଥିଲେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ରସଗୋବିନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟାର ସୁଧାର ନହେବାରୁ ଗତକାଲି ସନ୍ଧ୍ୟାରେ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏମାନଙ୍କ ମଧ୍ୟରୁ ରୂପାଲି ବେଶ୍ରା ନାମକ ଛାତ୍ରୀଙ୍କର ମୃତ୍ୟୁ ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ଏହା ସହିତ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ RDC ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ପିଲାମାନେ ଅସୁସ୍ଥ ହେଲେ ଏବଂ ରୂପାଲିଙ୍କର ମୃତ୍ୟୁ ଘଟିଛି, ସେ ସମ୍ପର୍କରେ ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। RDC ଆଜି ଘଟଣାସ୍ଥଳକୁ ଯାଇ ଘଟଣା ସଂପର୍କରେ ତଦନ୍ତ କରିବେ।

ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୩ଲକ୍ଷର ସହାୟତା ଘୋଷଣା କରିଛନ୍ତି । ପିଲା ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆସନ୍ତା କାଲି ଏକ ଡାକ୍ତରୀ ଦଳ ମଧ୍ୟ ରାସଗୋବିନ୍ଦପୁର ଗସ୍ତ କରିବେ।

Leave A Reply

Your email address will not be published.